ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ମର୍ଯ୍ୟାଦାଜନକ ପୁରସ୍କାର ବିଜେତା ହେବେ ସମ୍ବର୍ଦ୍ଧିତ

Advertisment

ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ

ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ମର୍ଯ୍ୟାଦାଜନକ ପୁରସ୍କାର ବିଜେତା ହେବେ ସମ୍ବର୍ଦ୍ଧିତ

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବ୍ରୁଆରି ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଦେଶ ବିଦେଶର ଐତିହାସିକ, ଭାଷାବିତ, ଗବେଷକ, ବୁଦ୍ଧିଜୀବୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଯୋଗଦେଇ ଓଡ଼ିଆ ଭାଷାର ମହନୀୟ ଅତୀତ ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରିବେ। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭାଷା, ସାହିତ୍ୟ, କଳାକୃତି ଆଦି କ୍ଷେତ୍ରରେ ଅବଦାନ ଥିବା ତଥା ବିଭିନ୍ନ ପୁରସ୍କାର ବିଜେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଐତିହାସିକ ପଦ୍ମଶୀ ହରମାନ୍‌ କୁଲ୍‌କେଙ୍କ ସମେତ ପଦ୍ମ ପୁରସ୍କାର ବିଜେତା ୫୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିଭଳି ଜ୍ଞାନପୀଠ ପୁରସ୍କାର ବିଜେତା ଓ ଜୀବନବ୍ୟାପୀ ସାଧନା ନିମନ୍ତେ ମଧ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ପୁରସ୍କୃତ କରାଯିବ। ଏତଦବ୍ୟତୀତ କେନ୍ଦ୍ର ସାହିତ୍ୟ ଅକାଦେମି, ସରସ୍ବତୀ ସମ୍ମାନ ଓ ମୂର୍ତ୍ତିଦେବୀ ପୁରସ୍କାରପ୍ରାପ୍ତ ବିଜେତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଅନ୍ୟପକ୍ଷରେ ଜୟଦେବ, ଧର୍ମପଦ, ଅତିବଡ଼ୀ ଜଗନ୍ନାଥ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଏହି ସମ୍ମିଳନୀକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସ୍ୱରୂପ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର, ପ୍ରଥମ ପ୍ରିଣ୍ଟିଂ ପ୍ରେସ୍‌ ଓ ବିଭିନ୍ନ କଳାକୃତି ଆଦି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ କଳାକୃତିକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି। ଏଥିରେ ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ
ରାଜ୍ୟର ସମସ୍ତ ପୌରାଞ୍ଚଳମାନଙ୍କରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ମହାନଗର ନିଗମର କମିସନର, ପୌର ପରିଷଦ ଓ ଏନ୍ଏସିର ନିର୍ବାହୀ ଅଧିକାରୀମାନଙ୍କୁ ପତ୍ର ଲେଖିବା ସହ ଆଭାସି ମାଧ୍ୟମରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ବ୍ୟାପକ ସଚେତନତା ନିମନ୍ତେ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଅବଦାନ ରଖିଥିବା ପ୍ରସିଦ୍ଧ କବି, ଲେଖକ ଓ ଭାଷାବିତ୍‌ଙ୍କ ପରି ଓଡ଼ିଆ ବ୍ୟକ୍ତିତ୍ୱମାନଙ୍କ ଚିତ୍ର/ଛବିର ପେଣ୍ଟିଂ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରମୁଖ ସ୍ଥାନଗୁଡ଼ିକରେ ରଖିବା, ଓଡ଼ିଆ ଗବେଷକ, ବିଦ୍ୱାନ ଓ ବୁଦ୍ଧିଜୀବୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ସମ୍ବର୍ଦ୍ଧିତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ତର୍କ, ପ୍ରବନ୍ଧ ଓ ବତ୍କୃତା ପ୍ରତିଯୋଗିତା କରିବା, ସ୍ୱାୟତ୍ତ ଶାସନ ସଂସ୍ଥାର ବିଭିନ୍ନ ୱାର୍ଡରେ ଓଡ଼ିଆ ଅସ୍ମିତା ରଥର ପରିକ୍ରମା କରିବା, ଓଡ଼ିଆରେ ସାଇନ୍‌ବୋର୍ଡ/ବିଲ୍‌ବୋର୍ଡ/ ହୋର୍ଡିଂଗୁଡ଼ିକ ଲେଖାଯିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe