କୃଷି ଆଇନ ପ୍ରତ୍ୟାହାର ଦାବିରେ ମତ୍ସ୍ୟଜୀବୀ କଂଗ୍ରେସର ବିକ୍ଷୋଭ

Advertisment
କୃଷି ଆଇନ ପ୍ରତ୍ୟାହାର ଦାବିରେ ମତ୍ସ୍ୟଜୀବୀ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର : ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ଜଣାଇ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। ଅଧ୍ୟକ୍ଷ ହଳଧର ସେଠୀଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ କର୍ମୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକତ୍ର ହୋଇ ମୋଦୀ ସରକାର ବିରୋଧରେ ନାରାବାଜି କରିଥିଲେ। ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଥିରେ ଯୋଗଦେଇ କହିଲେ, ଚାଷୀମାନଙ୍କ ଜୀବିକା ସୁରକ୍ଷା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍କ୍ରିୟ ହୋଇଯାଇଛନ୍ତି। ସମୁଦ୍ର, ନଦୀ, ପୋଖରୀ ଆଦିରେ ନିର୍ଭର କରି ମାଛ ଚାଷ କରୁଥିବା ଚାଷୀମାନଙ୍କ ସମସ୍ୟା ସମାଧାନ ହେଉନାହିଁ। ଫଳରେ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟରେ ମଧୁର ଜଳ ମାଛ ଚାଷ ପାଇଁ ସ୍ଥାନ ନିରୂପଣ କରି ମତ୍ସ୍ୟଚାଷୀମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳି ପାରିଲେ, ମାଛ ଉତ୍ପାଦନରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅଖିଳ ଭାରତ ମତ୍ସ୍ୟଜୀବୀ କଂଗ୍ରେସର ଅଧ୍ୟକ୍ଷ ଟି.ଏନ୍ ପ୍ରଥାପନ୍‌ଙ୍କ ଆହ୍ବାନରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜଟଣୀ ବିଧାୟକ ସୁରେଶ ରାଉତରାୟ, କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଂଜନ ଦାଶ, ରାଜୀବ ପଟ୍ଟନାୟକ, ରଂଜିତ ପାତ୍ର, ଫକୀର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁ, ମୋତି କୈବର୍ତ୍ତ, ପଞ୍ଚାନନ ମଲ୍ଲିକ, ଦୀନବନ୍ଧୁ ଅଧିକାରୀ, ଜି ଆରାୟା, ଏକାଦଶୀ ସେଠୀ, କ୍ଷୀ‌ରୋଦ କୁମାର ସେଠୀ, ବ୍ରଜବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe