Image Courtesy of The Times of India
ଭୁବନେଶ୍ବର: ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବାକୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୨୧ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ଆଉ ୫ଟି ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସେଗୁଡ଼ିକ ହେଲା ପୁରୀ-ଉଧନା(ସୁରଟ) ଦ୍ୱି-ସାପ୍ତାହିକ ଟ୍ରେନ୍, ଦୁଇଟି ପୁରୀ-ନୂଆଦିଲ୍ଲୀ ସାପ୍ତାହିକ ଟ୍ରେନ୍, ସମ୍ବଲପୁର-ଏରୋଡ୍ ସାପ୍ତାହିକ ଟ୍ରେନ୍, ବିଶାଖାପାଟଣା-ବେଙ୍ଗାଲୁରୁ ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ଚେନ୍ନାଇ ଏଗମୋର ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ହଟିଆ ସ୍ୱତନ୍ତ୍ର ଟ୍ରେନ୍। ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ପୁରୀ, ଭୁବନେଶ୍ୱର, ବିଶାଖାପାଟଣା, ସମ୍ବଲପୁର, କଟକ ଓ ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ବାହାରି ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ କରିବ।
ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ପାଟନା, ନିଜାମୁଦ୍ଦିନ, ସାଲିମାର, ଭଞ୍ଜପୁର ଓ ସାନ୍ତ୍ରାଗାଛି ଅଭିମୁଖେ ଯାତ୍ରା କରିବାକୁ ଯୋଜନା ରହିଛି। ଭୁବନେଶ୍ୱରରୁ ୟଶବନ୍ତପୁର, ଧନବାଦ୍ ଓ ଚେନ୍ନାଇ ଆଡ଼କୁ; ସମ୍ବଲପୁରରୁ ଗୁଆଟି, ଏରୋଡ ଓ ପୁଣେ ଆଡକୁ; କଟକରୁ ହାଇଦ୍ରାବାଦ ଆଡକୁ; ବ୍ରହ୍ମପୁରରୁ ସୁରଟ ଏବଂ ବିଶାଖାପାଟଣାରୁ ବେଙ୍ଗାଲୁରୁ, କୋଲାମ, ତିରୁପତି, ସିକନ୍ଦରାବାଦ ଓ କୁର୍ନୁଲ ଆଡ଼କୁ ଯାତ୍ରା କରିବ। ନିୟମିତ ଟ୍ରେନ୍ରେ ମାତ୍ରାଧିକ ଭିଡ଼ ଏଡ଼ାଇବା ଏବଂ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକରେ ଟ୍ରେନ୍ ଟିକେଟ ବୁକ୍ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ଅନୁରୋଧ କରିଥିଲା। ଏହାବ୍ୟତୀତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନଗୁଡ଼ିକରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଇବା, ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ପ୍ରଥମିକତା ଦିଆଯାଇଛି। ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ଗୁଡ଼ିକରେ ଯାତ୍ରୀଙ୍କ ପ୍ରବେଶ ପାଇଁ ଧାଡ଼ି ସୁନିଶ୍ଚିତ କରିବାକୁ ପ୍ରାରମ୍ଭିକ ଷ୍ଟେସନରେ ଆରପିଏଫ୍ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।
ଏହି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ବ୍ୟତୀତ ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ୧୩ଟି ଦୂରଗାମୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରୁଛି। ଏହି ଟ୍ରେନଗୁଡ଼ିକ ହେଉଛି ସିକନ୍ଦରାବାଦ-ଦିବ୍ରୁଗଡ-ସିକନ୍ଦରାବାଦ ସ୍ପେସାଲ, ସିକନ୍ଦରାବାଦ-ଅଗରତାଲା-ସିକନ୍ଦରାବାଦ ସ୍ପେସାଲ, ଚେନ୍ନାଇ-ସାନ୍ତ୍ରାଗଛି-ଚେନ୍ନାଇ ସ୍ପେସାଲ, ନଗରକୋଏଲ-ଦେବ୍ରୁଗଡ-ନଗରକୋଏଲ ସ୍ପେସାଲ, କୋଚୁଭେଲି-ସାଲିମାର-କୋଚୁଭେଲି ସ୍ପେସାଲ, ବେଙ୍ଗାଲୁରୁ-ଖଡଗପୁର-ବେଙ୍ଗାଲୁରୁ ସ୍ପେସାଲ, ସାନ୍ତ୍ରାଗଛି-ସିକନ୍ଦରାବାଦ-ସାନ୍ତ୍ରାଗଛି ସ୍ପେସାଲ, ସିକନ୍ଦରାବାଦ-ସାଲିମାର-ସିକନ୍ଦରାବାଦ ସ୍ପେସାଲ, ବେଙ୍ଗାଲୁରୁ-ମାଲଦା ଟାଉନ-ବେଙ୍ଗାଲୁରୁ ସ୍ପେସାଲ, ମହୀଶୂର-ମୁଜାଫରପୁର-ମହୀଶୂର ସ୍ପେସାଲ, ନ୍ୟୁ ତିନିସୁକିଆ-ବେଙ୍ଗାଲୁରୁ-ନ୍ୟୁ ତିନିସୁକିଆ ସ୍ପେସାଲ ଓ ହାଓଡା-ୟଶବନ୍ତପୁର-ହାଓଡା ସ୍ୱତନ୍ତ୍ର ଟ୍ରେନ।
Follow Us