ପ୍ରଥମ ଭୂଇଁ ଫ୍ରେମ୍‌ ପ୍ରସ୍ତୁତି ଶେଷ

ରଥ ନିର୍ମାଣ କାର୍ଯ୍ୟ ୪୦ ଦିନରେ ପହଞ୍ଚିଛି। ଆଜି ୨୦୬ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଗତକାଲି ସୁଦ୍ଧା ତିନିରଥର ମୋଟ ୩୨ଟି ଗୟଳ ମୋଡ଼ା କାର୍ଯ୍ୟ ସମ୍ପନ୍ନ ହେବା ପରେ ଯୋକାଗୁଡ଼ିକୁ ଭୋଇ....

scscsxx

ପୁରୀ: ରଥ ନିର୍ମାଣ କାର୍ଯ୍ୟ ୪୦ ଦିନରେ ପହଞ୍ଚିଛି। ଆଜି ୨୦୬ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଗତକାଲି ସୁଦ୍ଧା ତିନିରଥର ମୋଟ ୩୨ଟି ଗୟଳ ମୋଡ଼ା କାର୍ଯ୍ୟ ସମ୍ପନ୍ନ ହେବା ପରେ ଯୋକାଗୁଡ଼ିକୁ ଭୋଇ ସେବକମାନେ ତିନିରଥରେ ଡେରା କାର୍ଯ୍ୟ ଶେଷ କରିଥିଲେ। 

ଆଜି ମୋଟ ୪୪ଟି ଯୋକାକୁ ତିନି ରଥର ମହାରଣା ସେବକମାନେ କାପ ଖୋଦେଇ ଶେଷକରି ତାଳଧ୍ୱଜ ରଥର ୧୬ଟି, ଦର୍ପଦଳନ ରଥର ୧୨ଟି ଓ ନନ୍ଦିଘୋଷ ରଥରେ ୧୬ଟି ଯୋକା ଫିଟିଂ କରାଯିବା ପରେ ଓଝା ସେବକଙ୍କ ଦ୍ୱାରା କଣ୍ଟା ବସିବା ଶେଷ ହୋଇଛି। ଏହି ଯୋକାଗୁଡ଼ିକ ରଥର ଚତୁର୍ପାର୍ଶ୍ୱ କୋଣମାନଙ୍କରେ ଫିଟିଂ ହୋଇଅଛି। ଏହି ଯୋକା ରଥର ଅଖ, କୁଡୁକା, ନିରାଡି ଓ ଗୟଳକୁ ବାନ୍ଧି ରଖିବା ପାଇଁ ଯୋକାଗୁଡ଼ିକର ମାପ ଅନୁସାରେ କାପ ଖୋଦେଇ କରିଥିଲେ। ପରେ କଣ୍ଟା ବାଡ଼ିଆଯାଇ ସେଟିଂ କରା ଯାଇଛି। 

ଆଜି ତିନିରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ତିନି ରଥ ମହାରଣା ସେବକ ଓ ଭୋଇ ସେବକମାନଙ୍କ ସହଯୋଗରେ ତିନି ରଥର ପ୍ରଥମ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି। ଏଥିସହ ଭୂଇଁ ଫ୍ରେମ୍‌ର ବିଭିନ୍ନ ଅଂଶଗୁଡିକର ନମ୍ବରିଂ କାର୍ଯ୍ୟ ଶେଷ ହୋଇଛି। ଏହି ପ୍ରଥମ ଭୂଇଁ ଫ୍ରେମ୍‌ ୬ଟି ଓରା ୪ଟି ଖମ୍ୱୀ ସଂଯୋଗ ହୋଇ ଚାରି ପାର୍ଶ୍ବରେ ୨୪ଟି ପାଖୁଡା ଓ ୧୬ଟି ଛିଆଣ ଲାଗି, ପାଖୁଡ଼ାକୁ ଧରି ରଖିବା ପାଇଁ ୨୪ଟି ଭୂଇଁ ଖମ୍ୱୀ ଚାରି ପାର୍ଶ୍ବରେ ସଂଯୋଗ ହୋଇଛି। ସେହିଭଳି ରୂପକାର ସେବକମାନେ ତିନିରଥର ଦ୍ୱାରା ପାଇଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ବା ରାହୁ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଭୂଇଁ କଣ୍ଟା ଓ ପୋଟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe