ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି

Advertisment

୨୦ ମାସ ପରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ତଦନ୍ତ

୨୦ ମାସ ପରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ତଦନ୍ତ

ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି

ଚନ୍ଦ୍ରଗିରି: ୨୦୨୧ ମସିହା ଜୁଲାଇ ୧୬ ତାରିଖରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନଡ଼ିଆସାହିର ପ୍ରମୋଦ ସାହୁଙ୍କ ପତ୍ନୀ ବନିତା ସାହୁ(୩୦) ପରିବାର ନିଯୋଜନ ଅସ୍ତ୍ରୋପଚାର ପଇଁ ଆସିଥିଲେ। ମୋହନା ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ବତନ୍ତ୍ର ଭାବେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡ୍ୟୁଟିରେ ଆସିଥିବା ଡା.ତ୍ରିଶୁଲ୍ ସେନାପତି ତାଙ୍କର ଅସ୍ତ୍ରୋପଚାର କରିଥିଲେ। ତେବେ ଡାକ୍ତରଜଣକ ଅସ୍ତ୍ରୋପଚାର ସମୟରେ ବନିତାଙ୍କ ଗର୍ଭନାଡ଼ି ବଦଳରେ ମୂତ୍ରଥଳିକୁ କାଟି ଦେଇଥିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଥିଲା। ଫଳରେ ପ୍ରମୋଦ ସହାୟତା ପ୍ରଦାନ ସହ ଓ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗଜପତି ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ଶେଷରେ ସେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହିକ୍ରମରେ ଦୀର୍ଘ ୨୦ ମାସ ପରେ ଗତକାଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଚନ୍ଦ୍ରଗିରି ‌ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି।

ଅଭିଯୋଗ ବିଷୟରେ ସେ ଡା.ମୁରଲୀଧର ପାଢ଼ୀ, ମୋହନା ଓ ଚନ୍ଦ୍ରଗିରି ଡାକ୍ତରଖାନାର ଡିଡିଓ ଡା.ନମିତା ପଣ୍ତା, ଗଜପତି ଜିଲ୍ଲା ଏଡିଏମ୍ ବିଭାଗର ମହେନ୍ଦ୍ର କୁମାର ଭୂୟାଁ ଏବଂ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏହାସହ ସମସ୍ତଙ୍କ ଉପସ୍ଥିତିରେ ବନିତା ଓ ତାଙ୍କ ସ୍ବାମୀ ପ୍ରମୋଦଙ୍କଠୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ।। ତଦନ୍ତ ଜାରି ରହିଥିବାରୁ ଅତିରିକ୍ତ ନିର୍ଦ୍ଦେଶକ ଅଧିକ ସୂଚନା ଦେବାକୁ ମନା କରିଛନ୍ତି।
ସୂଚନା ଥାଉକି, ଅସ୍ତ୍ରୋପଚାର ପରେ ବନିତାଙ୍କ ପେଟ ଫୁଲିଯାଇ ପରିସ୍ରା ନହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇ ପରୀକ୍ଷା କରାଯାଇଥିଲା। ଯେଉଁଠି ତାଙ୍କ ମୂତ୍ରଥଳି କାଟିଦିଆଯିବା ଜଣାପଡ଼ିଥିଲା। ପରେ ସେଠାରେ ତାଙ୍କୁ ୨୧ ଦିନ ରଖାଯାଇ ଦ୍ବିତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା ଓ ପୁଣି ୪ ମାସ ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୩ୟ ଥର ପାଇଁ ଅସ୍ତ୍ରୋପଚାର କରାଗଲା। ତଥାପି ବନିତା ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିନାହାନ୍ତି। ପ୍ରମୋଦ ଗରିବ ଶ୍ରେଣୀର ହୋଇଥିବା ବେଳେ ମୂଲ ଲାଗି ଯାହା ରୋଜଗାର କରୁଛନ୍ତି ତାହା ପତ୍ନୀଙ୍କ ଔଷଧ ଖର୍ଚ୍ଚରେ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe