Photograph: (Deccan Herald)
ଭୁବନେଶ୍ବର: ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଘର ଗଣନା ଏବଂ ଘର ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମର ପ୍ରାକ୍ ପରୀକ୍ଷଣ ଆମ ରାଜ୍ୟରେ ଆରମ୍ଭ ହୋଇଛି। ନଭେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ଭୁବନେଶ୍ବରର ୱାର୍ଡ ନଂ-୨୨, କଟକର ୱାର୍ଡ-୧୭, ମୟୂରଭଞ୍ଜର ଠାକୁରମୁଣ୍ଡା ଏବଂ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିରେ ଏହି ସର୍ଭେ ହେଉଛି। ଆଜିଠାରୁ ଗଣନାକାରୀମାନେ ଘରକୁ ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି।
ଆରମ୍ଭ ହେଲା ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରାକ୍ ପରୀକ୍ଷଣ
୪ଟି ସ୍ଥାନରେ ୩୦ ଯାଏଁ ଚାଲିବ ଘର ଗଣନା, ଘର ତାଲିକା ପ୍ରସ୍ତୁତି
ଆଜି ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ ଏହି ୪ଟି ସ୍ଥାନ ରାଜ୍ୟ ସରକାରଙ୍କ ସହମତିରେ ଚିହ୍ନଟ କରାଯାଇଛି। ବିଭିନ୍ନ ବର୍ଗର ଲୋକ ଥିବାରୁ ଭୁବନେଶ୍ବର, ଜନଗହଳି ସ୍ଥାନ ଭାବେ କଟକ, ପିଭିଟିଜି ବର୍ଗ ଥିବାରୁ ଠାକୁରମୁଣ୍ଡା ଏବଂ ଅପହଞ୍ଚ ଅଞ୍ଚଳ ଭାବେ ତେନ୍ତୁଳିଖୁଣ୍ଟିକୁ ବଛାଯାଇଛି। ଏଠାରେ ଜନଗଣନାକାରୀ ଘରକୁ ଘର ଯାଇ ଲୋକଙ୍କୁ ୩୪ଟି ପ୍ରଶ୍ନ ପଚାରିବେ। ଯେମିତି ଘରେ କ’ଣ ସୁବିଧା ଅଛି, କେମିତି ଘର, କେତେ ଜଣ ଅଛନ୍ତି, କେତୋଟି ରୁମ୍ ଅଛି, ଘର ଚଟାଣ କେମିତି, ଘର ମୁରବି କିଏ, ଭଡ଼ା ଘର ନା ନିଜ ଘର, ପାଣି ପିଇବାକୁ କେଉଁଠୁ ଆଣନ୍ତି, ରୋଷେଇ ପାଇଁ କେଉଁ ଜାଳେଣି ବ୍ୟବହାର କରନ୍ତି, ରେଡିଓ ନା ଟିଭି ବ୍ୟବହାର କରୁଛନ୍ତି, କେତୋଟି ଫୋନ୍ ବ୍ୟବହାର କରନ୍ତି, ଲାପଟପ୍/କମ୍ପ୍ୟୁଟର ଅଛି ନା ନାହିଁ ଇତ୍ୟାଦି।
ଗଣନାକାରୀମାନେ ସେମାନଙ୍କ ସ୍ମାର୍ଟ ଫୋନ୍ରେ ଘରର ଜିଓ ଟ୍ୟାଗିଂ କରିବେ। ଘର ନଂବର ଅନୁସାରେ ସମସ୍ତ ତଥ୍ୟ ରହିବ। ଏବେ ଯେଉଁଠି ସର୍ଭେ ହେବ ଆସନ୍ତା ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ସର୍ଭେରେ ସେଠାରେ ପୁଣି ସର୍ଭେ ହେବ ବୋଲି ଶ୍ରୀ କଲ୍ୟାଣ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ହେମନ୍ତ କୁମାର ସିଂହ, ଉପନିର୍ଦ୍ଦେଶକ ହରାଧନ କର୍ମୀ, ଅଭୟ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us