ସମୁଦ୍ର ଆଁରେ ରାମେୟାପଟଣା : ୨୨ ଶୁଖୁଆ ଖଳା, ମତ୍ସଜୀବୀ ଆଶ୍ରୟ ସ୍ଥଳ ଭସାଇ ନେଲା

Advertisment
ସମୁଦ୍ର ଆଁରେ ରାମେୟାପଟଣା : ୨୨ ଶୁଖୁଆ ଖଳା, ମତ୍ସଜୀବୀ ଆଶ୍ରୟ ସ୍ଥଳ ଭସାଇ ନେଲା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅର୍ନ୍ତଗତ ରାମେୟାପଟଣା ନିକଟରେ ସମୁଦ୍ର ଉଗ୍ରରୂପ ଧାରଣ କରିଛି। ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ବାହୁଦା ନଦୀ ମୁହାଣ ବାରମ୍ବାର ଗତିପଥ ବଦଳାଇବା ଫଳ‌ରେ ଗାଁ ଆଡକୁ ସମୁଦ୍ର ମାଡି ଆସି ଏଭଳି ସ୍ଥିତି ଉପୁଜିଛି।

ଚିକିଟି ବ୍ଲକ ଅର୍ନ୍ତଗତ କତୁରୁ ପଞ୍ଚାୟତର ସମୁଦ୍ରକୂଳରେ ରହିଛି ରାମେୟାପାଟଣା। ଏଠାରେ ୫୫୦ ମତ୍ସ୍ୟଜୀବୀ ପରିବାର ବାସ କରୁଛନ୍ତି। ପ୍ରାୟ ୧୧୦ ପରିବାର ସମୁଦ୍ର କୂଳକୁ ଲାଗି ଘର କରିଛନ୍ତି। ଗାଁ ଠାରୁ ୨କିମି ଦୂରରେ ବାହୁଦା ନଦୀ ମୁହାଣ ରହିଥିଲା। ୨୦୦୮ ମସିହାରେ ପ୍ରଥମେ ବାହୁଦା ମୁହାଣ ଗତିପଥ ପରିବର୍ତ୍ତନ ଯୋଗୁଁ ରମେୟାପାଟଣା ଗାଁ ଆଡକୁ ମୁହାଁଇଥିଲା। ୪ ବର୍ଷ ତଳେ ପୁଣି ମୁହାଣ ଗତପଥ ପରିବର୍ତ୍ତନ କରି କୂଳ ଖାଇବା ଦ୍ବାରା ଉକ୍ତ ଗ୍ରାମର ୪ଜଣ ଘର ସମୁଦ୍ର ଗର୍ଭରେ ଲୀନ ହୋଇଥିଲା। ୩ ଦିନ ହେଲା ସମୁଦ୍ର ଉଗ୍ର ହେବା ସହିତ ସୁଉଚ୍ଚ ଲହଡ଼ି ଆସି କୂଳ ଖାଉଛି ବୋଲି ରାମେୟାପଟଣା ଗ୍ରାମବାସୀ କହିଛନ୍ତି।

୨ଦିନ ତଳେ ସୁଉଚ୍ଚ ଜୁଆର ଆସି ସମୁଦ୍ର କୂଳରେ ଗତ ୯ମାସ ତଳେ ନିର୍ମାଣ ହୋଇଥିବା ମତ୍ସଜୀବୀ ଆଶ୍ରୟ ସ୍ଥଳକୁ ଭସାଇ ‌ନେଇଛି। ମତ୍ସଜୀବୀ ଶୁଖୁଆ ଶୁଖାଇବା ଲାଗି ଗତ ବର୍ଷ କତୁରୁ ପଞ୍ଚାୟତ ପକ୍ଷରୁ ସମୁଦ୍ର କୂଳରେ ୨୨ଟି ଶୁଖୁଆ ଖଳା ନିର୍ମାଣ କରା ଯାଇଥିଲା। ଶୁଖୁଆ ଖଳା ଗୁଡିକ ସମୁଦ୍ରର ଆଁରେ ପଶି ଯାଇଛି। ରବିବାର ବିଳମ୍ବିତ ରାତିରେ ଜୁଆର ୮ଜଣଙ୍କ ଘର ଭସାଇ ନେଇଛି।ଗଞ୍ଜାମ ଜିଲ୍ଲାର ରମେୟାପାଟଣା କେବଳ ନୁହଁ ପୋଡମପେଟା, ଗୋଖରକୁଦା, ଆର୍ଯ୍ୟପଲ୍ଲୀ, ପୁରୁଣାବନ୍ଧ ଇଲକାରେ ମଧ୍ୟ ସମୁଦ୍ର କୂଳ ଖାଉଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପ୍ରଫେସର ପ୍ରତାପ ମହାନ୍ତି କହିଛନ୍ତି, ଏ ସମୟରେ ସାଧରଣତଃ ବେଳାଭୂମି ଅବକ୍ଷୟ ଘଟିଥାଏ। ବାହୁଦା ମୁହାଣ ଗତିପଥ ଉତ୍ତର ଦିଗକୁ ମୁହାଁଇବା ପରେ ସମୁଦ୍ର କୂଳ ଖାଉଛି। ନଦୀରୁ ଆସୁଥିବା ବାଲି, ଗୋଡ଼ି ଆଦି ସମୁଦ୍ରର ଦକ୍ଷିଣରୁ ଉତ୍ତରକୁ ଯାଇ ଜମା ହୋଇଥାଏ। ଏହାକୁ ଲଙ୍ଗ୍‌ ସୋର ‘ଟ୍ରାନ୍ସପୋର୍ଟସେନ’ କୁହାଯାଏ। ଏଥିର ପ୍ରତିବନ୍ଧକ ସୃଷ୍ଟି ହେଲେ ଉତ୍ତର ଦିଗରେ କୂଳ ଖାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe