ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

Advertisment
ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

Sambad English

ସମ୍ବଲପୁର : ଓଡ଼ିଶା ରାଜ‌ନୀତିରେ ରାଜପରିବାର ତଥା ଅନେକ ପ୍ରତିପତ୍ତିଶାଳୀ ପରିବାରର ସଦସ୍ୟ ପ୍ରଭାବ ବିସ୍ତାର କରି ଆସିଛନ୍ତି। ତେବେ ପଙ୍କରୁ ପଦ୍ମ ଫୁଟିବା ଭଳି ଆଦିବାସୀ ଅଧ୍ୟୁଷିତ ଏକ ପଛୁଆ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ହେମାନନ୍ଦ ବିଶ୍ବାଳ ଓଡ଼ିଶା ରାଜନୀତିର ଶୀର୍ଷରେ ପହଞ୍ଚି ପାରିଥିଲେ। ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ବିରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ବନାଥ ଦାସ, ନନ୍ଦିନୀ ଶତପଥୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ୧୨ତମ ବ୍ୟକ୍ତି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ହେମାନନ୍ଦ। ଏହା ସହ ସେ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲେ।

ସ୍ବଳ୍ପ ଅବଧି ପାଇଁ ଦୁଇଥର ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ହେମାନନ୍ଦ ରାଜ୍ୟର ଉପମୁଖ୍ୟମନ୍ତ୍ରୀ, ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ସାଂସଦ ଭାବେ ଲୋକଙ୍କ ସେବା କରିଥିଲେ। ଭୂୟାଁ ଜନଜାତିର ହେମାନନ୍ଦ ଓଡ଼ିଶାର ଜଣେ ବିଶିଷ୍ଟ ଆଦିବାସୀ ନେତା ଭାବେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ପଶ୍ଚିମ ଓଡ଼ିଶା, ବିଶେଷ କରି ଅବିଭକ୍ତ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ଦଳର ମେରୁ ଖୁଣ୍ଟ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବଳିଷ୍ଠ ନେତୃତ୍ବ ବଳରେ ଏହି ଅଞ୍ଚଳ ପ୍ରାୟ ଅର୍ଧଶତାବ୍ଦୀ ଧରି କଂଗ୍ରେସର ଗଡ଼ ହୋଇ ରହିଥିଲା। ୧୯୭୪ରୁ ୭୭ ମସିହା ପର୍ଯ୍ୟନ୍ତ ପ୍ରଥମ ଥର ତଥା ୧୯୮୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଲଗାତାର ଆଉ ୫ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସେ ୬ ଥର ବିଧାୟକ ହୋଇଥିଲେ। ୨୦୦୯ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମୋଟ ୩୨ ବର୍ଷ ସେ ସାଂସଦ ଓ ବିଧାୟକ ରହିଥିଲେ। ଏହା ପୂର୍ବରୁ ୪ ବର୍ଷ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe