ହକି ବିଶ୍ବକପ୍‌ ପୂର୍ବରୁ ଉଡିପାରେ ବିମାନ!

Advertisment

ଆସୁଛନ୍ତି କ୍ରୀଡାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଆସୁଛନ୍ତି କ୍ରୀଡାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ହକି ବିଶ୍ବକପ୍‌ ପୂର୍ବରୁ ଉଡିପାରେ ବିମାନ!

ରାଉରକେଲା: ଆସନ୍ତା ୨୦୨୩ରେ ଇସ୍ପାତସହରରେ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବା ପୂର୍ବରୁ ରାଉରକେଲାରୁ ଦୈନିକ ବିମାନ ସେବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏ ନେଇ ୧୧ ତାରିଖରେ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ୫ଟି ସଚିବ କି.କେ. ପାଣ୍ଡିଆନ୍‌ଙ୍କ ସମେତ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀ ରାଉରକେଲା ଗସ୍ତରେ ଆସୁଥିବା ଜଣାଯାଇଛି, ଯଦିଓ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନାହିଁ। ବିଶେ‌ଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୧ ତାରିଖ ପୂର୍ବାହ୍ନରେ କ୍ରୀଡାମନ୍ତ୍ରୀ ଶ୍ରୀ ବେହେରା, ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ, ୫ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ଏକ ସ୍ବତନ୍ତ୍ର ବିମାନରେ ରାଉରକେଲାରେ ପହଞ୍ଚିବେ। ସେମାନେ ହକି ଇଣ୍ଡିଆ ଅଧିକାରୀ ଓ ବିମାନ ବନ୍ଦରର ମାଲିକ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆର୍‌ଏସ୍‌ପି)ର ବରିଷ୍ଠ ଅଧିକାରୀଙ୍କ ସହ ରାଉରକେଲା ବିମାନ ବନ୍ଦରର ସ୍ଥିତି ଅନୁଧ୍ୟାନ କରିବେ। ବିଶେଷ କରି ନରେୱ, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଓ ପାରିପାଶ୍ବିକ ସ୍ଥିତି ବୁଲି ଦେଖିବେ।

ଉଲ୍ଲେଖନୀୟ ଯେ ଗତ ଦୁଇ ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଏୟାର ଅଥରିଟି ଅଫ୍ ଇଣ୍ଡିଆ ସମେତ ଘରୋଇ ଉଡାଣ ସଂସ୍ଥାର ଅଧିକାରୀମାନେ ଏକାଧିକ ଥର ବିମାନ ବନ୍ଦର ସ୍ଥିତି ଅନୁଧ୍ୟାନ କରି ସାରିଛନ୍ତି। ଉଡାଣ ଓ ଅବତରଣ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ୪୨ କିମ୍ବା ୭୨ ଆସନ ବିଶି‌ଷ୍ଟ ବିମାନ ଅବତରଣ କରିବାକୁ ରାଉରକେଲା ବିମାନ ବନ୍ଦରର ରନୱେ କ୍ଷମତା ଅଛି କି ନାହିଁ ଘରୋଇ ଉଡାଣକାରୀ ସଂସ୍ଥା ସହ ଆଲୋଚନା ଜାରି ରହିଛି। ଆପାତତଃ ୭୨ ଆସନ ବିଶଷ୍ଟ ବିମାନ ଅବତରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ୭୨ ଆସନ ବିଶିଷ୍ଟ ବିମାନ ଉଡିବାକୁ ଆବଶ୍ୟକ ଲାଇସେନ୍ସ ଅଦ୍ୟାବଧି ଏୟାର ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ମିଳି ନାହିଁ। ସେପଟେ ଏୟାର ଆଲିଆନ୍ସ, ଇଣ୍ଡିଗୋ, ସ୍ପାଇସ୍‌ ଜେଟ୍‌ ମଧ୍ୟରୁ କେଉଁ ବିମାନ ଚଳାଚଳ କରିବ ତାହା ମଧ୍ୟ ନିଷ୍ପତି ହୋଇନାହିଁ। ତେବେ ବାରମ୍ବାର ରାଜ୍ୟ ପ୍ରଶାସନର ଉଚ୍ଚ ଅଧିକାରୀମାନଙ୍କର ରାଉରକେଲା ବିମାନ ବନ୍ଦର ପରିଦର୍ଶନରୁ ସ୍ପଷ୍ଟ ହୋଇଛି ଯେ ରାଉରକେଲାକୁ ଦୈନିକ ବିମାନ ସେବା ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ବିଶେଷ କରି ଏ ସହରରେ ହକି ବିଶ୍ବକପ୍‌ର କିଛି ମ୍ୟାଚ୍ ଖେଳା ହେବାର ଥିବାରୁ ତା’ ପୂର୍ବରୁ ବିମାନ ସେବା ଆରମ୍ଭ କରି ଦେବାଲାଗି ଚେଷ୍ଟା ଚାଲିଛି। ଇତିମଧ୍ୟରେ ପୂର୍ବରୁ ୨୨ ଆସନ ବିଶିଷ୍ଟ ବିମାନ ଅବତରଣ ପାଇଁ ଥିବା ୬୦୦୦ ଫୁଟ ରନ୍‌ୱେକୁ ସଂପ୍ରସାରଣ କରାଯାଇଛି। ଏଠାରେ ସ୍ମରଣୀୟ ଯେ ୨୦୧୯ ଜାନୁଆରି ମାସରେ ଡିଜିସିଏ ରାଉରକେଲା ବିମାନ ବନ୍ଦରକୁ ବାଣିଜ୍ୟିକ ଲାଇସେନ୍ସ ପ୍ରଦାନ କରି ସାରିଛି। କିନ୍ତୁ ଦେଢ଼ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ହେଁ ଦୈନିକ ବିମାନ ସେବା ପାଇଁ ରାଉରକେଲାବାସୀଙ୍କ ସ୍ବପ୍ନ ପୂରଣ ହୋଇନାହିଁ।

ମିଳିଥିବା ସୂଚନା ମୁତାବକ, ୧୧ ତାରିଖରେ ବିମାନ ବନ୍ଦର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଓ ୫ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ଲକ୍ଷ୍ୟ ରଖି ଗତକାଲି ଆର୍‌ଜିଏଚ୍‌ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଡାକ୍ତର ସରୋଜ ମିଶ୍ରଙ୍କ ଅଧ୍ୟକ୍ଷତା ବୈଠକରେ ହସ୍ପିଟାଲର ନିର୍ଦ୍ଦେଶକ, ଅଧୀକ୍ଷକ, ହସ୍ପିଟାଲ ମ୍ୟାନେଜରଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ଥିଲେ। ହସ୍ପିଟାଲର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ସିଟି ସ୍କାନ୍‌ ବ୍ୟବସ୍ଥା ଉଦ୍‌ଘାଟନ ସମେତ ମାତୃଶିଶୁ ହସ୍ପିଟାଲ, କ୍ୟାବିନ୍‌ ବ୍ଳକ, ଅଲଟ୍ରା ସାଉଣ୍ଡ, ଏକ୍ସ-ରେ ମେସିନ୍‌ର ତ୍ରୁଟି ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା। ପରିମଳ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା। ୫ଟି ସଚିବଙ୍କ ଗସ୍ତ ପୂର୍ବରୁ ବର୍ତ୍ତମାନ ହସ୍ପିଟାଲକୁ ଚକାଚକ୍‌ କରିବାକୁ ଚାଲିଛି ଜୋରଦାର କାମ। କ୍ୟାବିନ୍‌ ଓ ଏମ୍‌ସିଏଚ୍‌ ବିଲ୍‌ଡିଂ ତ୍ରୁଟିକୁ ସୁଧାର ସହ ହସ୍ପିଟାଲ ପରିସର ଓ ପ୍ରତ୍ୟେକ ବିଭାଗର ସମ୍ମୁଖର ସୌନ୍ଦର୍ଯ୍ୟକରଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe