ଆନ୍ତଃ ଜିଲ୍ଲା ପେ‌ଟ୍ରୋଲ ଚୋରି ରାକେଟ୍‌ର ପର୍ଦାଫାସ

Advertisment

ଅନୁଗୁଳ ଜେଲ୍‌ରୁ ଯୋଜନା, ୟୁପିରୁ ଆଇଡିଆ, ୫ଟି ଜିଲ୍ଲାରେ ଚୋରି

ଅନୁଗୁଳ ଜେଲ୍‌ରୁ ଯୋଜନା, ୟୁପିରୁ ଆଇଡିଆ, ୫ଟି ଜିଲ୍ଲାରେ ଚୋରି

ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ସମ୍ବଲପୁର: ଅନୁଗୁଳ ‌ଜେଲ୍‌ରେ ଭେଟ। ଆଉ ସେଠାରୁ ହୋଇଥିଲା ପେଟ୍ରୋଲ, ଡିଜେଲ ଚୋରି ପାଇଁ ଯୋଜନା। ୟୁପିରୁ ବିଶେଷଜ୍ଞଙ୍କ ଆଇଡିଆ ନେଇ ପାଇପ୍ ଲାଇନ୍‌ରୁ ଡିଜେଲ୍‌ ଚୋରି କରୁଥିବା ଏକ ରାକେଟର ପର୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳ ହୋଇଛି। ଏହି ମାମଲାରେ ପୁଲିସ ଗ୍ୟାଙ୍ଗ ଲିଡର୍‌ ଅନୁଗୁଳ ହେମସର ପଡ଼ାର ସୋନୁ କୁମାର ଜେନା ଓ ତାର ୪ ସହଯୋଗୀକୁ ଗତ ଜାନୁଆରି ମାସରେ ଗିରଫ କରିଥିବା ବେଳେ ଗତକାଲି ପୁଣି ଅନ୍ୟ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଗତ ୨୨ ସେପ୍‌ଟେମ୍ବର ୨୦୨୧ରେ ରେଢ଼ା‌ଖୋଲ ଥାନା ଏବଂ ୨୦ ଜାନୁଆରି ୨୦୨୨ରେ କତରବଗା ଥାନା ଅଂଚଳରେ ହୋଇଥିବା ପେଟ୍ରୋଲ ଚୋରି ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି।

ତାଳଚେର ବଡ଼ଦାଣ୍ଡସାହିର ଶିବ ଓରଫ ଦିବ୍ୟ ସାମଲ, ଅନୁଗୁଳ କୁମଣ୍ଡର ଲିପୁ ଓରଫ ଲିପକ କୁମାର ସାହୁ, ୟୁପି ମୈନପୁରୀ ଜିଲ୍ଲା ଉବାୟେନ୍ ଗାଁର ସୋନୁ ଓରଫ ସୁଖେନ୍ଦ ସିଂହ ଓ କ‌ନୌଜ ଜିଲ୍ଲା ଛେବ୍ରାମାଉ ଗାଁର ସୁନୀଲ କୁମାର ଶର୍ମାଙ୍କୁ ରେଢ଼ାଖୋଲ ଥାନା ମାମଲାରେ ଗତ ଜାନୁଆରି ମାସରେ ଗିରଫ କରାଯାଇଥିଲା। ଗତକାଲି କତରବଗା ଥାନା ଅଂଚଳରେ ଅନୁଗୁଳ ଜିଲ୍ଲା ବଅଁରପାଳ ‌ଥାନା ଟେଣ୍ଟଲୋଇର ଦୁଷ୍ମନ୍ତ ନାୟକ, ନିଶା ଥାନା ଗୋଲାବନ୍ଧର ସିପୁନ ବେହେରା, ଅନୁଗୁଳ ସଦର ଥାନା ପରତରା ଗାଁର ମଳୟ କର୍ଣ୍ଣ, ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲିର ବିନୟ ନାଗ, ବରେଇପାଲି ପାଞ୍ଚଗଛିଆର ସୁବାସ ଅଗ୍ରୱାଲ ଏବଂ  କ୍ଷେତରାଜପୁର ଥାନା ତାଲଭଟ୍ଟାପଡ଼ାର ଦୀପକ କୁମାର ଗୋୟଲଙ୍କୁ ଆଜି ଗିରଫ କରାଯାଇଛି। ଏହି ମାମଲାରେ ଅନୁଗୁଳ ବଅଁରପାଳ ଥାନା ଜଗନ୍ନାଥପୁର ସିଦ୍ଧ ନାଏକ, ତାଳଚେର ଦେଉଳବେଡ଼ାର କୁଲୁ ନାଏକ, କିଶୋରନଗର ଥାନା ରାଜାମୁଣ୍ଡାର ମନୋଜ ପ୍ରଧାନ, ବାଲୁଗାଁର ସୁକଦେବ ବେହେରା, ପାଳଲହଡ଼ାର ଚିନୁ, ଉତ୍ତରପ୍ରଦେଶର କହ୍ନେଇଗାଁର ପଙ୍କଜ ଓ ରାହୁଲ ପ୍ରମୁଖ ସଂପୃକ୍ତ ରହିଥିବା ବେଳେ ସେମାନଙ୍କୁ ଶୀଘ୍ର ଗିରଫ କରାଯିବା ପାଇଁ ଚେଷ୍ଟା ଚାଲିଛି ବୋଲି ଏସ୍‌ପି ବି. ଗଂଗାଧର ଆଜି ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କତରବଗା ଥାନା ଅଧିକାରୀ ପ୍ରତାପ କୁମାର ରଣା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ସୋନୁ ଜେନା ଓ ଦୁଷ୍ମନ୍ତ ନାଏକ ନାମରେ ଢେଙ୍କାନାଳ ଜିଲ୍ଲା ରାସୋଲ ଥାନାରେ ୪ଟି,  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ୨ଟି, କତରବଗା ଓ ଚାରମାଳରେ ଗୋଟିଏ ଲେଖାଏଁ ଡିଜେଲ୍‌ ଚୋରି ମାମଲା ରୁଜୁ ହୋଇଛି। ସେହିପରି ଝାରସୁଗୁଡ଼ା ଜିଲ୍ଲା ଲଇକେରା, ଅନୁଗୁଳ ଜିଲ୍ଲା କିଶୋରନଗର ଓ ବଅଁରପାଳ ଏବଂ ବରଗଡ଼ ଜିଲ୍ଲା ସୋହେଲା ଥାନାରେ ଗୋଟିଏ ଲେଖାଏଁ ଏଭଳି ଚୋରି ମାମଲା ସେମାନଙ୍କ ନାମରେ ରହିଛି। ଅଭିଯୁକ୍ତମାନଙ୍କ ବିରୋଧରେ ୨୩ଟି ମାମଲା ରୁଜୁ ହୋଇଥିବା ବେଳେ ଆଗରୁ କେବେ ଏଭଳି ଡିଜେଲ୍ ଚୋରି ମାମଲାରେ ଗିରଫ ନଥିଲେ। ପ୍ରଥମ ଥର ପାଇଁ ସେମାନେ ଏଭଳି ମାମଲାରେ ଗିରଫ ହୋଇଛନ୍ତି। ଚୋରି ସାମଗ୍ରୀକୁ କଟକ ଯୋବ୍ରାର ଦେବ ଏବଂ ତାଳଚେର ଦେଉଳବେଡ଼ାର ଯତନ ପ୍ରଧାନ କିଣୁଥିଲେ।

ଚୋରି କରିବା ପରେ ସେମାନେ ଶସ୍ତା ଦାମରେ ଟ୍ୟାଙ୍କର ପିଛା ୯ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ। ଗୋଶାଳା, କୁଚିଣ୍ଡା ଅଂଚଳର କେତେକ ପଟ୍ରୋଲ ପମ୍ପକୁ ସେମାନେ ଚୋରି ‌ଡିଜେଲ ଅଧା ଦରରେ ଯୋଗାଉ ଥିଲେ। ହେମସରପଡ଼ାର ସୋନୁ କୁମାର ଜେନା  ଅନୁଗୁଳ ଥାନାରେ ନଂ. ୫୧୫/୨୦୧୬ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲା। ୨୦୧୮ ମସିହାରେ ଉତ୍ତରପ୍ର‌ଦେଶର କରଣ ଶର୍ମା ଜରପଡ଼ା ଥାନା ଅନ୍ତର୍ଗତ ଏକ ଡିଜେଲ ଚୋରି ମାମଲାରେ ଗିରଫ ହୋଇ ଅନୁଗୁଳ ଜେଲ୍‌କୁ ଯାଇଥିଲା। ଅନୁଗୁଳ ଜେଲ୍‌ ଭିତରେ ‌ଥିବା ବେଳେ ସୋନୁ ଓ କରଣ ଡିଜେଲ ଚୋରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଜେଲ୍‌ରୁ ବାହାରିବା ପରେ ସେମାନେ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ। ସୋନୁ ଗାଡ଼ି ଓ କିଛି ସ୍ଥାନୀୟ ଲୋକ ଯୋଗାଡ଼ କରିଥିବା ବେଳେ କରଣ ୟୁପିର ପେଟ୍ରୋଲ ଚୋରିରେ ସଂପୃକ୍ତ ବିଶେଷଜ୍ଞ ଚୋରମାନଙ୍କୁ ଡାକି ଆଣିଥିଲା।

ସେମାନେ ଯେଉଁ ଜାଗାରେ ଚୋରି କରୁଥିଲେ ପ୍ରଥମ ଦିନ ଯାଇ ପାଇପ୍‌ ଲାଇନ୍ ପାଖରେ ୫ ଫୁଟ୍ ଗଭୀରତାର ମାଟି ଖୋଲୁଥିଲେ। ଦ୍ବିତୀୟ ଦିନ ସେମାନେ ଟ୍ୟାଙ୍କର, ପାଇପ୍ କଟା ମେସିନ, ଡ୍ରିଲ୍‌ ମେସିନ, ୱେଲଡିଂଗ ମେସିନ ଆଦି ନେଇ ଯାଇ ଡିଜେଲ୍ ଚୋରି କରୁଥିଲେ। ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ସେମାନେ ଏହି ସଂପୂର୍ଣ୍ଣ ପ୍ରକ୍ରିୟାକୁ ପୂରା କରିଦେଉଥିଲେ। ସୋନୁ ଜେନା ଓ ଦୁଷ୍ମନ୍ତ ପ୍ରଥମ ରେକି କରୁଥିବା ବେଳେ ୟୁପିରୁ ଆସିଥିବା ଚୋରମାନେ ଦ୍ବିତୀୟ ଦିନ ଚୋରି କରିବା ପରେ ପୁଣି ୟୁପି ପଳାଇ ଯାଉଥିଲେ ବୋଲି ଏସ୍‌ପି କହିଛନ୍ତି। ଚୋରମାନଙ୍କଠାରୁ ୩ଟି ଟ୍ୟାଙ୍କର ସହିତ ଚୋରି ବ୍ୟବହୃତ ଯନ୍ତ୍ରପାତି ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe