ବାପା ଉପରେ ରାଗ, ବଳି ପଡ଼ିଲା ୫ବର୍ଷର ଶିଶୁ

Advertisment

ଅଭିଯୁକ୍ତର ଆତ୍ମସମର୍ପଣ, ଏମଭି-୧୯ରେ ଉତ୍ତେଜନା

ଅଭିଯୁକ୍ତର ଆତ୍ମସମର୍ପଣ, ଏମଭି-୧୯ରେ ଉତ୍ତେଜନା

ପଥରରେ ଛେଚି ମଦ ବ୍ୟବସାୟୀଙ୍କୁ ହତ୍ୟା

new indian express

ମାଲକାନଗିରି : ବାପାଙ୍କ ଶତ୍ରୁତା ଯୋଗୁ ବଳି ପଡ଼ିଗଲା ୫ବର୍ଷର ନିରୀହ ଶିଶୁ। ଘର ନିକଟରୁ ଶିଶୁପୁତ୍ରକୁ ଅପହରଣ କରିବା ପରେ ଶ୍ବାସରୁଦ୍ଧ କରି ନିର୍ମମ ଭାବେ ହତ୍ୟା କରିଛି ଅଭିଯୁକ୍ତ। ମାଲକାନଗିରି ଥାନା ଏମଭି-୧୯ ଗାଁରେ ଏମିତି ଗୋଟିଏ ନାରକୀୟ ଘଟଣା ଘଟିଛି। ପୁଲିସ ପହଞ୍ଚି ଗାଁରେ ତନାଘନା କରିବା ପରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି। ଏଭଳି ଜଘନ୍ୟ ଘଟଣାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଏମଭି-୧୯ ଗ୍ରାମର ହରଧନ ମଣ୍ଡଳ ଏବଂ ବିକାଶ ରାୟଙ୍କ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗି ରହିଥିଲା। ଯାହାକି ସମୟକ୍ରମେ ବଢ଼ି ଚାଲିଥିବା ବେଳେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଥିଲା ବିକାଶ ରାୟ। ଅଭିଯୁକ୍ତକୁ ଗତକାଲି ସେହି ସୁଯୋଗ ମିଳିବାରୁ ହରଧନଙ୍କ ୫ବର୍ଷର ପୁଅ ଅଙ୍କିତକୁ ଘର ନିକଟରୁ ଅପହରଣ କରିଥିଲା। ନିଜ ଘରକୁ ନେଇ ହାତଗୋଡ଼ ସହ ପାଟିକୁ ବାନ୍ଧିବା ପରେ କମ୍ବଳ ଘୋଡ଼ାଇ ଲୁଚାଇ ରଖିଥିଲା। ବାହାରେ ଖେଳାଖେଳି କରୁଥିବା ପୁଅ ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ତଥାପି ଅଙ୍କିତର କୌଣସି ଖୋଜଖବର ନ ମିଳିବାରୁ ଆଜି ସକାଳେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ।

ପୁଲିସ ଗାଁରେ ପହଞ୍ଚି ଛାନିଭନ୍ ଆରମ୍ଭ କରିବା ବେଳକୁ ଅଭିଯୁକ୍ତ ପୁଲିସ ନିକଟରେ ପହଞ୍ଚି ଯାଇଥିଲା। ସେ ହିଁ ଶିଶୁପୁତ୍ରକୁ ଅପହରଣ ପରେ ହତ୍ୟା କରିଥିବା ସ୍ବୀକାର କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ବି ପୁଲିସ ନିକଟରେ ପ୍ରକାଶ କରିଥିଲା। ଅଭିଯୁକ୍ତର ଏଭଳି ସ୍ବୀକାରୋକ୍ତି ପରେ ପୁଲିସ ଲୁଚାଇ ରଖାଯାଇଥିବା ଅଙ୍କିତର ଶବକୁ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇ ଅଭିଯୁକ୍ତକୁ ଗିରଫ କରିଛି। ଅଧିକ ପଚରାଉଚୁରା ଚାଲିଥିବା ବେଳେ ସବୁ ପ୍ରକ୍ରିୟା ଶେଷ ହେବାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହାକୁ ନେଇ ଗାଁରେ ଦିନ ତମାମ ଉତ୍ତେଜନା ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe