ରାଜ୍ୟରେ ପ୍ରଥମ: ଗାଁ ଲୋକଙ୍କ ପାଇଁ ସରକାରୀ କ୍ୟାଣ୍ଟିନ

Advertisment
ରାଜ୍ୟରେ ପ୍ରଥମ: ଗାଁ ଲୋକଙ୍କ ପାଇଁ ସରକାରୀ କ୍ୟାଣ୍ଟିନ

ରାଉରକେଲା: ପଞ୍ଚାୟତ ସମିତି କାର୍ଯ୍ୟାଳୟ/ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ହଜାର ହଜାର ହିତାଧିକାରୀ ପ୍ରତ୍ୟହ ଆସିଥାନ୍ତି। କିଏ ଭତ୍ତା ଆବେଦନ ପାଇଁ ତ କିଏ ପୁଣି ଇନ୍ଦିରା ଆବାସ ମିଳୁନଥିବାରୁ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ, ପୁଣି ଜମିଜମା ସଂକ୍ରାନ୍ତୀୟ ବାଦବିବାଦ ପାଇଁ ତହସିଲ ଅଫିସକୁ ଆସିଥାନ୍ତି। ସରକାରୀ କାର୍ଯ୍ୟାଳୟରେ ଶିଥିଳ ପ୍ରକ୍ରିୟା ଯୋଗୁଁ ସେମାନଙ୍କୁ ଭୋକଉପାସରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ଅର୍ଥାଭାବଯୋଗୁଁ ଉନ୍ନତ ମାନର ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାରୁ ବଞ୍ଚିତ ହୁଅନ୍ତି। ଏମିତିକି ଅଖିଆଅପିଆ ରହି ଶୁଖିଲା ପେଟରେ ଘରକୁ ଫେରୁଥିବାର ନଜିର ରହିଛି।

ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ଜିଲ୍ଲାର ସମସ୍ତ ବ୍ଲକ ସଦରମହକୁମାକୁ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଅନୁଦାନରେ ‘ଉତ୍କଳ ଫୁଡ୍ କ୍ୟାଣ୍ଟିନ୍’ ଖୋଲାଯାଇଛି; ଯାହାକି ରାଜ୍ୟରେ ପ୍ରଥମ। ପ୍ରାୟ ଦେଢ଼ ବର୍ଷ ବର୍ଷ ପୂର୍ବେ କୁଆରମୁଣ୍ଡାରେ ଏଭଳି କ୍ୟାଣ୍ଟିନ ର ଶୁଭାରମ୍ଭ କରାଯାଇଥିବାବେଳେ ଏବେ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟଠାରେ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଡିଏମ୍‌ଏଫ୍‌ ଅନୁଦାନରେ ବ୍ଲକ ମୁଖ୍ୟାଳୟରେ କ୍ୟାଣ୍ଟିନ

ସୁଲଭ ମୂଲ୍ୟରେ ସ୍ବାସ୍ଥ୍ୟକର ଖାଦ୍ୟ ପାଇବେ ହିତାଧିକାରୀ

ଡିଏମ୍‌ଏଫ୍‌ ପକ୍ଷରୁ ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟ ପରିସରରେ କ୍ୟାଣ୍ଟିନ ପାଇଁ କୋଠା ନିର୍ମାଣ କରାଯାଉଛି। ପ୍ରାୟ ୧୦ ଲକ୍ଷ ଟଙ୍କା ବିନିମୟରେ ଏହି କ୍ୟାଣ୍ଟିନ ବିଲ୍‌ଡିଂ ନିର୍ମାଣ କରାଯାଉଛି। ଏଠାରେ ଡାଇନିଂ ହଲ୍‌, ରୋଷେଇ ଘର, ସଫାସୁତରା ପାଇଁ ସ୍ବତନ୍ତ୍ର ସ୍ଥାନ ଆଦି ଉପଲବ୍ଧ। ଏକାସାଙ୍ଗରେ ପ୍ରାୟ ୩୦ ଜଣ ବସି ଖାଇବାର ବ୍ୟବସ୍ଥା କରାଯାଉଛି। କୋଠା ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ଏହାର ପରିଚାଳନା ପାଇଁ ସ୍ବୟଂ ସହାୟକ ଗୋଷ୍ଠିଙ୍କୁ ପ୍ରଦାନ କରାଯିବ। ଏସ୍‌ଏଚ୍‌ଜିକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଛି।

ଏମିତିକି କ୍ୟାଣ୍ଟିନ ସେବା ଅବ୍ୟାହତ ରଖିବାକୁ ପ୍ରାରମ୍ଭରେ ବିଦ୍ୟୁତ, ପାଣି ଖର୍ଚ୍ଚ ମଧ୍ୟ ଖୋଦ୍‌ ଡିଏମ୍‌ଏଫ୍‌ ବହନ କରିବ। ଅପରପକ୍ଷରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବୈଷୟିକ ସହାୟତା ଦିଆଯିବ। କ୍ୟାଣ୍ଟିନ୍‌ ପରିଚାଳନା ଦାୟିତ୍ବ ହସ୍ତାନ୍ତର ପୂର୍ବରୁ ଏସ୍‌ଏଚ୍‌ଜି ସଦସ୍ୟମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯିବ। କିଭଳି କ୍ୟାଣ୍ଟିନ ପରିସର ସଫାସୁତରା ରଖିବା ସହ ଉନ୍ନତମାନର ସ୍ବାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ହେବ, କିଭଳି ଢ଼ଙ୍ଗରେ ଗ୍ରାହକ ସେବା କରାଯିବ ସେନେଇ ତାଲିମ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe