ସୋର : ସୁନା ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ୫ ଗିରଫ

Advertisment

ଲୁଟେରା ଗ୍ୟାଙ୍ଗ୍‌ର ମାଷ୍ଟର୍‌ମାଇଣ୍ଡ ଇଞ୍ଜିନିୟରିଂ ଛାତ୍ର, ୪ ଶହ ଗ୍ରାମର ଗହଣା, ୧୦ ମୋବାଇଲ, କଟୁରି ସହ ୨ ବାଇକ୍ ଜବତ

ଲୁଟେରା ଗ୍ୟାଙ୍ଗ୍‌ର ମାଷ୍ଟର୍‌ମାଇଣ୍ଡ ଇଞ୍ଜିନିୟରିଂ ଛାତ୍ର, ୪ ଶହ ଗ୍ରାମର ଗହଣା, ୧୦ ମୋବାଇଲ, କଟୁରି ସହ ୨ ବାଇକ୍ ଜବତ

ସୋର : ସୁନା ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ୫ ଗିରଫ

ସୋର : ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ସୁନା ବେପାରୀଙ୍କୁ ଆକ୍ରମଣ କରି ସୁନାଗହଣା ଲୁଟି ନେଇଥିବା ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ସୋର ପୁଲିସ। ଏହି ଗ୍ୟାଙ୍ଗ୍‌ର ମାଷ୍ଟର୍‌ମାଇଣ୍ତ କୁହାଯାଉଥିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ସହିତ ୫ ଜଣ ଲୁଟେରାଙ୍କୁ ପୁଲିସ ବିଭିନ୍ନ ଜିଲ୍ଲାରେ ଚଢ଼ଉ କରି ଗିରଫ କରିଛି। ସେମାନଙ୍କଠାରୁ ଲୁଟ୍ ୪୦୦ ଗ୍ରାମ୍‌ ଓଜନର ଗହଣା, ୧୦ଟି ମୋବାଇଲ୍‌, କଟୁରି ଓ ୨ଟି ବାଇକ୍‌କୁ ଜବତ କରାଯାଇଛି।

publive-image

ଗତ ୫ ତାରିଖ ଅପରାହ୍‌ଣରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଜନ୍ମେଜୟ ସାହୁ ବାଲେଶ୍ବର ଲକ୍ଷ୍ମୀନାରାୟଣ ଜୁଏଲାରୀରୁ ସୁନାଗହଣା ନେଇ ଘରକୁ ଫେରୁଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଦୁ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ପଛପଟୁ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଜନ୍ମେଜୟ ବାଇକ୍‌ରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ପାଖରୁ ୬୦୦ ଗ୍ରାମ୍‌ ଓଜନର ସୁନାଗହଣା ଛଡ଼ାଇ ନେଇଥିଲେ। ଏ ସଂପର୍କରେ ସୋର ଥାନା କେସ୍‌ ନଂ ୩୭୦/୨୦ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା।

ଲୁଟେରାମାନଙ୍କୁ ଧରିବା ପାଇଁ ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ନିର୍ଦ୍ଦେଶ ଦେବା ପରେ ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ, ସୋର ଥାନା ଆଇଆଇସି ମଧୁମିତା ମହାନ୍ତିଙ୍କ ନେତୃତ୍ବରେ ଏସ୍‌ଆଇ ଅଶୋକ କୁମାର ମହାନ୍ତି, ସଚିଦାନନ୍ଦ ଗିରି, ଏଏସ୍‌ଆଇ ପ୍ରଦୀପ ମହାନ୍ତି, ରାଧାଗୋବିନ୍ଦ ମଡ଼ୁଆଳ, ପ୍ରତାପ କାଲୋ ପ୍ରମୁଖ ବିଭିନ୍ନ ସ୍ଥାନରେ ଛାନଭିନ୍ କରିଥିଲେ। ପରେ ଏହି ଟିମ୍ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଚଢ଼ଉ କରି ରେମୁଣା ମନ୍ଦାରପୁର ପଞ୍ଚାୟତ ମିଆଁବାଗ ଗ୍ରାମର ରମାକାନ୍ତ ଦାସ ଓରଫ ବାଙ୍ଗୁରୁ (୨୧) ଓ ରତିକାନ୍ତ ଦାସ (୩୩), ରେମୁଣା ଅଠାନ୍ତର ଗ୍ରାମର ଚିନ୍ମୟ ଦାସ (୧୯), ସଦର ଥାନା ଫୁଲାଡ଼ି ଗ୍ରାମର ଜିତେନ୍ଦ୍ର ମହାପାତ୍ର (୩୫)ଙ୍କୁ ଉଠାଇ ଆଣି ପଚରାଉଚରା ଚଳାଇଥିଲା। ଗତକାଲି ପୁଲିସ୍‌ର ଏହି ସ୍ବତନ୍ତ୍ର ଟିମ୍ ନବରଙ୍ଗପୁରରେ ଚଢ଼ଉ କରି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ତ ତଥା ମୁଖ୍ୟ ଅଭିଯୁକ୍ତ ରେମୁଣା ମିଆଁବାଗ ଗ୍ରାମର ଶାନ୍ତନୁ ଦାସ ଓରଫ ମୁନା(୨୧)କୁ ଗିରଫ କରିଥିଲା। ଶାନ୍ତନୁ ଜଣେ ଇଞ୍ଜିନିୟରିଂ ଛାତ୍ର ଏବଂ ତା’ ନିର୍ଦ୍ଦେଶରେ ଗହଣା ବ୍ୟବସାୟୀ ଜନ୍ମେଜୟଙ୍କୁ ଲୁଟିବାକୁ ଯୋଜନା କରାଯାଇଥିଲା ବୋଲି ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ଓ ସୋର ଥାନା ଆଇଆଇସି ମଧୁମିତା ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe