ବରଯାତ୍ରୀ ଶୋଭାଯାତ୍ରା ପୂର୍ବରୁ ଶୋକସଭା: ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିଲା ବେଳେ ଅଗ୍ନିକାଣ୍ଡ, ଶିଶୁ ମୃତ

Advertisment
ବରଯାତ୍ରୀ ଶୋଭାଯାତ୍ରା ପୂର୍ବରୁ ଶୋକସଭା: ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିଲା ବେଳେ ଅଗ୍ନିକାଣ୍ଡ, ଶିଶୁ ମୃତ

ଭୁବନେଶ୍ବର/କେନ୍ଦ୍ରାପଡ଼ା: ବିବାହ ବରଯାତ୍ରୀ ପାଇଁ ପ୍ରସ୍ତୁତ ହୋଇଥିବା ଶୋଭାଯାତ୍ରା ଅଳ୍ପ ସମୟ ମଧ୍ୟରେ ଶୋକସଭାରେ ପରିଣତ ହୋଇଛି। ବରଯାତ୍ରୀରେ ସାମିଲ ହେବାକୁ ଥିବା ବାଇକ୍‌ ଆରୋହୀମାନଙ୍କୁ ପେଟ୍ରୋଲ ବାଣ୍ଟିବା ସମୟରେ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ଜଣେ ୫ ବର୍ଷର ଶିଶୁ ଜଳିଯାଇଛି। ଏହି ଘଟଣାରେ ଅନ୍ୟ ୨ ଜଣ ଲୋକ ଗୁରୁତର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ଥାନା ଅଧୀନ ବଡପଡ଼ା ଗାଁରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ ଆଜି ବଡ଼ପଡ଼ା ଗାଁର ରତ୍ନାକର ମଲ୍ଲିକଙ୍କ ପୁଅ ବାହାଘର ଥିଲା। ବରଯାତ୍ରୀଙ୍କ ବାଇକ୍‌ରେ ପେଟ୍ରୋଲ ପକାଇବା ପାଇଁ ଗୋଟିଏ ଜାର୍‌ରେ ପେଟ୍ରୋଲ ଅଣାଯାଇଥିଲା। ବରଯାତ୍ରୀ ଶୋଭାଯାତ୍ରା ବାହାରିବା ପୂର୍ବରୁ ବାଇକ୍‌ରେ ଯିବା ପାଇଁ ଯୋଜନା କରିଥିବା ଲୋକଙ୍କୁ ପେଟ୍ରୋଲ୍‌ ବଣ୍ଟା ଯାଉଥିଲା। ତେଣୁ ଜଣେ ପରେ ଜଣେ ଲୋକ ଆସି ନିଜନିଜ ବାଇକ୍‌ରେ ପେଟ୍ରୋଲ୍‌ ଭର୍ତ୍ତି କରୁଥିଲେ। ସେହି ସମୟରେ କୌଣସି କାରଣରୁ ପେଟ୍ରୋଲ୍‌ରେ ନିଆଁ ଲାଗି ଯାଇଥିଲା, ଯେଉଁଠାରେ କି ୫ ବର୍ଷର ଶିଶୁ ମଧ୍ୟ ଥିଲା। ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁପୁତ୍ରର ପୋଡ଼ିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ପଡୋଶୀ ତପନ ମଲ୍ଲିକ ଓ ଉପେନ୍ଦ୍ର ମଲ୍ଲିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କେବଳ ସେତିକି ନୁହେଁ। ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ମଧ୍ୟ ଜଳିଯାଇଛି। ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଭାବନୀୟ ଘଟଣାକୁ ନେଇ ବନପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe