ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ: ୫ରେ ପୁଣି ଢିଙ୍କିଆ ଯିବେ ପାଞ୍ଚ ଜଣିଆ କମିଟି

Advertisment

ବୈଠକର ଭିଡିଓଗ୍ରାଫି ହେବ, ଉପସ୍ଥିତ ରହି‌ବେ ଜିଲ୍ଲାପାଳ ଓ ଏସ୍‌ପି

ବୈଠକର ଭିଡିଓଗ୍ରାଫି ହେବ, ଉପସ୍ଥିତ ରହି‌ବେ ଜିଲ୍ଲାପାଳ ଓ ଏସ୍‌ପି

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଆସନ୍ତା ମାର୍ଚ୍ଚ ୫ ତାରିଖରେ ପୁଣିଥରେ ଜଗତ୍‌ସିଂହପୁରର ଢିଙ୍କିଆ ଗସ୍ତ କରିବେ ଆଇନଜୀବୀ କମିଟି। ଆଇନଜୀବୀମାନେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିବା ସହିତ ପ୍ରକୃତ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ। ଉଭୟ ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀ ଗୋଷ୍ଠୀଙ୍କୁ କମିଟି ସଦସ୍ୟଙ୍କ ନିକଟକୁ ଆସି ମତ ରଖିବାକୁ ସୁଯୋଗ ଦିଆଯିବ। କେହି କାହାକୁ ଅବରୋଧ କରିବେ ନାହିଁ। ସମସ୍ତେ ନିର୍ଭୟରେ ଓ ବିନା କୌଣସି ଚାପରେ ନିଜ ମତ ରଖିବା ଯେପରି ସମ୍ଭବ ହେବ, ତାହା ସୁନିଶ୍ଚିତ କରାଯିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର‌.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ତିନୋଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଫେବ୍ରୁଆରି ୧୯ ତାରିଖ ଦିନ ତିନି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ତିନି ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମକାର ଦେବଦାସ, ସୁକାନ୍ତ କୁମାର ଦଳାଇଙ୍କ ସହିତ ଅତିରିକ୍ତ ସରକାରୀ ଓକିଲ ଦେବକାନ୍ତ ମହାନ୍ତି ଓ ଜନ୍ମେଜୟ କଟିକିଆ ଢିଙ୍କିଆ ଗସ୍ତ କରିଥିଲେ। ଆଜି ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ କମିଟି ସେମାନଙ୍କର ରିପୋର୍ଟ ଦାଖଲ କରିଥିଲେ। ଦୁଇ ଅତିରିକ୍ତ ସରକାରୀ ଓକିଲ (ଏଜିଏ)ଙ୍କ ରିପୋର୍ଟ ସହିତ ତିନି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ତିନି ଆଇନଜୀବୀ ପୃଥକ୍‌ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରୁ ଆଇନଜୀବୀ କମିଟି ଗସ୍ତବେଳେ ଢିଙ୍କିଆରେ ଉତ୍ତେଜନା ପ୍ରକାଶ ପାଇଥିବା ଘଟଣା ସ୍ପଷ୍ଟ ହୋଇଥିଲା। ଗତ ୧୯ ତାରିଖ ଦିନ କମିଟିର ଆଇନଜୀବୀଙ୍କ ସହିତ ସ୍ଥାନୀୟ ବାସିନ୍ଦା ନିର୍ଭୟରେ କଥାବାର୍ତ୍ତା ହୋଇ ପାରିନଥିଲେ ବୋଲି ରିପୋର୍ଟରୁ ଜଣାପଡିଥିଲା।
ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଢିଙ୍କିଆ ପଞ୍ଚ‌ାୟତର ବାସିନ୍ଦାମାନେ ବିନା କୌଣସି ଭୟ ଓ ଚାପରେ ଆଇନଜୀବୀ କମିଟି ନିକଟରେ କିଭଳି ନିଜ ନିଜର ମତ ରଖିବେ, ତା’ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସ୍ଥିତି ଅନୁଧ୍ୟାନ ପାଇଁ ପୁଣି ପାଞ୍ଚ ଜଣିଆ ଆଇନଜୀବୀ କମିଟି ଢିଙ୍କିଆ ଗସ୍ତ କରିବ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏପରି ବୈଠକ ଢିଙ୍କିଆର ଏକ ସ୍ବତନ୍ତ୍ର ସ୍ଥାନରେ ପ୍ରଶାସନ ଆୟୋଜନ କରିବ।

ବୈଠକରେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ସଦସ୍ୟମାନେ ଉପସ୍ଥିତ ରହିବେ। ବୈଠକ ସ୍ଥଳରେ ଜଗତସିଂହପୁର ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ରହିବେ। ସମସ୍ତ ବୈଠକର ଭିଡିଓଗ୍ରାଫି କରାଯିବ ଓ ହାଇକୋର୍ଟରେ ଏହା ଦାଖଲ କରାଯିବ। ମାର୍ଚ୍ଚ ୮ ସୁଦ୍ଧା ଏ ସଂପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ ହେବ। ଜିଲ୍ଲାପାଳ ଏ ସଂପର୍କିତ ରିପୋର୍ଟ, ସତ୍ୟପାଠ ସହିତ ବୈଠକର ଭିଡିଓ ହାଇକୋର୍ଟରେ ଦାଖଲ କରିବେ। ରିପୋର୍ଟର କପି ଆଗୁଆ ସମସ୍ତ କମିଟି ସଦସ୍ୟଙ୍କୁ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମିଟିର ପାଞ୍ଚଜଣ ଆଇନଜୀବୀ ସାଙ୍ଗରେ ଜଣେ ଲେଖାଏଁ ସହଯୋଗୀଙ୍କୁ ବୈଠକକୁ ନେବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍‌ପି ଭର୍ଚୁଆଲ ମୋଡ‌ରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୧କୁ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟରେ ତିନୋଟି ମାମଲା ଦାୟର ହୋଇଛି। ଗୋଟିଏ ମାମଲା ଢିଙ୍କିଆର କୁନି ମଲ୍ଲିକ ଓ ଅନ୍ୟ ଚାରି ଜଣଙ୍କ ପକ୍ଷରୁ ହୋଇଥିବା ବେଳେ ଦ୍ବିତୀୟ ମାମଲା ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ପକ୍ଷରୁ ଏବଂ ତୃତୀୟ ମାମଲାଟି ପ୍ରତାପରୁଦ୍ର ସାମନ୍ତରାୟ ଦାୟର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe