ସାମସ୍‌ ପାଇଁ ନଷ୍ଟ ହେଉଛି ପ୍ରଥମ ସେମିଷ୍ଟର!

୩ ମାସ ବିଳମ୍ବରେ ଆରମ୍ଭ ହେଉଛି ପାଠପଢା, ଦୀର୍ଘ ମାସ ପରେ ବି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ମିଳୁନି ନାମଲେଖା ଟଙ୍କା

ସାମସ୍‌ ପାଇଁ ନଷ୍ଟ ହେଉଛି ପ୍ରଥମ ସେମିଷ୍ଟର!

India TV

କଟକ : ‘ସାମସ୍‌ ବା ‘ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ କଲେଜ ବା ବିଶ୍ବବିଦ୍ୟାଳୟରେ ସହଜ ନାମଲେଖା ଯୋଜନା ଏବେ ସମସ୍ୟାର କାରଣ ହୋଇଛି। ଉକ୍ତ ପ୍ରକ୍ରିୟାରେ ଜଣେ ଛାତ୍ର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଥରେ ଫର୍ମ ପକାଇବେ, ଥରେ ନାମ ଲେଖାଇବେ ଓ ଥରେ ପ୍ରବେଶିକା ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏଥିରେ ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ଏବେ ନାମଲେଖା ପ୍ରକ୍ରିୟା ୧୫ ଦିନ ବଦଳରେ ୩ ମାସରୁ ଅଧିକ ଦିନ ଲାଗି ଯାଉଛି। ଫଳରେ ବହୁ ଛାତ୍ରଛାତ୍ରୀ ଫାଷ୍ଟ ସେମି‌ଷ୍ଟର ଦେବାରୁ ବି ବଞ୍ଚିତ ହେଉଛନ୍ତି।

ରାଜ୍ୟ ସରକାର ୨୦୦୯-୨୦୧୦ ଶିକ୍ଷା ବର୍ଷରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ କଲେଜରେ ନାମଲେଖା ପ୍ରକ୍ରିୟାକୁ ସରଳ କରିବା ପାଇଁ ଆରମ୍ଭ କରିଥିଲେ ‘ସାମସ୍‌ ବ୍ୟବସ୍ଥା। ଉକ୍ତ ବ୍ୟବସ୍ଥାରେ ଜଣେ ଛାତ୍ର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଏକାଧିକ ଫର୍ମ ନପକାଇ ଗୋଟିଏ ଫର୍ମ‌୍ ପକାଇବା ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରକ୍ରିୟାରେ ଦୁଇ ମାସ ମଧ୍ୟରେ ନାମଲେଖା ପ୍ରକ୍ରିୟା ସଂପୂର୍ଣ୍ଣ ଶେଷ ହେବାର ଯୋଜନା ଥିଲା। କିନ୍ତୁ ଏବେ କ୍ଲାସ ଆରମ୍ଭ ହେବାର ୨ ମାସରୁ ଅଧିକ ଦିନ ପରେ ବି ନାମଲେଖା ପ୍ରକ୍ରିୟା ଶେଷ ହେଉନାହିଁ। ୨୦୨୧-୨୦୨୨ ଶିକ୍ଷା ବର୍ଷ‌ର ନଭେମ୍ବର ୧୫ରେ କ୍ଲାସ୍‌ ଆରମ୍ଭ ହୋଇଥିବା ବେଳେ ନାମଲେଖା ପ୍ରକ୍ରିୟା ୨୦୨୨ ଜାନୁଆରି ୨୫ ପର୍ଯ୍ୟନ୍ତ ଚାଲିଥିଲା।

ଅନ୍ୟପଟେ ଗୋଟିଏ ଶିକ୍ଷା ବର୍ଷରେ ଦୁଇଟି ସେମିଷ୍ଟର ଜୁଲାଇରୁ ଡିସେମ୍ବର ଓ ଜାନୁଆରିରୁ ଜୁନ୍‌ ରହିଛି। ସାମସ୍‌ ବ୍ୟବସ୍ଥାରେ ୫ରୁ ୬ଟି ପର୍ଯ୍ୟାୟରେ ନାମଲେଖା ଯାଉଥିବାରୁ ଜୁଲାଇ ବଦଳରେ ନଭେମ୍ବର ମାସରେ କ୍ଲାସ୍‌ ଆରମ୍ଭ ହେଉଛି। ବ୍ୟବସ୍ଥାର ‘ସ୍ଲାଇଡିଂ ଅପ୍‌ ସିଷ୍ଟମ୍‌‌‌ରେ ମଧ୍ୟ ସମସ୍ୟା ହେଉଛି। ଜଣେ ଛାତ୍ର କଲେଜରେ ନାମ ଲେଖାଇବା ପରେ ତାଙ୍କ ପସନ୍ଦର କଲେଜରେ ସିଟ୍‌ ମିଳିଲେ ତାଙ୍କୁ ନାମ ଲେଖାଇଥିବା କଲେଜରୁ ଟିସି ନେଇ ନୂଆ କଲେଜକୁ ଯିବାକୁ ପଡୁଛି। ଏପରି ସ୍ଥଳରେ ବହୁ ଛାତ୍ରଛାତ୍ରୀ ସେମାନଙ୍କ ପସନ୍ଦର କଲେଜରେ ନାମ ଲେଖାଇବା ପାଇଁ ଏକାଧିକ ‌କଲେଜକୁ ଯାଇ ନାମ ଲେଖାଇବାକୁ ପଡୁଛି। ଏଥିରେ ଅଭିଭାବକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ବେଳେ ବହୁ ସମୟ ନଷ୍ଟ ହେଉଛି। ନାମଲେଖା ପାଇଁ ୩୦ ପ୍ରତିଶତ କ୍ୟାରିୟର ମାର୍କ ଓ ୭୦ ପ୍ରତିଶତର ପ୍ରବେଶିକା ପରୀକ୍ଷା(ସିଜିପିଏ)ର ମାର୍କ ରହିବାର ନିୟମ ରହିଛି। ମାତ୍ର ଏହାକୁ ଅନେକ କ୍ଷେତ୍ରରେ ପାଳନ କରାଯାଉ ନଥିବାର ଅଭିଯୋଗ ‌ହୋଇଛି। ସେହିପରି ଗୋଟିଏ ସମସ୍ୟାର ସାମାଧାନ ପାଇଁ ଛାତ୍ରଛାତ୍ରୀଙ୍କୁ ସାମସ୍‌ ପକ୍ଷରୁ ଏକାଧିକ ଉତ୍ତର ମିଳୁଛି। ଏପରିକି ଗୋଟିଏ କଲେଜରୁ ଟିସି ନେଇ ଅନ୍ୟ କଲେଜରେ ଟଙ୍କା ଦାଖଲ କରି ନାମ ଲେଖାଇବାର ଦୀର୍ଘ ମାସ ପରେ ବି ପ୍ରଥମ କଲେଜରୁ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରୁ ନାହିଁ। ଚଳିତ ଶିକ୍ଷା ବର୍ଷରେ ପିଜି‌ରେ ନାମ ଲେଖାପାଇଁ ଆସନ୍ତା ୨୭ରେ ସାମସ୍‌ ସାଇଟ୍‌ରେ ଆବେଦନପତ୍ର ମିଳିବ। ତେବେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ସାମସ୍‌ର କୋର କମିଟିରେ ନାମଲେଖା ଉପରେ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ରଖିବା ସହ ଅନ୍‌ଲାଇନ୍‌ରେ ଥରେ ନାମ ଲେଖା ପରେ ଏହାକୁ ଅଫ୍‌ଲାଇନ୍‌ରେ କରିବା ବ୍ୟବସ୍ଥାକୁ ବନ୍ଦ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe