କନ୍ଧମାଳରେ ମେଞ୍ଚେ, ଭଦ୍ରକ ଓ ସୁନ୍ଦରଗଡ଼କୁ କେଞ୍ଚେ, ମୌସୁମୀରେ ବର୍ତ୍ତମାନ ସୁଦ୍ଧା ୫% ଅଧିକ ବର୍ଷା

Advertisment
ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳ ବର୍ଷିବ

Image Courtesy of News 18

ଭୁବନେଶ୍ବର : ଚଳିତ ମୌସୁମୀରେ ରାଜ୍ୟରେ ଭଲ ବର୍ଷିଛି। ଗତ ଦୁଇ ମାସରେ ରାଜ୍ୟରେ ୭ଟି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିଥିବା ବେଳେ ନିଅଣ୍ଟିଆ ସ୍ଥିତି ଭରଣା ହୋଇପାରିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫% ଅଧିକ ବର୍ଷା ହୋଇଯାଇଛି। ୫ ଜିଲ୍ଲାରେ ସ୍ବାଭା‌ବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୫ ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ରହିଛି। ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆଜି ସୁଦ୍ଧା ଅର୍ଥାତ ୧ ଜୁନ୍‌ରୁ ୨୨ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୧୧୫୮.୮ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୧୧୦୭.୨ ମିମି ତୁଳନାରେ ୫% ଅଧିକ। କନ୍ଧମାଳରେ ରାଜ୍ୟର ସର୍ବାଧିକ ବର୍ଷା ହୋଇଥିବା ବେଳେ ଭଦ୍ରକ ଓ ସୁନ୍ଦରଗଡ଼ରେ ଚଳିତ ଥର ସବୁଠୁ କମ୍‌ ବର୍ଷିଛି।

publive-image Image Courtesy of Zee News

ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କନ୍ଧମାଳ ଜିଲ୍ଲାରେ ସର୍ବାଧିକ ବର୍ଷା ୧୬୮୨.୯ ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକଠାରୁ ୫୨% ରୁ ଅଧିକ ବର୍ଷା। ଏହା ପଛକୁ ରହିଛି ‌କୋରାପୁଟ ଜିଲ୍ଲା। ଏଠାରେ ସମୁଦାୟ ୧୫୨୪.୪ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୨୭% ଅଧିକ। ଏଥିସହ ବୌଦ୍ଧରେ ୧୩୧୫.୮ ମିମି (୩୨% ଅଧିକ), ଢେଙ୍କାନାଳରେ ୧୨୭୭ ମିମି (୨୨% ଅଧିକ) ଓ ଗଜପତିରେ ୧୦୧୪ ମିମି (୨୪% ଅଧିକ) ବର୍ଷା ରେକର୍ଡ ହୋଇଯାଇଛି। ରାଜ୍ୟର ଅବଶିଷ୍ଟ ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ରାଜ୍ୟରେ ସର୍ବାଧିକ କମ୍‌ ବର୍ଷା ଭଦ୍ରକ ଓ ସୁନ୍ଦରଗଡ଼ରେ ହୋଇଛି। ଭଦ୍ରକରେ ଚଳିତ ମୌସୁମୀ‌ରେ ବର୍ତ୍ତମାନ ସୁଦ୍ଧା ୮୪୪.୪ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୧୯% କମ୍‌। ‌ସେହିଭଳି ସୁନ୍ଦରଗଡ଼ରେ ୧୦୦୫.୧ ମିମି ବର୍ଷା ହୋଇଥିବା ‌ବେଳେ ଏହା ସ୍ବାଭାବିକଠାରୁ ୧୩% କମ୍‌। କିନ୍ତୁ ଏହା ସ୍ବାଭାବିକ ପରିସରଭୁକ୍ତ। ଏଥିସହ ‌ଖୋର୍ଧା ଜିଲ୍ଲାରେ ୬% ଓ ପୁରୀ ଜିଲ୍ଲାରେ ୩% ସ୍ବାଭାବିକଠାରୁ କମ୍‌ ବର୍ଷିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ, ଆଜିଠୁ ରାଜ୍ୟରେ ଲଘୁଚାପ ପ୍ରଭାବ କମିଥିବା‌ ବେଳେ ସକ୍ରିୟ ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ରାଜ୍ୟରେ ଆଜି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe