ଲକ୍‌ଡାଉନ୍‌ରେ ହଟହଟା ମତ୍ସ୍ୟଜୀବୀ : କୋହଳର ଦୁଇଦିନ ପରେ ପୁଣି କଟକଣା

ଲକ୍‌ଡାଉନ୍‌ରେ ହଟହଟା ମତ୍ସ୍ୟଜୀବୀ : କୋହଳର ଦୁଇଦିନ ପରେ ପୁଣି କଟକଣା

ଜଗତସିଂହପୁର : ଲକ୍‌ଡାଉନ ସମୟ ଅବଧି ମଧ୍ୟରେ ମାଛଧରା କଟକଣାକୁ କୋହଳ କରାଯାଇଛି। କିନ୍ତୁ ମାତ୍ର ଦୁଇଦିନ ପରେ ଅର୍ଥାତ୍‌ ଆସନ୍ତା ୧୪ ତାରିଖରୁ ମାଛଙ୍କ ପ୍ରଜନନ ଋତୁ କାରଣରୁ ପୁନର୍ବାର ଜୁନ୍‌ ୧୪ ପର୍ଯ୍ୟନ୍ତ ମଛ ଧରିବା ଉପରେ ସରକାରଙ୍କ କଟକଣା ଆରମ୍ଭ ହେବ। ଏମିତି ସ୍ଥିତିରେ କରୋନା ମାଡ଼ରେ ଏଣିକି ହାତବାନ୍ଧି ବସିଥିବା ଓ ମାଛଧରା ବନ୍ଦର ଛାଡ଼ିଥିବା ମତ୍ସ୍ୟଜୀବୀମାନେ ଘୋର ଅନିଶ୍ଚିତତା ମଧ୍ୟରେ କାଳ କାଟୁଛନ୍ତି।

ମତ୍ସ୍ୟଜୀବୀମାନେ ସମୁଦ୍ରରେ ପଶି ମାଛ ଧରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ମାତ୍ର ଦୁଇଦିନର ଖୁସି ଆଣି ଦେଇଥିଲା। ଖବର ପାଇବାମାତ୍ରେ ସଂଖ୍ୟାଧିକ ଟ୍ରଲର ତୁରନ୍ତ ମାଛଧରା ବନ୍ଦରକୁ ଚାଲି ଆସିଥିଲେ। ଘରକୁ ଫେରି ନପାରି ଅଟକି ରହିଥିବା ବାହାର ରାଜ୍ୟର ଶତାଧିକ ମତ୍ସ୍ୟଜୀବୀ ମଧ୍ୟ ତତ୍ପର ହୋଇ ଉଠିଛନ୍ତି। କିନ୍ତୁ ଏହା ସାମୟିକ ଖୁସି ଆଣିଛି। କାରଣ ମାଛ ପ୍ରଜନନ ଋତୁ ଆରମ୍ଭ ହେବାକୁ ଥିବାରୁ ପ୍ରତ୍ୟେକ ବର୍ଷ ପରି ଅପ୍ରେଲ ୧୪ ମଧ୍ୟରାତ୍ରରୁ ଜୁନ୍ ୧୪ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମାଛଧରା ଉପରେ କଟକଣା ଆରମ୍ଭ ହେବ। ଏଣୁ କେନ୍ଦ୍ର ସରକାରଙ୍କ ଏହି ନିୟମ ମତ୍ସ୍ୟଜୀବୀଙ୍କ ପାଇଁ ସ୍ଥାୟୀ ଖୁସି ଆଣିପାରି ନାହିଁ।

ଅନ୍ୟପକ୍ଷରେ, ହାତରେ ମାତ୍ର ଆଉ ଦୁଇଦିନ ଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ନିୟମ କେତେଦୂର ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନଙ୍କୁ ସୁହାଇବ ତାହା ବୁଝାପଡ଼ୁ ନାହିଁ। ରାଜ୍ୟ ସରକାର ମଧ୍ୟ ଏହି ନିୟମକୁ କାର୍ଯ୍ୟକାରୀ କରିବେ କି ନାହିଁ, ତାହା ସ୍ପଷ୍ଟ କରୁ ନାହାନ୍ତି। ଯଦି ଏହି କଟକଣା ବଳବତ୍ତର ରୁହେ, ତେବେ ମାଛ ଧରିବା ପାଇଁ ମିଳିଥିବା ଅନୁମତିର କୌଣସି ଅର୍ଥ ରହିବ ନାହିଁ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଏ ନେଇ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓଫ୍‌)ର ସଭାପତି ସୁମନ୍ତ ବିଶ୍ବାଳ କୁହନ୍ତି ଯେ, ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଉଚିତ୍। ଚଳିତବର୍ଷର କଟକଣା ଲାଗୁ ହେବ କି ନାହିଁ, ତାହା ସ୍ପଷ୍ଟ କରାଯିବା ଉଚିତ୍। ଲକ୍‌ଡାଉନ ଯୋଗୁଁ ମାଛ ଧରିବା କାର୍ଯ୍ୟ ବନ୍ଦ ଥିବାରୁ ଏବେ ବଜାରରେ ଏହାର ଅଭାବ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଲାଣି। ଏଣୁ ମାଛ ଧରିବା ପାଇଁ ଅନୁମତି ପ୍ରଦାନ କଲେ ସମସ୍ତଙ୍କ ସ୍ଥିତି ଭଲ ରହିବ ‌ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe