Image Courtesy of India Today
ପାଣିକୋଇଲି: ନକଲି ପୁଲିସ ସାଜି ଚାନ୍ଦା ଆଦାୟ କରିବା ଅଭିଯୋଗରେ ଜଣେ ଗୃହରକ୍ଷୀ (ହୋମଗାର୍ଡ)ଙ୍କ ସମେତ ୫ ଜଣଙ୍କୁ ପାଣିକୋଇଲି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜାନୁଗଞ୍ଜ ଅଞ୍ଚଳର ପ୍ରଦୀପ ବେହେରା (୨୯) ଓରଫ ନିଲୁ ବାଲେଶ୍ବର ଜିଲ୍ଲା ପୁଲିସର ଜଣେ ଗୃହରକ୍ଷୀ (ବ୍ୟାଚ ନଂ ୧୧୨) ବୋଲି ସୂଚନା ମିଳିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ରେମୁଣା ଥାନା ଅନ୍ତର୍ଗତ ଅଥନ୍ତର ଗ୍ରାମର ପବିତ୍ର ଦାସ(୨୧), ସେହି ଗ୍ରାମର ଚିନ୍ମୟ ଦାସ (୨୩) ଓ ସଦର ଥାନା ତନ୍ତୀସାହି ଗ୍ରାମର ଗିରିଧାରୀ ବେହେରା ଓରଫ ମଣ୍ଟୁ ଏବଂ ଜଣେ ନାବାଳକ ଅନ୍ତର୍ଭୁକ୍ତ। ଏ ସଂକ୍ରାନ୍ତରେ ପାଣିକୋଇଲି ପୁଲିସ ଏକ ମାମଲା ୬୨/୨୪ ରୁଜୁ କରି ସଂପୃକ୍ତ ନାବାଳକ (୧୭)କୁ ଜୁଭେନାଇଲ କୋର୍ଟକୁ ପଠାଇବା ସହିତ ଅନ୍ୟ ଚାରିଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ଜାଲ ପରିଚୟପତ୍ର, ତିନିହଜାର ଟଙ୍କା ଓ ବୋଲେରୋ ଜବତ ହୋଇଛି।
ଅଭିଯୁକ୍ତମାନେ ନିଜକୁ ପୁଲିସ ଅଧିକାରୀ ଓ କର୍ମଚାରୀ ଦର୍ଶାଇ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ ଓ ବସଗୁଡ଼ିକରୁ ଗତ ଶନିବାର ରାତିରେ ଚାନ୍ଦା ଆଦାୟ କରୁଥିଲେ। ୫ଜଣ ଏକ ବୋଲେରୋରେ ଷଠିପୁର ନିକଟରେ ଜଗାକାଳିଆ ବସକୁ ଅଟକାଇ ଚାନ୍ଦା ମାଗିବା ସହିତ ଗଣ୍ତଗୋଳ କରିଥିଲେ। ​ଏନେଇ ବସ ଚାଳକ ଲିଆକତ ଅଲ୍ଲୀ ଖାନ(୫୫) ପୁଲିସକୁ ଜଣାଇଥିଲେ। ଖବର ପାଇ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ବୋଲେରୋ (ଓଡି ୦୧ ଏମ ୩୫୦୦)କୁ ଥାନାକୁ ନେଇଯାଇଥିଲା।
ପାଣିକୋଇଲି ଥାନାଧିକାରୀ ଲିଜାରାଣୀ ବିଶ୍ବାଳଙ୍କ ସୂଚନା ଅନୁସାରେ ପ୍ରଦୀପ ବେହେରା ଜଣେ ଗୃହରକ୍ଷୀ। ସେ ଓଡ଼ିଶା ପୁଲିସରେ କନେଷ୍ଟବଳ ଥିବାର ଗୋଟିଏ ଜାଲ ପରିଚୟପତ୍ର ତିଆରି କରି ରାଜପଥରେ ବିଳମ୍ବିତ ରାତିରେ ଲୁଟ୍ କରୁଥିଲା। ପୂର୍ବରୁ ସେମାନେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳରେ ବହୁବାର ଲୁଟ୍ କରିଥିଲେ ବୋଲି ପୁଲିସ ଆଗରେ ସ୍ବୀକାର କରିଛନ୍ତି। ଗୃହରକ୍ଷୀ ପ୍ରଦୀପ ନାମରେ ଏକାଧିକ ମାମଲା ରହିଛି। ସେ ନିଲମ୍ବିତ ହୋଇ ପୁଣି ଚାକିରି କରୁଥିଲା।
Follow Us