ଜୁନାଗଡ଼/ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଜାରିଙ୍ଗ ଛକ ଠାରେ ୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଭୋରରେ ଏକଟ୍ରକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। କାରରେ ଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି।
ଜୁନାଗଡ଼ ବ୍ଲକର ଗୌଡଛେଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ଖୁର୍ସେଲଗୁଡା ଗ୍ରାମର ବିନାୟକ ବେହେରା (୩୨)ଙ୍କ ପତ୍ନୀ ନିଭା ବେହେରା (୨୮)ଅସୁସ୍ଥ ଥିବାରୁ ଗତ ଦୁଇଦିନ ତଳେ ବିଶାଖାପାଟଣାକୁ ଚିକିତ୍ସା ପାଇଁ ଯାଇଥିଲେ। ବିଶାଖାପାଟଣାରୁ ଲିଙ୍କ ଏକ୍ସପ୍ରେସ ଟ୍ରେନ ଯୋଗେ ଆଶୁତୋଷ ବେହେରା (୫୮), ତାଙ୍କ ସାନ ଭାଇ ଜଗନ୍ନାଥ ବେହେରା ଓରଫ (୫୫), ବୋହୂ ନିଭିଆ, ଦୁଇ ନାତୁଣୀ ଶୋଭି ବେହେରା (୬), ଆଭ୍ୟା ବେହେରା (୩ ମାସ), ଚାକରାଣୀ ଖେଞ୍ଜି କଟା (୬୦) ଆସି ଆଜି ଭୋରରୁ କେସିଙ୍ଗା ରେଳ ଷ୍ଟେସନରେ ପହଞ୍ଚିଥିଲେ। ପୁଅ ବିନାୟକ ବେହେରା ୱାଗନଆର କାର (ଓଡି ୩୩ଜେ-୪୬୮୯) ନେଇ ସେମାନଙ୍କୁ ଆଣିବା ପାଇଁ କେସିଙ୍ଗା ଯାଇଥିଲେ। ପରିବାର ବର୍ଗ ଖୁର୍ସେଲଗୁଡ଼ା ଗ୍ରାମକୁ ଫେରୁଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ଜୁନାଗଡ଼ ଥାନା ଜାରିଙ୍ଗ ଛକ ନିକଟରେ ଜାତୀୟ ରାଜପଥ ୨୬ ଉପରେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ (ଓଡି ୦୮ଏ-୮୨୯୨) ସେମାନଙ୍କୁ ଧକ୍କା ଦେଇଥିଲା। ଆଶୁତୋଷ ଓ ତାଙ୍କ ଭାଇ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୁଲିସ, ଦମକଳ ବିଭାଗ ସହାୟତାରେ ସ୍ଥାନୀୟ ଲୋକେ କାରରୁ ଆହତ ବିନାୟକ, ନିଭା, ଆଭ୍ୟା, ଶୋଭି, ଖେଞ୍ଜିଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବିନାୟକ ଓ ତାଙ୍କ ଦୁଇ ଝିଅ ଆଭ୍ୟା ଓ ଶୋଭିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନିଭାଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି। ଖେଞ୍ଜି କଟା ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Follow Us