ପୁରୀ : ବରାଦି ଭୋଗ ବାହାରିବା ପରେ ତାକୁ ବାଇଶି ପାହାଚ ଗୁମୁଟ, ଦକ୍ଷିଣଦ୍ବାର ଚକଡା, ଉତ୍ତରଦ୍ବାର ପାହାଚ ଆଦି ସ୍ଥାନରେ ଆଣି ରଖାଯାଉଛି। ଅବଢାକୁ ଏଣେ ତେଣେ ରଖିବା ଫଳରେ ସମସ୍ୟା ଉପୁଜୁଛି। ଏଣିକି ବରାଦି ଭୋଗ ରଖିବା ପାଇଁ ଏକ ପ୍ଲାଟଫର୍ମ ନିର୍ମାଣ କରାଯିବ। କୋଇଲି ବୈକୁଣ୍ଠ ନିକଟ ସୁଆର ମହାସୁଆର ନିଯୋଗରେ ଗୃହ ନିକଟରେ ଏହି ପ୍ଲାଟଫର୍ମ ନିର୍ମାଣ କରିବାକୁ ଆଜି ଶ୍ରୀମନ୍ଦିର ଉନ୍ନୟନ ପାଇଁ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପାଇଁ ଆଲୋଚନା ହୋଇଥିଲା। ସେହିଭଳି ଶ୍ରୀମନ୍ଦିରରେ ରହିଥିବା ଢିଙ୍କି କୁଟା ଘର ଓ କଟାବଟା ଘର ଦୁର୍ବଳ ଥିବା ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏହି ଘରୁ ପାଣି ଗଳୁଥିବାରୁ ଖୁବଶୀଘ୍ର ଏହାର ମରାମତି କରାଯିବ। ସରଘର ମଧ୍ୟ ମରାମତି କରାଯିବ। ଆନନ୍ଦବଜାରରେ ଜଳ ଯୋଗାଣ ପ୍ରକଳ୍ପ କରାଯିବ। ସମୁଦ୍ରକୂଳରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ରହିଛି। ମାତ୍ର ଏହା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରୁନାହିଁ। ତେଣୁ ଏହାର ଆଧୁନିକୀକରଣ କରାଯିବ। ସିଂହଦ୍ବାର ସମ୍ମୁଖରେ ପ୍ରତିହାରୀ ନିଯୋଗର ଏକ ଅସ୍ଥାୟୀ ପଂକ୍ତି ଘର ନିର୍ମାଣ କରାଯିବ। ତେବେ ଏହା ଅସ୍ଥାୟୀ ଭାବେ ନିର୍ମାଣ ହେବ। ଶ୍ରୀମନ୍ଦିର ପାଠାଗାର ବର୍ତ୍ତମାନ ଜଗନ୍ନାଥବଲ୍ଲଭ ମଠ କୋଠାରେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଖୁବଶୀଘ୍ର ଏଥିପାଇଁ ଏକ ନୂତନ କୋଠା ନିର୍ମାଣ କରାଯିବ। ସେହିଭଳି ଜଗନ୍ନାଥ ବଲ୍ଲଭରେ ବହୁତଳ ପାର୍କିଂ ନିର୍ମାଣ ପାଇଁ ରିଲାଏନସକୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ପରିକ୍ରମା ମାର୍ଗ ନିର୍ମାଣ, ଶ୍ରୀମନ୍ଦିର କାର୍ଯ୍ୟାଳୟ ପୁରୁଣା କୋଠାର ନବୀକରଣ କରାଯିବ। ସିଂହଦ୍ବାରରେ ସମ୍ମୁଖରେ ଥିବା ସୂଚନାକେନ୍ଦ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟକୂ ସ୍ଥାନାନ୍ତର ହେବ। ଏଥି ସହିତ ଶ୍ରୀମନ୍ଦିର ପରିସରରେ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯିବ। ବୈଠକରେ ବୈଷୟିକ କମିଟି ସଦସ୍ୟ ଧର୍ମପଦ ମିଶ୍ର, ଶ୍ରୀନ୍ଦିର ପ୍ରଶାସନର ଅଧିକ୍ଷଣ ଯନ୍ତ୍ରୀ ବିନ୍ଧେଶ୍ବର ପାତ୍ର, ନିର୍ବାହୀ ଯନ୍ତ୍ରୀ ଆଶିଷ ସୁବୁଦ୍ଧି, ଆର୍କିଟେକ୍ଟ୍ ଭବାନୀ ମିଶ୍ର, ନିର୍ବାହୀ ଯନ୍ତ୍ରୀ ତାରା ଧଳଙ୍କ ସମେତ ବିଭିନ୍ନ କର୍ପୋରେଟ୍ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିର ଉନ୍ନୟନ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ବରାଦି ଭୋଗ ପାଇଁ କୋଇଲି ବୈକୁଣ୍ଠ ନିକଟରେ ହେବ ପ୍ଲାଟ୍ଫର୍ମ
Advertisment
Follow Us