ସରିଲା ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ, ୧୪୬୫ଟି ମାମଲାର ଶୁଣାଣି : ଅବହେଳା କରିଥିବା ଅଫିସରଙ୍କୁ ଦଣ୍ଡିତ କରିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

Advertisment
ସରିଲା ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ, ୧୪୬୫ଟି ମାମଲାର ଶୁଣାଣି : ଅବହେଳା କରିଥିବା ଅଫିସରଙ୍କୁ ଦଣ୍ଡିତ କରିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ମାସକ ଭିତରେ ଅଦାଲତର ନିଷ୍ପତ୍ତି କାର୍ଯ୍ୟକାରୀ ହେବ
ଫେବ୍ରୁଆରି ୨୭,୨୮ ଓ ୨୯ ଦ୍ବିତୀୟ ପର୍ଯ୍ୟାୟ ଅଦାଲତ

ଭୁବନେଶ୍ବର : କଠୋର ହେଲେ ସରକାର। ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି କ୍ଷେତ୍ରରେ ନ୍ୟାୟ ପ୍ରଦାନ କରିବାରେ ଅବହେଳା କରିଥିବା ଅଧିକାରୀଙ୍କୁ ଦଣ୍ଡିତ କରାଯିବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଦାୟୀ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଚଳିତମାସ ୨୮ ତାରିଖରୁ ଆରମ୍ଭ ହୋଇଥିବା ସରକାରୀ କର୍ମଚାରୀଙ୍କ ପ୍ରଥମ ପର୍ଯ୍ୟାୟ ପଦୋନ୍ନତି ଅଦାଲତ ଆଜି ଶେଷ ହୋଇଛି। ୩ ଦିନ ବ୍ୟାପୀ ଚାଲିଥିବା ଏହି ଅଦାଲତରେ ମୋଟ ୧୪୬୫ଟି ମାମଲାର ଶୁଣାଣି କରାଯାଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତାମାସ ଶେଷସୁଦ୍ଧା ଅଦାଲତର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ସମସ୍ତ ବରିଷ୍ଠ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତ ଆସନ୍ତାମାସ ୨୭,୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହେବ।

ଶୁକ୍ରବାର ପଦୋନ୍ନତି ଅଦାଲତର ଶେଷ ଦିନରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅଦାଲତରେ ଅଧ୍ୟକ୍ଷତା କରୁଥିବା ୬ ଜଣ ବରିଷ୍ଠ ପ୍ରାଶାସନିକ ଅଧିକାରୀ ୪୪୭ଟି ମାମଲାର ଶୁଣାଣି କରିଥିଲେ। ସେଗୁଡ଼ିକ ଜଙ୍ଗଲ ଓ ପରିବେଶ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅବକାରୀ, ସୂଚନା ଓ ଲୋକସମ୍ପର୍କ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ସମବାୟ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଗୃହ, ସାଧାରଣ ପ୍ରଶାସନ, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗର କର୍ମଚାରୀଙ୍କ ପଦୋନ୍ନତି ନେଇ ଶୁଣାଣି ହୋଇଥିଲା। ଫୁଲବାଣୀ, କୋରାପୁଟ, ଚନ୍ଦକା, ଖୋର୍ଦ୍ଧା, କେନ୍ଦୁଝର, ବାଲେଶ୍ବର ଓ ଭୁବେଶ୍ବରରୁ ଆସିଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀମାନେ ନିଜ ନିଜର ଅଭିଯୋଗ ଶୁଣାଣି ନେଇ ଖୁସିବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କର୍ମଚାରୀଙ୍କ ପଦୋନ୍ନତି ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଫଳରେ କୌଣସି ଅଦାଲତକୁ ନ ଯାଇ କର୍ମଚାରୀମାନେ ସରକାରଙ୍କ ଠାରୁ ଉଚିତ୍ ନ୍ୟାୟ ପାଇପାରିବବେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ପ୍ରଥମ ପର୍ଯ୍ୟାୟ ଅଦାଲତ ପାଇଁ ମୋଟ ୮ ହଜାର ୯୦୯ଟି ଆବେଦନ ପତ୍ର ପଞ୍ଜୀକୃତ ହୋଇଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟ ଶୁଣାଣି ପାଇଁ ୨ ହଜାର ୩୦୯ଟି ଆବେଦନକୁ ଚୟନ କରାଯାଇଥିଲା। ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କୁ ମିଶାଇ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ.ଶର୍ମା, ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ପଦୋନ୍ନତି ଅଦାଲତରେ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe