ଜମାଟଙ୍କା ଫେରସ୍ତ ଦାବି, ସୁବର୍ଣ୍ଣପୁରରେ ଜମାକାରୀ ମିଳିତ ମଞ୍ଚର ଗଣସତ୍ୟାଗ୍ରହ

Advertisment
ଜମାଟଙ୍କା ଫେରସ୍ତ ଦାବି, ସୁବର୍ଣ୍ଣପୁରରେ ଜମାକାରୀ ମିଳିତ ମଞ୍ଚର ଗଣସତ୍ୟାଗ୍ରହ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକରୀ ମିଳିତ ମଞ୍ଚ ପକ୍ଷରୁ ଅବଧି ପୂରିଯାଇଥିବା ଜମାଟଙ୍କା ଶୀଘ୍ର ଫେରସ୍ତ ଦାବିରେ ବୁଧବାର ଗଣସତ୍ୟାଗ୍ରହ କରାଯାଇଛି। ପ୍ରଥମେ ଜମାକାରୀମାନଙ୍କ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ରୟାଲ ପଡ଼ିଆରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଗଣସତ୍ୟାଗ୍ରହ କରାଯାଇଥିଲା। ଏଥିରେ ଜିଲ୍ଲାର ହଜାର ହଜାର ଜମାକାରୀ ଯୋଗଦେଇ ଜମାଟଙ୍କା ରାଜ୍ୟ ସରକାର ଫେରାଇବାରେ ବିଳମ୍ବ କରୁଥିବା ଅଭିଯୋଗ କରି ସରକାରଙ୍କ ଉପରେ ବର୍ଷିଥିଲେ।

ମିଳିତ ମଞ୍ଚର ଅଭିଯୋଗ ଅନୁସାରେ, ମଞ୍ଚ ପକ୍ଷରୁ ୨୦୧୨ ମସିହାରୁ ବିଭିନ୍ନ ତହସିଲ, ଜିଲ୍ଲା ସଦର ମହକୁମା ଓ ରାଜଧାନୀରେ ଉପରୋକ୍ତ ଦାବି କରାଯାଇଥିଲା। ସରକାର ପ୍ରତିଶ୍ରୁତି ଦେଇ ମଧ୍ୟ ଫେରସ୍ତ କରୁନାହାନ୍ତି। ସରକାର ବସାଇଥିବା କମିସନ ନିକଟରେ ୧୭ ଲକ୍ଷରୁ ଅଧିକ ଜମାକରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ସରକାର ସେହି କମିସନକୁ ବନ୍ଦ କରିବା ସହ ସତ୍ୟପାଠଗୁଡ଼ିକ ଯାଞ୍ଚ ନକରି ୩ ବ‌ର୍ଷ ପକାଇ ରଖିବାରୁ ସେଗୁଡ଼ିକ ନଷ୍ଟ ହୋଇଗଲାଣି। ଓପିଡ଼ା ଆଇନ ଏବଂ ବଡ୍‌ସ ଆଇନ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଲାର ଜମାକାରୀମାନେ କ୍ଲେମ୍‌ ଆବେଦନ ଫର୍ମରେ ଜମାକାରୀ ପ୍ରମାଣପତ୍ର ନକଲ ସହ ମଞ୍ଚ ଜରିଆରେ ଆବେଦନ କରିଛନ୍ତି। ତଥାପି କମ୍ପାନିମାନଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଅନୁକମ୍ପା ଦେଖାଇ ଜମାକାରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି। ଏଣୁ ଶୀଘ୍ର ଅସାଧୁ କମ୍ପାନିଗୁଡ଼ିକର ମାଲିକ, ନିର୍ଦ୍ଦେଶକ, ଆଞ୍ଚଳିକ ମୁଖ୍ୟମାନଙ୍କୁ ଗିରଫ କରି ସେମାନଙ୍କ ବ୍ୟାଙ୍କ ଜମା, ସମ୍ପତ୍ତି ଜବତ କରିବା ସହ ନିଲାମ କରି ଜମାକରୀଙ୍କୁ ସୁଧ ସହ ଟଙ୍କା ଫେରସ୍ତ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

ଏ ସମ୍ପର୍କରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ମଞ୍ଚ ପକ୍ଷରୁ ଦିଆଯାଇଛି। ମଞ୍ଚର ଜିଲ୍ଲା ସଭାପତି ସୋମନାଥ ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାଶ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ବାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ସାହାରା ଜମାକରୀ ମଞ୍ଚର ସଭାପତି ବିଜୟ ପାଢ଼ୀ, ଉପସଭାପତି ବିଭୁଦତ୍ତ ମିଶ୍ର, ସୁଧାଂଶୁ ବେହେରା, କିଶୋର ବଗର୍ତ୍ତି, କୁଶଳେଶ୍ବର ନାୟକ, ପ୍ରଦୀପ ବେହେରା, ଗଙ୍ଗାଧର ବାରିକ, ସତ୍ୟଗୋପାଳ ବାରିକ, ରମେଶ ବେହେରା, ପ୍ରକାଶ କର୍ଣ୍ଣ, ସଞ୍ଜୀବ ପଣ୍ଡା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe