ଝାରସୁଗୁଡ଼ାରୁ ଦିଲ୍ଲୀ ପୁଣି ଉଡ଼ିଲା ବୋଇଂ

ଝାରସୁଗୁଡ଼ାରୁ ଦିଲ୍ଲୀ ପୁଣି ଉଡ଼ିଲା ବୋଇଂ

ଝାରସୁଗୁଡ଼ା : ଦିଲ୍ଲୀ-ଝାରସୁଗୁଡ଼ା ଓ ଝାରସୁଗୁଡ଼ା-ଦିଲ୍ଲୀ ମଧ୍ୟରେ ପୁନର୍ବାର ବୋଇଂ ୭୩୭ ସେବା ଆରମ୍ଭ ହୋଇଛି। ଗତ ମାର୍ଚ୍ଚ ୩୧ରେ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦିଲ୍ଲୀ, ହାଇଦ୍ରାବାଦ, କଲିକତାକୁ ବିମାନସେବା ଆରମ୍ଭ କରିଥିଲା। ଉଦ୍‌ଘାଟନ ଦିନ ଦିଲ୍ଲୀ-ଝାରସୁଗୁଡ଼ା ମଧ୍ୟରେ ୧୮୦ ସିଟ୍‌ ବିଶିଷ୍ଟ ବୋଇଂ-୭୩୭ ଚଳାଚଳ କରିଥିବା ବେଳେ କିଛି ଦିନ ପର୍ଯ୍ୟନ୍ତ ଏହା ଜାରି ରହିଥିଲା। ପରେ ସ୍ପାଇସଜେଟ୍‌ କମ୍ପାନି ବୋଇଂ ବଦଳରେ ୭୨ ସିଟ ବିଶିଷ୍ଟ ବିମାନ ଚଳାଇଥିଲା। ଦିଲ୍ଲୀ ପଥରେ ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦେଖି ସ୍ପାଇସ୍‌ ଜେଟ୍‌ ପୁଣି ବୁଧବାରଠାରୁ ବୋଇଂ ୭୩୭ ଚଳାଇବା ଆରମ୍ଭ କରିଛି। ଦିଲ୍ଲୀରୁ ୧୮୦ ଜଣ ଯାତ୍ରୀ ଝାରସୁଗୁଡ଼ା ଆସିଥିବା ବେଳେ ଝାରସୁଗୁଡ଼ାରୁ ୧୬୫ ଯାତ୍ରୀ ଦିଲ୍ଲୀ ଯାଇଥିଲେ।

ଅନ୍ୟପକ୍ଷରେ ସ୍ପାଇସ ଜେଟ୍‌ ପକ୍ଷରୁ ଚଳିତ ମାସ ୬ ତାରିଖ ଓ ୧୨ ତାରିଖରେ ବିମାନ ବାତିଲ ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପାଗ ଖରାପ ଯୋଗୁଁ କୋଲକତା- ଝାରସୁଗୁଡ଼ା, ଝାରସୁଗୁଡ଼ା-ହାଇଦ୍ରାବାଦ, ହାଇଦ୍ରାବାଦ-ଝାରସୁଗୁଡ଼ା ଓ ଝାରସୁଗୁଡ଼ା କୋଲକତା ବିମାନ ବାତିଲ ହୋଇଥିଲା। ଫଳରେ ଯାତ୍ରା କରିବାକୁ ବୋର୍ଡିଂ ପାସ ନେଇ ଅପେକ୍ଷା କରିଥିବା ଯାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଝାରସୁଗୁଡ଼ା ବିମାନ ବନ୍ଦରର କତ୍ତୃର୍ପକ୍ଷଙ୍କ ଠାରୁ ପ୍ରକାଶ ଯେ ପ୍ରତିକୂଳ ପାଗ ବେଳେ ରାତିରେ ଠିକ୍‌ରେ ଦେଖା ନଯିବାରୁ ବିମାନ ଅବତରଣ ସମ୍ଭବ ହୋଇନଥାଏ। ଯଦି ମେଘୁଆ ପାଗ ଥିବ ବିମାନ ଅବତରଣ କରି ନଥାଏ। ଏଭଳି ସମସ୍ୟା ପାଇଁ ବିମାନ ବନ୍ଦରରେ ଡ଼ିଏମ୍ଇ ( ଡ଼ିସଷ୍ଟେନ୍ସ ମେଜରିଂ ଇକ୍ୟୁପମେଣ୍ଟ) ଲଗାଯାଇଛି। ମାତ୍ର ଏହାର କମିସନିଂ ହୋଇ ପାରିନାହିଁ। ସେହିପରି ଲ୍ୟାଣ୍ଡିଂ ସିଷ୍ଟମ୍‌ ନାମରେ ଆଉ ଏକ ଇକ୍ୟୁପମେଣ୍ଟ ସ୍ଥାପନ କରାଯିବ। ଯାହାକି ସମୟ ସାପେକ୍ଷ ଅଟେ। ଏଭଳି ବୈଷୟିକ ସମସ୍ୟା ପାଇଁ ବିମାନ ସେବାରେ ଚଳିତ ମାସ ୨/୩ ଦିନ ସମସ୍ୟା ସୃଷ୍ଟି ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe