ଭୁବନେଶ୍ବର (ମହେନ୍ଦ୍ର ସାହୁ): ବ୍ରହ୍ମପୁରବାସୀ ୨୦୧୫ ଅକ୍ଟୋବର ୨୯ (ଗୁରୁବାର) ତାରିଖର ମର୍ମନ୍ତୁଦ ଦୁର୍ଘଟଣାକୁ ଭୁଲି ପାରିନଥଲା ବେଳେ ଆଜି ପୁଣି ଏକ ଭୟଙ୍କର ଅଘଟଣ ଘଟିଛି,‌ ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ଘଟିଛି। ୧୦ ବର୍ଷ ପୂର୍ବରୁ ୧୬ ନମ୍ବର ଜାତୀୟ ରାଜପଥର ଗୋଲନ୍ଥରା ଥାନା ଅଧୀନ ରନ୍ଧା ଛକ ନିକଟରେ ଯାତ୍ରୀବାହୀ ବସ୍‌ ଏବଂ ଏକ ମିନି ଟ୍ରକ୍‌କୁ ଦ୍ରୁତଗାମୀ ଟ୍ରକ୍‌ ଶକ୍ତ ଧକ୍କା ଦେଇଥିଲା। ଏହି ଘଟଣା ଯୋଗୁଁ ସ୍ଥାନୀୟ ବଜାରର ଜଣେ ମହିଳାଙ୍କ ସମେତ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ବେଳେ ୬ ଜଣ ଗୁରୁତର ହୋଇଥିଲେ। ଅଳ୍ପ ସମୟ ମଧ୍ୟରେ କୋଳାହଳ ଥିବା ବଜାର ଶୋକାକୁଳ ଦେଖାଯାଇଥିଲା। ମୃତକଙ୍କ ଆତ୍ମୀୟ ଲୋକେ ଭୋ ଭୋ ହୋଇ କାନ୍ଦୁଥିଲେ। ଆଜିର ଏହି ଘଟଣା ପରେ ବ୍ରହ୍ମପୁରବାସୀ ସେହି ପୁରୁଣା ଦିନକୁ ପୁଣି ଥରେ ମନେ ପକାଇଛନ୍ତି। ଜାତୀୟ ରାଜପଥରେ ଯାନବାହନ ଚଳାଚଳ କ୍ଷେତ୍ରରେ ଅବହେଳା କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। 

Advertisment

କେ‌ମିତି ଥିଲା ୨୦୧୫ର ଦୁର୍ଘଟଣା

ବ୍ରହ୍ମପୁରରୁ ଜରଡ଼ା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ ସକାଳୁ ରନ୍ଧା ଛକରେ ଛିଡ଼ା ହୋଇଥିଲା। ଏହି ସମୟରେ ପଛପଟରୁ ଯାତ୍ରୀବାହୀ ବସ୍‌କୁ ଏକ ଦ୍ରୁତଗାମୀ ଟ୍ରକ୍‌ ଶକ୍ତ ଧକ୍କା ଦେଇଥିଲା। ଫଳରେ ଜଣେ ବସ୍‌ର କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସେଠାରୁ ପଳାୟନ କରୁଥିବା ଟ୍ରକ୍‌ ନିକଟରେ ପରିବା ଓହ୍ଲାଉଥିବା ଅନ୍ୟ ଏକ ମିନିଟ୍ରକ୍‌କୁ ପୁଣି ଧକ୍କା ଦେଇଥିଲା। ଫଳରେ ଅନ୍ୟ ୬ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୬ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ମୃତଦେହ ରଖି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ତତ୍‌କାଳୀନ ଗଂଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସାର୍ଥକ ଷଡ଼ଙ୍ଗୀ ଓ ସଦର ଏସ୍‌ଡିପିଓ ହରିହର ପାଣୀ ସମେତ ଅନ୍ୟ ଅଧିକାରୀ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।  

ଜୀବନ ହରାଇଥିଲେ

  • ବୁଲୁ ବେହେରା (୩୫), ଗୋଦଳା, ହିଂଜିଳିକାଟୁ
  • ରମେଶ ସାମଲ (୫୦), କନିଷି ହାଟ, ଗୋଲନ୍ଥରା
  • ଲଳିତା ରେଡ୍ଡୀ (୪୫), ପରିବା ବିକାଳି
  • ରବୀନ୍ଦ୍ର ବରାଡ଼ (୪୮), ଗୋଳନ୍ଥରା
  • ଅପନା ବିଶୋୟୀ (୪୭) ଇଚ୍ଛାପୁର, ଆନ୍ଧ୍ରପ୍ରଦେଶ
  • ସଂଜୟ କୁମାର ସାହୁ (୩୦) ବାଲିକୁଦା, କଟକ
  • ଶ୍ରୀକାନ୍ତ ପାତ୍ର (୧୮) ପରିବା ବିକାଳି, ରନ୍ଧା 

ଆହତମାନେ ଥିଲେ- ରନ୍ଧାର ବ୍ୟବସାୟୀ କିଶୋର ପାତ୍ର (୪୦), କନିଷିର ଦିନ ମଜୁରିଆ ଏମ୍‌ ଭଗବାନ ପାତ୍ର (୨୮), ପାତ୍ରପୁରର ରୁପା ବ୍ୟବସାୟୀ ବୃନ୍ଦାବନ ସୁବୁଦ୍ଧି (୩୬), କଟକ ଜିଲ୍ଲା ବାଙ୍କୀ ଥାନା କେନ୍ଦୁପାଲିର ରନସିଂହ ସାହୁ, ଗଂଜାମ ଜିଲ୍ଲା ଚିକରଡ଼ାର ସଂଯୁକ୍ତା ବେହେରା (୩୫) ଏବଂ ରନ୍ଧାର ଶିବରାମ ସେଠୀ।

ହଳଦିଆପଦର ଦୁର୍ଘଟଣାରେ ୫ ମୃତ

ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ୫ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଟ୍ରକ୍‌ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି। ମୃତକଙ୍କ ସମେତ ଆହତଙ୍କୁ ପୁଲିସ ଏମ୍‌କେସିଜି ମେଡିକାଲକୁ ପଠାଇଛି। ଅନ୍ୟପଟରେ ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଚମ୍ପଟ ମାରିଛି। ରିପୋର୍ଟ ଲେଖାହେବା ବେଳକୁ ମୃତକଙ୍କ ମଧ୍ୟରେ ଅଯୋଧ୍ୟାନଗର ଅଞ୍ଚଳର ସୂର୍ଯ୍ୟନାରାୟଣ ପଣ୍ଡା, ଫୁଲ୍‌ଟାର ଜଗନ ନାୟକ, ଦକ୍ଷିଣପୁରର ଶିବରାମ ଜେନା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇଜଣ ମୃତକ ଓ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: Vigilance Raid: କୁକୁଡ଼ା ଚାଷ ପାଇଁ ଲାଞ୍ଚ ନେଲା ବେଳେ ଫସିଗଲେ ସରକାରୀ ବାବୁ

କେମିତି ଥିଲା ଆଜିର ଦୁର୍ଘଟଣା

ଆଜି ମଧ୍ୟାହ୍ନରେ ଘଟିଥିବା ଏହି ଦୁର୍ଘଟଣା ଭୟଙ୍କର ଥିଲା। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଦୁଇଟି ବାଇକ୍‌ ଆଗପଛ ହୋଇ ବ୍ରହ୍ମପୁରରୁ ହଳଦିଆପଦର ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ଟ୍ରକ୍‌ (ଓଡି-୦୭ଜେଡ୍‌-୭୨୫୯) ଆସୁଥିଲା। ଟ୍ରକ୍‌ ଡ୍ରାଇଭର ଜଣକ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ ଏବଂ ସେ ବାଇକ୍‌ ଉପରେ ଟ୍ରକ୍‌ ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। କିଏ ରାସ୍ତାରେ କଚାଡ଼ି ପଡ଼ିଥିଲା ତ କିଏ ଟ୍ରକ୍‌ ତଳେ ପଶିଯାଇଥିଲା। 

ଆହୁରି ପଢ଼ନ୍ତୁ: State Cabinet: ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ, ପଦୋନ୍ନତି ସୁବିଧା ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର