ଦୁଇ ମାସ ପରେ ଆରମ୍ଭ ହେଲା ସମୁଦ୍ରରେ ମାଛଧରା

Advertisment

୫୫୯ରୁ ୩୦୦ ଟ୍ରଲର ଗଲା ସମୁଦ୍ରକୁ, ଡିଜେଲ ଦର ବୃଦ୍ଧି ଓ ମାଛ ଉତ୍ପାଦନ ହ୍ରାସ ଯୋଗୁଁ ଚିନ୍ତାରେ ଟ୍ରଲର ମାଲିକ

୫୫୯ରୁ ୩୦୦ ଟ୍ରଲର ଗଲା ସମୁଦ୍ରକୁ, ଡିଜେଲ ଦର ବୃଦ୍ଧି ଓ ମାଛ ଉତ୍ପାଦନ ହ୍ରାସ ଯୋଗୁଁ ଚିନ୍ତାରେ ଟ୍ରଲର ମାଲିକ

ଦୁଇ ମାସ ପରେ ଆରମ୍ଭ ହେଲା ସମୁଦ୍ରରେ ମାଛଧରା

ଜଗତସିଂହପୁର : ଦୀର୍ଘ ଦୁଇ ମାସର କଟକଣା ଗତକାଲି ମଧ୍ୟରାତ୍ରରୁ ହଟିଛି। ଫଳରେ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନେ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଛନ୍ତି। କିନ୍ତୁ ମୋଟ୍ ୫୫୯ରୁ ୩୦୦ ଟ୍ରଲର ମାଛ ଧରିବା ପାଇଁ ଯାଇଥିବା ଜଣାପଡ଼ିଛି। ବିଭିନ୍ନ ସମସ୍ୟା ଯୋଗୁଁ ଏକକାଳୀନ ସମସ୍ତ ଟ୍ରଲର ସମୁଦ୍ର ମଧ୍ୟକୁ ଯାଇ ନଥିବା ଜଣାପଡ଼ିଛି। ଡିଜେଲ ଦର ବୃଦ୍ଧି ଓ ମାଛ ଉତ୍ପାଦନ ହ୍ରାସ ପାଉଥିବାରୁ ମାଲିକମାନଙ୍କର ଚିନ୍ତା ବଢ଼ିଯାଇଛି। ଏଣୁ ବ୍ୟବସାୟରେ କ୍ଷତି ହେବା ଆଶଙ୍କାରେ ବହୁ ଟ୍ରଲର ମାଲିକ ମାଛ ଧରିବାକୁ ଏବେ ପଛଘୁଞ୍ଚା ଦେଉଛନ୍ତି।

ପ୍ରତ୍ୟେକ ବର୍ଷ ଏପ୍ରିଲ ୧୫ରୁ ଜୁନ ୧୪ ମଧ୍ୟରାତ୍ର ପର୍ଯ୍ୟନ୍ତ ଦୁଇ ମାସ ସମୁଦ୍ରରେ ମାଛ ଧରିବାରେ କଟକଣା କରାଯାଏ। ସମୁଦ୍ରରେ ମାଛ ପ୍ରଜନନ, ଅଣ୍ଡାଦାନ, ଯାଆଁଳ ସୁରକ୍ଷା ପାଇଁ ଏମିତି ପ‌ଦକ୍ଷେପ ନିଆଯାଏ। ଏହି ସମୟରେ ମତ୍ସ୍ୟଜୀବୀ ଓ ଟ୍ରଲରମାଲିକମାନେ ହାତ ବାନ୍ଧି ବସନ୍ତି। ସମୁଦ୍ରକୁ ଯିବା ପୂର୍ବରୁ ଟ୍ରଲର, ଜାଲ ମରାମତି ଓ ବରଫ ସଂଗ୍ରହ ଉପରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଏ। ସମୁଦ୍ର ଦେବତା ବରୁଣଙ୍କୁ ଖୁସି କରିବା ପାଇଁ ମାଛ ଧରା ବନ୍ଦରରେ ଯଜ୍ଞ ଶେଷ କରାଯାଇ ସମସ୍ତେ ମାଛ ଧରିବାକୁ ଯାଆନ୍ତି। ପୂର୍ବ ଅପେକ୍ଷା ଉଭୟ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନେ ଏହି ବେପାରରୁ କମ୍ ଲାଭ ପାଉଛନ୍ତି। ଡିଜେଲ ଦରରେ ୭୦–୭୫ ଟଙ୍କା ଥିବା ବେଳେ ମତ୍ସ୍ୟଜୀବୀମାନେ ଆପତ୍ତି ଉଠାଇଥିଲେ। ବର୍ତ୍ତମାନ ଡିଜେଲ ଦର ଲିଟର ୯୫ ଟଙ୍କା ଟପିଲାଣି। ଫଳରେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଅନ୍ୟ ରାଜ୍ୟ ଗୁଡ଼ିକ ତାମିଲନାଡ଼ୁ, ଆନ୍ଧ୍ର ପ୍ର୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଭଳି ରାଜ୍ୟ ଗୁଡ଼ିକ ଡିଜେଲ ଦର ଉପରୁ ଭାଟ୍ ଛାଡ଼ କରୁଛନ୍ତି। ଏ ନେଇ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏଥିପ୍ରତି କେହି ବି ଦୃଷ୍ଟି ‌ଦେଉ ନାହାନ୍ତି। ଏହି ବ୍ୟବସାୟରେ କ୍ଷତି ବଢ଼ୁଥିବାରୁ ଏହାକୁ ରୁଗଣ ଶିଳ୍ପ ଭାବେ ଘୋଷଣା କରି ବ୍ୟବସାୟୀମାନଙ୍କୁ ନାମମାତ୍ର କିମ୍ବା ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ପୂର୍ବରୁ ଏକାଧିକ ଥର ସଂଘ ପକ୍ଷରୁ ଦାବି କରାଯାଇଥିଲା। ମାତ୍ର ଏଥିପ୍ରତି ରାଜ୍ୟ କି କେନ୍ଦ୍ର ସରକାର କେହି ବି ପଦକ୍ଷେପ ନେଉ ନାହାନ୍ତି। ଏହି ବ୍ୟବସାୟ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭା‌ବେ ପ୍ରାୟ ୫୦ ହଜାର ପରିବାର ନିର୍ଭର କରୁଛନ୍ତି। ମହାନଦୀ ମୁହାଣ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଖୋଳା ହୋଇନଥିବାରୁ ଏହି ଟ୍ରଲର କାରବାରରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ବାରମ୍ବାର ଦାବି ପରେ ପାରାଦୀପ ବନ୍ଦର ପ୍ରଶାସନ ମୁହାଣ ଖୋଳିଛି ସତ, ମାତ୍ର ଏହାକୁ ଅଧିକ ପ୍ରଶସ୍ତ ଓ ଗଭୀର କରିବା ପାଇଁ ଦାବି କରାଯାଇଛି।

ଏ ନେଇ ଓଡ଼ିଶା ସାମୁଦ୍ରିକ ମାଛ ଉତ୍ପାଦକ ସଂଘ (ଓମ୍ଫା)ର ସମ୍ପାଦକ ଅରବିନ୍ଦ ସ୍ବାଇଁ କୁହନ୍ତି ଯେ, ବରଫ ମିଳିବାରେ ସମସ୍ୟା, ଟ୍ରଲରର ଯାନ୍ତ୍ରିକ ତ୍ରୁଟି, କର୍ମଚାରୀ ଅଭାବ ଓ ଅନ୍ୟ ସମସ୍ୟା ଯୋଗୁଁ ସମସ୍ତେ ଏକାଥରକେ ମାଛ ଧରିବା ପାଇଁ ଯାଉ ନାହାନ୍ତି। ପୂର୍ବ ଅପେକ୍ଷା ଟ୍ରଲର ମାଲିକମାନେ କମ୍ ଲାଭ ପାଉଛନ୍ତି। ମାଛ ଧରିବା ଧୀରେ ଧୀରେ କମୁଥିବା ବେଳେ ତେଲ ଦର ବୃଦ୍ଧି ଯୋଗୁଁ ସ୍ବାଭାବିକ ଭାବେ କ୍ଷତି ହେଉଛି। ଏଣୁ ପୂର୍ବରୁ ଓମ୍ଫା ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତର୍ଜମା କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe