ବରଫ କଳରେ  ମାଛ ଗୋଦାମ, ନାଳରେ ପକାଉଛନ୍ତି ବର୍ଜ୍ୟ, କାର୍ଯ୍ୟାନୁଷ୍ଠାନ ଶୂନ

Advertisment
ବରଫ କଳରେ  ମାଛ ଗୋଦାମ, ନାଳରେ ପକାଉଛନ୍ତି ବର୍ଜ୍ୟ, କାର୍ଯ୍ୟାନୁଷ୍ଠାନ ଶୂନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌରପାଳିକା ୧୯ ନମ୍ବର ୱାର୍ଡ  ଆଦର୍ଶନଗର ମୁଖ୍ୟ ରାସ୍ତା କଡ଼ରେ ଥିବା ଜେ.ବି. ବରଫ କଳ (ଆଇସ ପ୍ଲାଣ୍ଟ)କୁ ମାଲିକ ମାଛ ଗୋଦାମ କରିଥିବା ଅଭିଯୋଗ ହୋଇଥିଲା।  ପ୍ରତିଦିନ  ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଭାରୀଯାନରେ ଶହ ଶହ ଟନ୍  ବରଫଦିଆ ମାଛ ଆସି ଏଠାରେ ବିକ୍ରି ହେଉଥିବା ବେଳେ  ମାଛ ଗୋଦାମର ଗନ୍ଧରେ ସ୍ଥାନୀୟ ଲୋକେ ଅଣନିଃଶ୍ବାସୀ ହୋଇପଡ଼ିଛି। ଏହା ମଧ୍ୟରେ ଗୋଦାମ ମାଲିକ ରାଣୀବଗିଚା ସ୍ବର୍ଗଦ୍ବାର ନିକଟ ନାଳରେ ମାଛ ବର୍ଜ୍ୟ ଫିଙ୍ଗି ଦେଉଥିବାରୁ ସେ ସ୍ଥାନରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।

ଏହା ଛଡ଼ା ବର୍ଷା ଦିନେ ତାହା  ଇବନଦୀରେ ମିଶି ପାଣି ଦୂଷିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଲୋକଙ୍କ ଅଭିଯୋଗ ପରେ  ପୂର୍ବତନ ପୌର ନିର୍ବାହୀ ଅଧିକାରୀ ତଦନ୍ତରେ ଆସିଥିଲେ ମଧ୍ୟ ଏଯାଏ ମାଛ ଗୋଦାମ ମାଲିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଯାହା ପଡ଼ାବାସୀଙ୍କୁ ଅସନ୍ତୁଷ୍ଟ କରିଛି। ଅଭିଯୋଗ ଅନୁସାରେ, ୪ ବର୍ଷ ତଳେ ଆଦର୍ଶନଗର ମୁଖ୍ୟ ରାସ୍ତା କଡ଼ରେ ଜେ.ବି. ବରଫ କଳ (ଆଇସ ପ୍ଲାଣ୍ଟ) ନାମରେ ଏକ ପ୍ରତିଷ୍ଠାନ ଆରମ୍ଭ ହୋଇଥିଲା।

ଏଥିରେ ବରଫ ତିଆରି ହେବ ବୋଲି ସ୍ଥାନୀୟ ଲୋକଙ୍କ ଧାରଣା ଥିଲା। ପ୍ରଥମ ବର୍ଷ କେବଳ ବରଫ ତିଆରି ହେଲା।  କିନ୍ତୁ ପରବର୍ତ୍ତୀ ବର୍ଷ ଠାରୁ  କାରଖାନା ମାଲିକ ବରଫ ତିଆରି ସାଙ୍ଗକୁ ଏଠାରେ ମାଛ ବେପାର ଆରମ୍ଭ କରିଦେଲେ। ଗତ  ୩ ବର୍ଷ ହେଲା ପ୍ରତିଦିନ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରୁ ଦଶଚକିଆ ଭାରୀଯାନରେ ଟ୍ରକ ଟ୍ରକ ବରଫଦିଆ ମାଛ ଏହି ଗୋଦାମକୁ ଆସିଥାଏ। ମାଛଗୁଡ଼ିକୁ  ସୋଲ ବା ଥର୍ମୋକୁଲରେ ତିଆରି ଏକ ଡବାରେ ବରଫ ଭିତରେ ଭର୍ତ୍ତି କରି ଅଣାଯାଉଥିବା ବେଳେ ବିକ୍ରି ହୋଇଗଲା ପରେ ପଡ଼ାର ଏକ ଖାଲି ସ୍ଥାନରେ ଭଙ୍ଗା ଥର୍ମୋକୁଲ ଡବାଗୁଡ଼ିକୁ ମାଲିକ ପକାଇ ଦେଉଥିବା ଅଭିଯୋଗ ରହିଛି। କାଳବୈଶାଖୀର ଧୁଳି ଝଡ଼ ଓ ପବନରେ ଥର୍ମୋକୁଲ ଡବା ଭଙ୍ଗା ଅଂଶ ରାସ୍ତାରେ ଉଡ଼ିବା ସହ ଘର ଭିତରେ ରନ୍ଧାଘର ଓ ପୂଜାଗୃହକୁ  ମଧ୍ୟକୁ ପଶି  ଯାଉଥିବା ପ୍ରକାଶ ପାଇଛି।

ରାସ୍ତାର ଉଭୟ ପାର୍ଶ୍ବରେ ଏହି ଭଙ୍ଗା ଅଂଶକୁ  ଗଦା କରି ଦିଆଯାଉଥିବାରୁ ସ୍ଥାନୀୟ ପରିବେଶ ସର୍ବଦା ଅଳିଆ, ଆବର୍ଜନାମୟ ହୋଇ ରହୁଛି। ଏହା ଛଡ଼ା ଟ୍ରକରୁ ମାଛ ଓହ୍ଲାଇବା ପରେ ଆଇଁଷିଆ ଓ ପଚା ଗନ୍ଧରେ ପରିବେଶ ପୂତିଗନ୍ଧମୟ  ହୋଇ ପଡ଼ୁଥିବା ପଡ଼ାଲୋକେ ଅଭିଯୋଗ କରିଛନ୍ତି। ଏହି କାରଣରୁ  ଗୋଦାମ ଚାରି କଡ଼େ ଥିବା ଘରଗୁଡ଼ିକ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ସେହିପରି ମାଛର କାତି ଓ ଅବଶିଷ୍ଟାଂଶ ଆଦର୍ଶନଗଠାରୁ ବାଏପାସକୁ ସଂଯୋଗ କରୁଥିବା ରାସ୍ତାର  ଏକ ଖାଲୁଆ ଜମି ଓ ସ୍ବର୍ଗଦ୍ବାର ନାଳରେ  ଫିଙ୍ଗି ଦେଉଥିବାରୁ ସେ ରାସ୍ତା ଦେଇ ଯାତାୟତ କରିବା ଅସମ୍ଭବ ହୋଇପଡ଼ିଛି।  ଲୋକେ ଏହାର ପ୍ରତିବାଦ କରିବା ସହ ମାଛ ଗୋଦାମ ଅନ୍ୟତ୍ର ସ୍ଥାନାନ୍ତର କରିନେବାକୁ ଦାବି କରି ଆସୁଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନାର ଖୋଲା ଉଲଂଘନ ହେଉଥିବା  ବେଳେ ପୌର କର୍ତ୍ତୃପକ୍ଷଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe