ପ୍ରଥମାର୍ଦ୍ଧ ପୁଣି ଅଚଳ: ବିଜେଡି ଉଠାଇଲା ମଦମୃତ୍ୟୁ ପ୍ରସଙ୍ଗ

Advertisment

ସଂରକ୍ଷଣ ପ୍ରସଙ୍ଗରେ ଘେରିଲା କଂଗ୍ରେସ

ସଂରକ୍ଷଣ ପ୍ରସଙ୍ଗରେ ଘେରିଲା କଂଗ୍ରେସ

ପ୍ରଥମାର୍ଦ୍ଧ ପୁଣି ଅଚଳ: ବିଜେଡି ଉଠାଇଲା ମଦମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ବର: ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗତକାଲି ପରି ଆଜି ବି ପ୍ରଥମାର୍ଦ୍ଧରେ ଗୃହ ଚାଲିପାରିଲାନି। କଂଗ୍ରେସ ଏସ୍‌ସି/ଏସ୍‌ଟି ସଂରକ୍ଷଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଥିଲା ବେଳେ ବିଜେଡି ମଦମୃତ୍ୟୁ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା। ଅପରାହ୍ନରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ଆଜି ପୂର୍ବାହ୍ନ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସଙ୍ଗେ ସଙ୍ଗେ କଂଗ୍ରେସ ସଭ୍ୟ ବି ଝପଟି ଆସିଲେ। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଡାକିଲେ। ଏପଟେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଜୋର୍‌ଦାର ନାରାବାଜି କରୁଥିଲେ। କିନ୍ତୁ ଗୃହରେ ଏତେ ଜୋର୍‌ରେ ହୋହଲ୍ଲା ହେଉଥିଲା ଯେ ଉଭୟ ବିରୋଧୀ ଦଳର ଦାବି ବି ଶୁଣାଯାଉ ନଥିଲା। ଆଉ ମନ୍ତ୍ରୀ କ’ଣ ଉତ୍ତର ପଢ଼ୁଥିଲେ ତାହା ମଧ୍ୟ ଶୁଣାଯାଉ ନଥିଲା। ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

୧୧ଟା ୩୦ରେ ସମାନ ସ୍ଥିତି। ବିଜେଡି ଓ କଂଗ୍ରେସ ସଭ୍ୟମାନେ ମଧ୍ୟ ଭାଗରେ ହୋହଲ୍ଲା ଜାରି ରଖିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କଲେ। ୪ଟା ବେଳେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା।
ଗଣମାଧ୍ୟମକୁ ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ, ବିଜେପି ନିର୍ବାଚନୀ ଇସ୍ତାହାରରେ ମଦମୁକ୍ତ ଓଡ଼ିଶା କଥା କୁହାଯାଇଛି। ହେଲେ ଚୋରା ମଦ କାରବାର ବଢ଼ୁଛି। ଏଥି ପାଇଁ ଚିକିଟିରେ ମଦମୃତ୍ୟୁ ହେଲାଣି। ଆର୍‌ଡିସି ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତଦନ୍ତ କ’ଣ ଚାଲିଛି, ତାହା ସରକାର ଗୃହରେ ସ୍ପଷ୍ଟ କରନ୍ତୁ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ବର୍ଗୀକରଣ ନାଁରେ ଆଦିବାସୀଙ୍କୁ ଶୋଷଣ କରାଯାଉଛି। କ୍ରିମିଲେୟାର ନାଁରେ କେନ୍ଦ୍ର ସରକାର ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। କଂଗ୍ରେସ ସରକାର ଏସ୍‌ସି/ଏସ୍‌ଟିଙ୍କୁ ସଂରକ୍ଷଣ ଦେଇଥିଲା। ଆମ ଅଧିକାରକୁ ଛଡ଼ାଇନେବା ପାଇଁ ଯୋଜନା କରାଯାଉଛି। କଂଗ୍ରେସ ଏହାର ଦୃଢ଼ ପ୍ରତିବାଦ କରିଛି। ଆଗାମୀ ଦିନରେ ଆମ ଅଧିକାରକୁ ରକ୍ଷା କରିବା ପାଇଁ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବୁ। ବିଧାନସଭା ବନ୍ଦ ପାଇଁ ବିରୋଧୀଙ୍କୁ ସମାଲୋଚନା କରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିରୋଧୀ ଦଳ ସାଧାରଣ ଜନତାଙ୍କ ସ୍ବାର୍ଥହାନୀ କରୁଛନ୍ତି। ବାରମ୍ବାର ଗୃହକୁ ମୁଲତବୀ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବାକୁ ଦେଉ ନାହାନ୍ତି। ଅନେକ ନୂଆ ବିଧାୟକ ନିଜ ଅଞ୍ଚଳର ପ୍ରସଙ୍ଗ ଉଠାଇବାକୁ ଆସୁଥିଲେ ବି ସେମାନେ ନିରାଶ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe