Image Courtesy of India Today
ବାରିପଦା/ଉଦଳା: ଶିମିଳିପାଳ ଜଙ୍ଗଲରେ ରକ୍ତମୁଖା ହେଲେ ଶିକାରୀ। ଆଜି ରାତି ପ୍ରାୟ ୯ଟାରେ ଶିମିଳିପାଳ ଅଭୟାରଣ୍ୟର ଡୁକୁରା ରେଞ୍ଜ ଜଙ୍ଗଲରେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଥିବା ବେଳେ ଶିକାରୀଙ୍କ ଗୁଳିମାଡ଼ରେ ଜଣେ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି।
ଜଣେ ବନ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଖୁଣ୍ଟା ଓ ଉଦଳା ଥାନା ଅଞ୍ଚଳର କିଛି ଶିକାରୀ ବନ୍ଧୁକ ଓ ଧନୁତୀର ଧରି ପଶୁ ଶିକାର ପାଇଁ ଡୁକୁରା ରେଞ୍ଜରେ ପଶିଥିଲେ। ଏ ସମ୍ପର୍କରେ ଖବର ପାଇ ବନ କର୍ମଚାରୀ ଓ ସବୁଜ ବାହିନୀ କର୍ମଚାରୀଙ୍କୁ ନେଇ ଗଠିତ ୬ଜଣିଆ ଟିମ୍ ଜଙ୍ଗଲ ଭିତରକୁ ଅପରେସନ୍ରେ ବାହାରିଥିଲା। ଅନ୍ଧାର ରାତିରେ ଜଙ୍ଗଲ ଭିତରେ ବେଶ୍ କିଛି ସମୟ ଛାନ୍ଭିନ୍ ପରେ ଶିକାରୀ ଦଳଙ୍କ ସହ ମୁହାଁମୁହିଁ ହୋଇଥିଲା ବନ ବିଭାଗ ଟିମ୍। ତେବେ ବନ କର୍ମଚାରୀଙ୍କୁ ଦେଖି ଜଣେ ଶିକାରୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ସୁନାରାମ ସିଂହ ନାମକ ଜଣେ ବନ କର୍ମଚାରୀଙ୍କ ଗୋଡ଼ରେ ବାଜିଥିଲା। ସେପଟେ ଅନ୍ଧାରର ସୁଯୋଗ ନେଇ ଶିକାରୀମାନେ ଖସି ଚାଲି ଯାଇଥିଲେ। ସୁନାରାମଙ୍କୁ ସାଥୀ କର୍ମଚାରୀମାନେ ଉଦ୍ଧାର କରି ଜଙ୍ଗଲ ତଳକୁ ଆଣୁଛନ୍ତି।
ରିପୋର୍ଟ ଲେଖାହେବା ବେଳକୁ ଜଙ୍ଗଲରୁ ବାହାରି ପାରିନଥିଲା ବନ ବିଭାଗ ଟିମ୍। ସେମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗର ଆଉ ଏକ ଟିମ୍ ସନ୍ଧାନରେ ଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣା ଉପରେ ନଜର ରଖିଛନ୍ତି।
Follow Us