କୋଇପଶି, ବାଘୁଆସାହି ଓ ତଳଙ୍ଗି ଜଙ୍ଗଲରେ ନିଆଁ

କୋଇପଶି, ବାଘୁଆସାହି ଓ ତଳଙ୍ଗି ଜଙ୍ଗଲରେ ନିଆଁ

କାଳିଆପାଣି : ସୁକିନ୍ଦା ରେଞ୍ଜ୍ ରାଁସୋଳ ଫରେଷ୍ଟ୍‌ ସେକ୍ସନ ତଳଙ୍ଗି ବିଟ୍‌ ଅନ୍ତର୍ଗତ କୋଇପଶି ଓ ତଳଙ୍ଗି ଏବଂ ନାତୁର ବିଟ୍‌ ଅନ୍ତର୍ଗତ ବାଘୁଆସାହି ଜଙ୍ଗଲରେ ନିଆଁ ଲାଗିଛି। ଦୈତାରୀ ସୁରକ୍ଷିତ ଜଙ୍ଗଲର ବାଘୁଆସାହି ଓ ଅନ୍ୟ ୨ ଗ୍ରାମ୍ୟ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି। ୩୦ ଜଣ ବନ କର୍ମଚାରୀ ଅବିରତ ନିଆଁ ଲିଭା କାମରେ ଲାଗିଥିଲେ ମଧ୍ୟ ଏକାଧିକ ସ୍ଥାନରେ ଜଙ୍ଗଲ ନିଆଁକୁ କାବୁ କରିବା ସମ୍ଭବ ହୋଇପାରିନି। ନିଆଁରେ ବହୁ ମୂଲ୍ୟବାନ ଗଛଲତା ଓ ଗୁଳ୍ମ ପୋଡ଼ିଯିବା ସହ ବହୁ ବନ୍ୟଜନ୍ତୁ ପୋଡ଼ି ପ୍ରାଣ ହରାଉଥିବା ସୂଚନା ମିଳିଛି। ଆଞ୍ଚଳିକ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିବା ସହ ସ୍ଥାନୀୟ ଇଲାକା ତାପମାତ୍ରାରେ ଉଲ୍ଲେଖନୀୟ ପରିବର୍ତ୍ତନ ଅନୁଭୂତ ହୋଇଛି। ପାରିପାର୍ଶ୍ବିକ ଅଞ୍ଚଳ ଧୂଆଁମୟ ହୋଇରହିବା ସହ ପ୍ରବଳ ପାଉଁଶ ଧୂଳି ଉଡ଼ୁଛି।

କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ହୋଇଛି। ସୂଚନା ପାଇ ଆଜି ସକାଳୁ ବନପାଳ ନରେଶ ଚନ୍ଦ୍ର ଟୁଡ଼ୁ ଓ ବନରକ୍ଷୀ ସରୋଜ କୁମାର ମଲିକ ସଦଳବଳ ବାଘୁଆସାହି ପାହାଡ଼ରେ ନିଆଁ ଲିଭା କାମରେ ବ୍ୟସ୍ତ ଥିବା ବେଳେ ତଳଙ୍ଗି ଓ କୋଇପଶି ଜଙ୍ଗଲରେ ନିଆଁ ଲାଗିଥିବା ‌ଜାଣିବାକୁ ପାଇଥିଲେ। ଗତ ୩୫ ବର୍ଷ ମଧ୍ୟରେ ଓଡ଼ିଶା ଖଣି ନିଗମ(ଓଏମସି)ର ପରିତ୍ୟକ୍ତ ୩ ନଂ କ୍ବାରି କ୍ରୋମାଇଟ୍‌ ଖଣିର ଉତ୍ତର ପାର୍ଶ୍ବ ଟମକା-ମଙ୍ଗଳପୁର ସଡ଼କ ସଂଲଗ୍ନ ଉଜୁଡ଼ା ଡମ୍ପ୍‌ରେ ବନୀକରଣ ମାଧ୍ୟମରେ ଗଢ଼ି ଉଠିଥିବା ଜଙ୍ଗଲରେ ଆଜି ରାତିରେ ନିଆଁ ଜଳୁଥିବା ଦେଖିବାକୁ ମିଳିଛି। ମୁଖ୍ୟରାସ୍ତା ସଂଲଗ୍ନ ଏହି ଜଙ୍ଗଲରେ ବ୍ୟାପକ ନିଆଁ ଲାଗିଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ। ଜଙ୍ଗଲ ନିଆଁରେ ମୁଖ୍ୟ ସଡ଼କ ଆଲୋକିତ ହୋଇ ଉଠୁଛି। ଏ ସଂପର୍କରେ ବନପାଳ ଶ୍ରୀ ଟୁଡ଼ୁଙ୍କୁ ପଚାରିବାରେ ତିନିଟିଯାକ ସ୍ଥାନରେ ନିଆଁ ଲାଗିଥିବା ସଂପର୍କରେ ତାଙ୍କ ପାଖେ ସୂଚନା ଥିବା ଓ ସୀମିତ କର୍ମଚାରୀଙ୍କୁ ନେଇ ବ୍ଲୋୟର ସହାୟତାରେ ସେ ନିଆଁ ଲିଭା କାମ‌ରେ ଲାଗିଥିବା କହିଥିଲେ। ଆଜି ରାତି ସୁଦ୍ଧା ନିଆଁକୁ ଆୟତ୍ତ କରାଯିବ ବୋଲି ଶ୍ରୀ ଟୁଡ଼ୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe