ପାଠକଙ୍କ ହାତକୁ ଆସିଲା ଯୁବ ଆଇଏଏସ୍ ଅଧିକାରୀ ଅମ୍ରିତ୍‌ ଋତୁରାଜଙ୍କ ପ୍ରଥମ କବିତା ସଂକଳନ ‘ଅବ୍ୟକ୍ତ ଅକ୍ଷର’

Advertisment
ପାଠକଙ୍କ ହାତକୁ ଆସିଲା ଯୁବ ଆଇଏଏସ୍ ଅଧିକାରୀ ଅମ୍ରିତ୍‌ ଋତୁରାଜଙ୍କ ପ୍ରଥମ କବିତା ସଂକଳନ ‘ଅବ୍ୟକ୍ତ ଅକ୍ଷର’

ଭୁବନେଶ୍ବର: ସାହିତ୍ୟରୁ ଧୀରେ ଧୀରେ ଯୁବପିଢ଼ି ଦୂରେଇ ଯାଉଥିବା ବେଳେ ‘ଅବ୍ୟକ୍ତ ଅକ୍ଷର’ ପରି ଏକ ସୁଖପାଠ୍ୟ କବିତା ବହି ରଚନା କରି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ଆଇଏଏସ୍‌ ଅଧିକାରୀ ତଥା କବି ଅମ୍ରିତ୍‌ ଋତୁରାଜ। ସେ ତାଙ୍କର ଏହି ପୁସ୍ତକରେ ବିଭିନ୍ନ ପ୍ରଂସଗକୁ ନେଇ କବିତା ରଚନା କରି ନିଜର ଅଭିଜ୍ଞତା ଓ ଅନୁଭୂତିକୁ ଢାଳି ଦେଇଛନ୍ତି। ଏପରି ଅନେକ ଅନୁଭୂତି ଥାଏ ଯାହାକୁ ବ୍ୟାଖ୍ୟା କରାଯାଇପାରେନା, ମାତ୍ର ତାହାକୁ ନେଇ କବିତା ଚରନା କରାଯାଇପାରେ। ଏହି କଥାଟିକୁ ତାଙ୍କ ବହିରେ ପ୍ରମାଣ କରିଛନ୍ତି କବି ଅମ୍ରିତ୍‌।

ସମାଜର ବିଭିନ୍ନ ସ୍ଥାନରେ, ବିଭିନ୍ନ ପରିସ୍ଥିତିରେ ଯନ୍ତ୍ରଣାକୁ ନେଇ ଜିଉଥିବା ସେହି ମଣିଷମାନଙ୍କୁ ଦେଖି କାନ୍ଦି ଉଠିଛି କବିଙ୍କ ହୃଦୟ। ନିଜ କଲମକୁ ଅସ୍ତ୍ର କରି ତାଙ୍କ ପୁସ୍ତକ ଜରିଆରେ ପ୍ରତିବାଦର ସ୍ବର ଉଠାଇଛନ୍ତି କବି। ସେ ନି‌ଜେ ବି ଅନୁଭବ କରନ୍ତି ଯେ ତାଙ୍କର ଏହି କବିତା ସବୁ ଏକ ଗୁଣ୍ଡୁଚିମୂଷାର ଭୂମିକା ରଖେ, ହେଲେ ବି ପଛଘୁଞ୍ଚା ଦେଇନାହାନ୍ତି ସେ। ସେ ଜଣେ ଯୁବ କବି ହୋଇଥ‌ିଲେ ବି ତାଙ୍କର ଏଇ ସଂକଳନରେ ଗୋଟାଏ ହେଲେ ବି ପ୍ରେମ କବିତା ଦେଖିବାକୁ ମିଳିନାହିଁ। ଏହା ଉଦ୍ଦେଶ୍ୟମୂଳକ ଭାବେ ନହେଲେ ବି, ସମାଜରେ ଅବହେଳିତ ବର୍ଗଙ୍କ ପ୍ରତି ତାଙ୍କ ମନରେ ଥିବା ସମବେଦନା ହୁଏତ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିସୀମାର ବାହାରକୁ ଯିବାକୁ ଦେଇନାହିଁ।

କବି ଅମ୍ରିତ୍‌ ଋତୁରାଜଙ୍କ ଜନ୍ମ ୧୯୯୨ ମସିହା ମେ ୧୦ ତାରିଖରେ। ତାଙ୍କର ପିଲାଦିନ କୋରାପୁଟର ବିଭିନ୍ନ ସ୍ଥାନରେ କଟିଥିବା ବେଳେ ଜନ୍ମ ନବରଙ୍ଗପୁରରେ।  ସେ ରାଜନୀତି ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର କ୍ରମାନୁସାରେ କଟକର ରେଭେନ୍ସା ବିଶ୍ବବିଦ୍ୟାଳୟ ଓ ଦିଲ୍ଲୀର ଜବାହାରଲାଲ୍‌ ନେହେରୁ ୟୁନିଭରସିଟି (ଜେଏନ୍‌ୟୁ)ରେ କରିଛନ୍ତି। ସେ ୨୦୧୫ ମସିହାରେ ଓଡ଼ିଶା କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ ବନି ପାରିଛନ୍ତି। ସଂପ୍ରତି ସେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।  ‘ଅବ୍ୟକ୍ତ ଅକ୍ଷର’ ହେଉଛି ତାଙ୍କର ପ୍ରଥମ କବିତା ବହି ଏବଂ ଏଥିରେ ସମୁଦାୟ ୩୦ଟି କବିତା ସ୍ଥାନ ପାଇଛି। ବ୍ଲାକ୍ ଇଗଲ ପବ୍ଲିକେସନ୍ ଏହାର ପ୍ରକାଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe