ଜୁଆର ମାଡ଼ରେ ଭାସିଗଲେ ମତ୍ସ୍ୟଜୀବୀ

Advertisment
ଜୁଆର ମାଡ଼ରେ ଭାସିଗଲେ ମତ୍ସ୍ୟଜୀବୀ

iStock

ରାଜନଗର : ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ସମୁଦ୍ର ଭିତରେ ଥିବା ବାଲିଚଢ଼ାକୁ ଓହ୍ଲାଇ ଜାଲର ଦଉଡ଼ି ଟାଣୁଥିବା ବେଳେ ଜୁଆର ମାଡ଼ରେ ସେ ଭାସି ଯାଇଥିବା ଜଣାପଡ଼ିଛି। ୧୨ଘଣ୍ଟା ବିତିଯାଇଥିଲେ ବି ତାଙ୍କର କୌଣସି ଖୋଜଖବର ମିଳିପାରି ନାହିଁ। ସମୁଦ୍ର ଭିତରେ ୫/୭ଟି ଟ୍ରଲର୍‌ ଓ ବୋଟ୍‌ରେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରାଯାଉଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳି ପା‌ରିନାହିଁ।

ସୂଚନା ମୁତାବକ, ତାଳଚୁଆ ସାମୁଦ୍ରିକ ଥାନା ଅହିରାଜପୁର ଗାଁର ମନୋରଂଜନ ମଣ୍ତଳଙ୍କ ବୋଟ୍‌ରେ ୮ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥିଲେ। ୨ତାରିଖ ଦିନ ରାତି ୧୦ଟାରେ ପ୍ରଭାତୀଘାଟରୁ ବାବୁବାଲି ନିକଟକୁ ଏହି ବୋଟ୍‌ ମାଛ ମାରିବାକୁ ଯାଇଥିଲା। ସେଥିରେ ୮ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରେ ପ୍ରଭାତୀ ଗାଁର ରଣଜିତ ଭୂୟାଁ (୪୩) ଥିଲେ। ଆଜି ସକାଳ ପ୍ରାୟ ସାଢେ ୭ଟା ବେଳେ ବାବୁବାଲି ନିକଟରେ ବାଲିଚଢ଼ାରେ ରଣଜିତ ଓହ୍ଲାଇ ଜାଲର ଦଉଡ଼ି ଟାଣୁଥିବା ବେଳେ ହଠାତ୍‌ ସମୁଦ୍ର ଜୁଆର ତାଙ୍କୁ ଭସାଇ ନେଇଥିଲା। ସାଥୀ ମତ୍ସ୍ୟଜୀବୀମାନେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲେ। ଏ ନେଇ ବୋଟ୍‌ ମାଲିକଙ୍କୁ ଖବର ଦେବା ପରେ ଅନ୍ୟ ବୋଟ୍‌ ଓ ଟ୍ରଲର ପହଞ୍ଚି ସଂଧ୍ୟା ଯାଏ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ରଣଜିତଙ୍କୁ ଠାବ କରିପାରି ନାହାନ୍ତି। ବୋଟ୍‌ମାଲିକଙ୍କ ପୁଅ ସପନ ଜେନାଙ୍କ ସୂଚନା ମୁତାବକ, ସକାଳ ୭ଟାରୁ ରଣଜିତ ସମୁଦ୍ରରେ ଭାସି ଯାଇଛନ୍ତି। ତାଙ୍କୁ ଖୋଜାଖୋଜି ଜାରି ରହିଛି। ସୂଚନାଯୋଗ୍ୟ ଯେ, ଜୁନ୍‌ ୧୭ ତାରିଖରେ ତାଳଚୁଆ ଅଂଚଳର ‘ଉପାସନା–୧’ ନାମକ ଟ୍ରଲର ଗଭୀର ସମୁଦ୍ରରେ ବୁଡ଼ିଯାଇଥିଲା। ଖୋଜାଖୋଜି ପରେ ୧୨ଜଣ ମତ୍ସ୍ୟଜୀବୀଉଦ୍ଧାର ହୋଇଥିଲେ। ମାତ୍ର ପଟାପାରିଆଗାଁର ରାଧାନାଥ ଭୂୟାଁ (୬୦)ଙ୍କ ପତ୍ତା ମିଳିନଥିଲା। ଆଜିଯାଏ ରାଧାନାଥ ନିଖୋଜ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe