ପବଲା ଦେଖିଲା ପଢ଼ୁଆ ଝିଅ, ପ୍ରଥମ ଥର ଦଶମ ପାସ୍ କଲେ ଛାତ୍ରୀ

Advertisment
ପବଲା ଦେଖିଲା ପଢ଼ୁଆ ଝିଅ, ପ୍ରଥମ ଥର ଦଶମ ପାସ୍ କଲେ ଛାତ୍ରୀ

Jagran Josh

ଅନୁଗୁଳ: ନାହିଁ ନାହିଁର ଗାଁ ପବଲା ଦିନେ ବିଭିନ୍ନ କାରଣରୁ ଅପବାଦ ମୁଣ୍ଡାଇଥିଲା। କିନ୍ତୁ ଏବେ ଏହି ଗାଁ ପୁଣି ଚର୍ଚ୍ଚାରେ। ଅବଶ୍ୟ ଏଥର ଭଲ ଖବର ପାଇଁ। ଏହି ଗାଁରୁ ଚଳିତବର୍ଷ ୩ ଜଣ ଛାତ୍ରୀ ଦଶମ ପରୀକ୍ଷା ଦେଇଥିଲାବେଳେ ସମସ୍ତେ ପାସ୍ କରିଛନ୍ତି। ଏହାସହିତ ପ୍ରଥମ ଥର ପାଇଁ ଏହି ଗାଁରୁ କୌଣସି ଝିଅ ଦଶମ ପାସ୍ କରିବାର ଉଦାହରଣ ସୃଷ୍ଟି କରିଛନ୍ତି।

ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତରେ ରହିଛି ପବଲା ଗାଁ। ବିଭିନ୍ନ ଦିଗରୁ ଅବହେଳିତ ଏହି ଗାଁକୁ ଏବେ ବି ନିତିଦିନିଆ ରାସ୍ତା ଖଣ୍ଡେ ନାହିଁ। ଅନୁଗୁଳ ବ୍ଳକ ନନ୍ଦପୁର ପଞ୍ଚାୟତର ଏହି ଗାଁ ସଦର ମହକୁମାରୁ ମାତ୍ର ୨୫ କିମି ଦୂରରେ ରହିଥିଲେ ମଧ୍ୟ ଗାଁରେ ଅଙ୍ଗନବା‌ଡ଼ି କେନ୍ଦ୍ର କିମ୍ବା ବିଦ୍ୟାଳୟ ନାହିଁ। ଗାଁରୁ ଜଣେ ହେଲେ ବି ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉ ନ ଥିଲାବେଳେ ବନ୍ୟପ୍ରାଣୀଙ୍କ ଭୟ ଭିତରେ ଅଳ୍ପ ପିଲା ବିଦ୍ୟାଳୟକୁ ଯାଆନ୍ତି। ଗାଁରେ ୨୨ଟି ପରିବାରରେ ପାଖାପାଖି ଶହେ ଲୋକ ରହୁଥିବା ଏହି ଗାଁର ୯୦ ପ୍ରତିଶତ ଲୋକ ଅନୁସୂଚିତ ଜନଜାତିର। ତେଣୁ ଗାଁରେ ଶିକ୍ଷା ଓ ସଚେତନତାର ଅଭାବ ରହିଛି। ଶିକ୍ଷା ପାଇଁ ପିଲାମାନେ ଆଗ୍ରହ ପ୍ରକାଶ କରୁ ନ ଥିଲେ।

ଏପରିକି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ପବଲା ଗ୍ରାମରୁ କେହି ଦଶମ ଡେଇଁ ନ ଥିଲେ। ୨୦୧୯ ମସିହାରେ ଗାଁର ସିଦ୍ଧାନ୍ତ ପଧାନ ପ୍ରଥମ ଥର ପାଇଁ ଦଶମ ପାସ୍‌ କରିଥିଲେ। ତେବେ ଗାଁରେ ଝିଅ ପିଲାଙ୍କ ପାଠପଢ଼ା ପାଇଁ ବିଶେଷ ପ୍ରୋତ୍ସାହନ  ଥିଲା। ପାଖରେ ବି ବିଦ୍ୟାଳୟ ନ ଥିବାରୁ ପିଲାମାନେ ପଢ଼ିବାକୁ ଯାଉ ନ ଥିଲେ। ଏମିତି ଯାବତୀୟ ପ୍ରତିକୂଳ ପରିବେଶରେ ଗାଁରୁ ରେବତୀ ପଧାନ, ବୃନ୍ଦି ପଧାନ ଓ ପାବନୀ ପଧାନ ଗାଁ ଛାଡ଼ି ଆସି ପୁରୁଣାଗଡ଼ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେଠାରେ ଥିବା ଏକ ହଷ୍ଟେଲରେ ଏହି ୩ଜଣ ରହି ପଢ଼ୁଥିଲାବେଳେ ଚଳିତବର୍ଷ ଦଶମ ପରୀକ୍ଷା ଦେଇଥିଲେ।  ଆଉ ସମସ୍ତେ ପାସ୍‌ କରିଛନ୍ତି।

ଏହାସହିତ ଗାଁର ଜଣେ ଛାତ୍ର ମଧ୍ୟ ଏଥର ଦଶମ ପାସ୍‌ କରିଛନ୍ତି। ବୃନ୍ଦି ପଧାନ ୩୧୦, ପାବନୀ ପଧାନ ୩୦୪ ଓ ରେବତୀ ପଧାନ ୨୮୫ ନମ୍ବର ରଖି ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।  ସୁଯୋଗ ମିଳିଲେ କଲେଜରେ ପାଠ ପଢିବା ସହ ଗାଁରେ ଶିକ୍ଷାର ବିକାଶ କରିବା‌ ଦିଗରେ କାମ କରିବୁ ବୋଲି ଏହି ଛାତ୍ରୀମାନେ କହିଛନ୍ତି।  ଅପରପକ୍ଷରେ ଚଳିତ ବର୍ଷ ମୋଟ ୪ଜଣ ଛାତ୍ରଛାତ୍ରୀ ଦଶମ ପାସ କରିଥିବାରୁ ଗ୍ରାମବାସୀ ଆନନ୍ଦ ପ୍ରକାଶ କରିଛନ୍ତି। ଆଗକୁ ଗାଁରୁ କେମିତି ଅଧିକ ପିଲା ପଢ଼ି ଶିକ୍ଷିତ ହେବେ ସେଥିନେଇ ପଦକ୍ଷେପ ନେବାକୁ ସେମାନେ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି।

ସୂଚନା ଯେ, ପବଲା ଗାଁର ପିଲାମାନେ ପଢ଼ିବା ପାଇଁ ପାଖାପାଖି ୪ କିମି ଦୂରରେ ଥିବା କରତପଟା ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ଆଉ ଉଚ୍ଚ ବିଦ୍ୟାଳୟକୁ ଯିବାକୁ ହେଲେ ନନ୍ଦପୁର କିମ୍ବା ପୁରୁଣାଗଡ଼ ଯିବାକୁ ପଡେ। ପୁଣି ବିଦ୍ୟାଳୟକୁ ଯିବା ପାଇଁ ଥିବା ରାସ୍ତାଟି ଅତି ଶୋଚନୀୟ। ବର୍ଷା ଦିନେ ଏହି ରାସ୍ତାରେ ଯିବା ସମ୍ଭବ ହେଉ ନ ଥିଲାବେଳେ  ବର୍ଷ ତମାମ ବନ୍ୟପ୍ରାଣୀଙ୍କ ଭୟ। ତେଣୁ ଅଧିକାଂଶ ପିଲାଙ୍କ ପାଠ ପଢାରେ ଅଧାରୁ ଡୋରି ବନ୍ଧା ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe