ଡକାୟତି ଘଟଣାରେ ୫ ଗିରଫ; ଜଣେ ଫେରାର, ୧୯ ଗ୍ରାମ୍‌ ସୁନା ଗହଣା ଓ ନଗଦ ୧୭ ହଜାର ଜବତ

ଭୁଜାଲି,ଖଣ୍ଡା ଓ ଟାଙ୍ଗିଆ ଜବତ

ଡକାୟତି ଘଟଣାରେ ୫ ଗିରଫ; ଜଣେ ଫେରାର, ୧୯ ଗ୍ରାମ୍‌ ସୁନା ଗହଣା ଓ ନଗଦ ୧୭ ହଜାର ଜବତ

ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ପୁଲିସ ଏକ ଡକାୟତି ମାମଲାରେ ସଂଶ୍ଲିଷ୍ଟ ଥିବା ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୯ ଗ୍ରାମ ସୁନା ଗହଣା ଓ  ନଗଦ ୧୭ ହଜାର ଟଙ୍କା ଜବତ କରିଛି। ସେହିପରି ସମ୍ପୃକ୍ତ ଡକାୟତ ଦଳ ଠାରୁ ଭୁଜାଲି, ଖଣ୍ଡା, ଟାଙ୍ଗିଆ ଜବତ କରିଛି। ଅଭିଯୁକ୍ତମାନେ ହେଲେଖାତିଗୁଡା ଥାନା ଅନ୍ତର୍ଗତ ଫଟାଗୁଡା ଗ୍ରାମର ଭବାନୀ ବିଷୋୟୀ(୨୭), ପରଜା ବାରଙ୍ଗପଦର ଗ୍ରାମର ରିଙ୍କୁ ହରିଜନ(୩୦), ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚରାଗାଁ ଗ୍ରାମର ଢ଼ାବା ମାଲିକ ବିଶ୍ୱନାଥ ହରିଜନ ଅରଫ ବଣ୍ଟି(୨୫), ନୂଆଁଗୁଡା ଗ୍ରାମର ଲୁକୁ ଭୂମିଆ(୨୭) ଓ ଜୟପୁର ରଣ୍ଡାପାଲି ଗ୍ରାମର ବାଲ୍ୟ ଖାତି(୩୫)। ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଖାତିଗୁଡା ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ନବରଙ୍ଗପୁର ଏସଡିପିଓ ଆଦିତ୍ୟ ସେନ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ଫଟାଗୁଡା ଗ୍ରାମରେ ତେଜରାତି ଦୋକାନ କରି ରହୁଥିବା କେ ରାମନା ମୂର୍ତ୍ତିଙ୍କ ଘରୁ ଗତବର୍ଷ ଅଗଷ୍ଟ ମାସ ୭ ତାରିଖ ଦିନ ଡକାୟତି ହୋଇଥିଲା। ରାମନା ମୂର୍ତ୍ତି ନିଜ ଦୋକାନ ବନ୍ଦ କରି ନିଜ ପତ୍ନୀ ଓ ଦୁଇଜଣ ପୁଅ ଝିଅଙ୍କ ସହ ମିଶି ଭୋଜନ କରୁଥିଲେ। ଏହି ସମୟରେ ଛଅ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ରାମନାଙ୍କ ଘର ମଧ୍ୟକୁ ପ୍ରବେଶ କରିଥିଲେ। ଦୁର୍ବୃତ୍ତମାନେ ଖଣ୍ଡା ଓ ଭୁଜାଲି ଦେଖାଇ ରାମନାଙ୍କୁ ଗୋଡ ହାତ ବାନ୍ଧି ପକେଇଦେଲେ। ଏହାପରେ ଦୁର୍ବୃତ୍ତମାନେ ରାମନାଙ୍କ ପତ୍ନୀଙ୍କୁ ଭୟଭୀତ କରି ଆଲମିରା ଚାବି ମାଗିଥିଲେ। ଏହାପରେ ଆଲମିରା ଭିତରେ ଥିବା ୧୫ ଭରି ସୁନା ଅଳଙ୍କାର ଓ ନଗଦ ୨ ଲକ୍ଷ ଟଙ୍କା ନେଇଁ ଚାଲି ଯାଇଥିଲେ। ଦୁର୍ବୃତ୍ତମାନେ ଯିବା ସମୟରେ ଘର ଲୋକଙ୍କୁ ୫ ହଜାର ଟଙ୍କା ଦେବା ସହ ତାଙ୍କ ପାଦ ଧୂଳି ନେଇଁ ଚାଲି ଯାଇଥିଲେ।

ସେହିପରି ଏହି ଘଟଣା ସମ୍ପର୍କରେ କାହାକୁ କିଛି କହିଲେ କିମ୍ବା ଥାନାରେ ଅଭିଯୋଗ କଲେ ପୁଅ ଝିଅଙ୍କୁ ଅପହରଣ କରିବା ନେଇଁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଘର ମାଲିକ ଚୁପ ରହିଥିଲେ। ତେବେ ସାହି ପଡିଶା ରାମନାଙ୍କୁ ଏତଲା ଦେବା ପାଇଁ କହିବା ପରେ ବହୁ ବିଳମ୍ବରେ ହେଲେ ମଧ୍ୟ ଘର ମାଲିକ ଶ୍ରୀ ମୂର୍ତ୍ତି ଚଳିତ ମାସ ୧୧ ତାରିଖ ଦିନ ଖାତିଗୁଡା ଥାନାରେ ଏକ ଏତଲା ଦାୟର କରିଥିଲେ। ରାମନାଙ୍କ ଅଭିଯୋଗକୁ ଆଧାର କରି ଖାତିଗୁଡା ଥାନାରେ ଏକ ଡକାୟତି ମାମଲା ରୁଜୁ କରି ଥାନା ଅଧିକାରୀ ଦୀପକ କୁମାର ଲେଙ୍କା କେଶର ତଦନ୍ତ ଆରମ୍ଭ କରିଥିଲେ।

publive-image

ତେବେ ବିଭିନ୍ନ ଦିଗରୁ ସନ୍ଧାନ ଜାରି ପରେ ପୁଲିସ ସଫଳତା ପାଇଛି। ଡକାୟତି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଏହି କେଶର ତଦନ୍ତ ଦାୟିତ୍ୱ ଖାତିଗୁଡା ଥାନା ଏଏସଆଇ ମହେଶ୍ୱର ବୁଦବାଡେ କରୁଥିଲେ। ଆଜି ସମସ୍ତ ଅଭିଯୁକ୍ତ ଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇଁ ଏସଡିପିଓ ଶ୍ରୀ ସୂଚନା ଦେଇଛନ୍ତି। ତେବେ ଦୁର୍ବୁର୍ତ୍ତ ମାନଙ୍କ ଠାରୁ ଆଉ କିଛି ସୁନା ଗହଣା ଓ ଟଙ୍କା ଜବତ ହୋଇନଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ରହିଛି। ଏଣୁ ଆବଶ୍ୟକ ପଡିଲେ କୋର୍ଟ ଚାଲାଣ ହୋଇଥୁବା ଦୁର୍ବୃତ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ଆଣି ତଦନ୍ତ କରିବା ସକାଶେ କୋ ର ଅନୁମତି ନିଆଯାଇପାରେ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀ ସମୟରେ ଖାତିଗୁଡା ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe