ଭୁବନେଶ୍ବର: କୁକୁଡ଼ା ଚାଷ ପାଇଁ ଲାଞ୍ଚ ନେଲା ବେଳେ ଜଣେ ସରକାରୀ ବାବୁ ଫସି ଯାଇଛନ୍ତି। ଯାଜପୁରଜିଲ୍ଲା ବଡ଼ଚଣା ବ୍ଲକ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଭାଶିଷ ସାମଲ ୩୦,୦୦୦ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ କୁକୁଡ଼ା ଫାର୍ମ ନିର୍ମାଣର ଦ୍ବିତୀୟ କିସ୍ତି ସବସିଡି ପାଇଁ ଏହି ଟଙ୍କା ଲାଞ୍ଚ ନେଉଥିଲେ। 

Advertisment

ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜଣେ ହିତାଧିକାରୀ ୨୦୨୪ ଡିସେମ୍ବର ୧୨ ତାରିଖରେ ରାଜ୍ୟ ସରକାରଙ୍କ ଯୋଜନାରେ କୁକୁଡ଼ା ଫାର୍ମ ପାଇଁ ଆବେଦନ କରିଥିଲେ। ଏହି ପ୍ରକଳ୍ପ ପାଇଁ ୭,୨୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏଥିରେ ସବସିଡି ମୂଲ୍ୟ ୪,୩୨,୨୦୦ ଟଙ୍କା ଥିଲା, ଯାହା ୬୦ ପ୍ରତିଶତ। ସରକାରଙ୍କ ଯୋଜନା ଅନୁସାରେ ପ୍ରଥମ କିସ୍ତିର ସବସିଡି ଟଙ୍କା ମିଳିଥିଲା। ପ୍ରକଳ୍ପ ଯାଞ୍ଚ ପରେ ଦ୍ବିତୀୟ କିସ୍ତି ୨,୧୬,୦୦୦ ଟଙ୍କାରେ ଟଙ୍କା ମିଳିବାର ଥିଲା। 

ଆହୁରି ପଢ଼ନ୍ତୁ: Dhirendra Shastri: ମୁସଲମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ ଭାରତ ହିନ୍ଦୁ ରାଷ୍ଟ୍ର ହୋଇପାରିବ ନାହିଁ: ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ

ତେବେ ଦ୍ବିତୀୟ କିସ୍ତିର ୨,୧୬,୦୦୦ ଟଙ୍କା ପାଇବା ପାଇଁ ଆବେଦନକାରୀ ଜଣକ ପ୍ରାଣୀଧନ କାର୍ଯ୍ୟାଳୟରେ ଅନୁରୋଧ କରିଥିଲେ ଏବଂ ସେ ଶ୍ରୀ ସାମଲଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ଦ୍ବିତୀୟ କିସ୍ତି ଟଙ୍କା ପାଇଁ ଶ୍ରୀ ସାମଲ ୪୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଆବେଦନକାରୀ ୩୦,୦୦୦ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ଏବଂ ପରେ ଘଟଣା ସଂପର୍କରେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କୁ ଅବଗତ କରିଥିଲେ। ଯୋଜନା ଅନୁସାରେ ଆଜି ଶ୍ରୀ ସାମଲ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଯାଜପୁର ଜିଲ୍ଲା ବଡ଼ଚଣା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ନିକଟ କାଞ୍ଜିଆ ଛକରୁ ଭିଜିଲାନ୍ସ ବିଭାଗ ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ବିଭାଗ ଏହି ଘଟଣା ନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଛି। 

ଆହୁରି ପଢ଼ନ୍ତୁ: Ama Bus: ମହିଳାମାନେ ଆଜି ସମସ୍ତ କ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରୁଛନ୍ତି: ମନ୍ତ୍ରୀ