ବୌଦ୍ଧ ଜିଲ୍ଲାରେ ପ୍ରଥମ କୋଭିଡ ମୃତ୍ୟୁ!

Advertisment

୩୮ ନୂଆ ଚିହ୍ନଟ ସମ୍ପର୍କରେ ଘୋଷଣା, ସଂକ୍ରମିତ ସଂଖ୍ୟା ୬୦୦ ଛୁଇଁଲା

୩୮ ନୂଆ ଚିହ୍ନଟ ସମ୍ପର୍କରେ ଘୋଷଣା, ସଂକ୍ରମିତ ସଂଖ୍ୟା ୬୦୦ ଛୁଇଁଲା

ବୌଦ୍ଧ ଜିଲ୍ଲାରେ ପ୍ରଥମ କୋଭିଡ ମୃତ୍ୟୁ!

ବୌଦ୍ଧ: ଶନିବାର ବୌଦ୍ଧ ଜିଲ୍ଲାରେ ପ୍ରଥମ କୋଭିଡ ରୋଗାକ୍ରାନ୍ତ କରୋନା ଯୋଦ୍ଧା(୪୫)ଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଭୁବନେଶ୍ୱର ଠାରେ ପୁଲିସ ବିଭାଗରେ ସେ କାର୍ଯ୍ୟ କରୁଥିଲେ। ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଙ୍ଗରକ୍ଷୀ ଦାୟିତ୍ୱରେ ଥିଲେ। ସେ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ଗୃହାବଦ୍ଧ ଥିଲେ। ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ସୋମ କୋଭିଡ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଶନିବାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ କରୋନା ଯୋଦ୍ଧାଙ୍କ ନିଜ ଘର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ବୋଲି ଜଣାପଡିଛି।

ଅପରପକ୍ଷେ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ୬୦୦ରେ ପହଂଚିଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରୁ ୩୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଅନୁଷ୍ଠାନିକ ଘୋଷଣା କରାଯାଇଛି। ଏଥିରୁ ଗତ ୨୭ତାରିଖ ରାପିଡ଼ ଆଣ୍ଟିଜେନରେ ଚିହ୍ନଟ ହୋଇଥିବା କଣ୍ଟାମାଲ ବ୍ଲକ୍ ଘଣ୍ଟାପଡା ଗାଁରୁ ୪ ଜଣ ଓ ପଲସାଗୋରା ପଂଚାୟତ ବଘିଆବାହାଲ୍‌ ଗାଁରୁ ୧୦ ଜଣ ମୋଟ ୧୪ଜଣଙ୍କ ସମ୍ପର୍କରେ ଘୋଷଣା ହୋଇଥିବା ବେଳେ ୨୪ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଘୋଷଣା ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସବୁତକ ସ୍ଥାନୀୟ ମାମଲା। ପୂର୍ବ ସଂକ୍ରମିତ ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା କୁହାଯାଉଛି। ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ପୁଲିସ କଲୋନୀର ୪ ଜଣ, ବୌଦ୍ଧ ସହରରୁ ୧୨ ଜଣ, ବୌଦ୍ଧ ବ୍ଲକ୍‌ ବଲାସିଙ୍ଗା ଓ ମୁଣ୍ଡିପଦର ଜାଲୋଇ ଗାଁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପାରି ହରଭଙ୍ଗା ବ୍ଲକ୍‌ କୁଶଙ୍ଗ ଗାଁରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ସମ୍ପର୍କରେ କୌଣସି ତଥ୍ୟ ନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି।

ଅପରପକ୍ଷେ ଜିଲ୍ଲାର ୫୦୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯୫ଜଣ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ବ୍ୟକ୍ତି ଚିକିତ୍ସାଧିନ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୧୫୩୬୫ ଜଣଙ୍କ ନମୁନା ସଂଗ୍ରହ ହୋଇଛି। ସେଥିରୁ ୧୪୬୬୦ଟି ନମୁନାର ରିପୋର୍ଟ ମଧ୍ୟରୁ ୧୪୦୬୦ଟି ରିପୋର୍ଟ ନେଗେଟିଭ ରହିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe