Odisha Sun Times
ଝାରସୁଗୁଡ଼ା : ଶେଷରେ ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁର ମଧ୍ୟରେ ବହୁ ପ୍ରତୀକ୍ଷିତ ବିମାନସେବା ଆରମ୍ଭ ହୋଇଛି। ଉଡ଼ାନ-୩ ଯୋଜନାରେ ଅନୁମତି ପାଇଥିବା ଏୟାର ଇଣ୍ଡିଆର ସହଯୋଗୀ ସଂସ୍ଥା ଏଲାୟନ୍ସ ଏୟାର ବିମାନ କମ୍ପାନି ଆଜିଠାରୁ ଏହି ସେବା ଯୋଗାଇବା ଆରମ୍ଭ କରିଛି। ଭୁବନେଶ୍ୱରରୁ ୭୨ ଜଣ ଯାତ୍ରୀଙ୍କୁ ନେଇ ଦିନ ୧୧ଟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିମାନ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ବିମାନବନ୍ଦର ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହି ବିମାନରେ ଭୁବନେଶ୍ବରରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ମଧ୍ୟ ଆସିଥିଲେ। ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡ଼ାରୁ ଏହି ବିମାନ ୫୪ ଜଣ ଯାତ୍ରୀଙ୍କୁ ନେଇ ପୁଣି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା। ଝାରସୁଗୁଡ଼ାରେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ନବ କିଶୋର ଦାସ ଓ ସଚିବ ଉଷା ପାଢ଼ୀଙ୍କ ସହ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏଠାରୁ ଆଗାମୀ ଦିନରେ ଚେନ୍ନାଇ, ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ ଯେପରି କରିବ ସେନେଇ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ। ସାଂସଦ ଏହି ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ମିଳିବା ନେଇ ଆଶା ବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଦେଶର ବିଭିନ୍ନ ସ୍ଥାନରେ ଏହି ବିମାନ ସେବା ପ୍ରଦାନ କରାଯାଉଥିବା ବେଳେ ଆସନ୍ତା ୭ ତାରିଖ ବେଙ୍ଗାଲୁରୁ- ମହିସୁର ମଧ୍ୟରେ ବିମାନ ସେବା ଆରମ୍ଭ ହେବ ବୋଲି ଶ୍ରୀମତୀ ପାଢ଼ୀ ସୂଚନା ଦେଇଥିଲେ। ବିମାନ ବନ୍ଦର ନିଦ୍ଦେର୍ଶକ ସୁଦେଶ ଚୌହାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବହୁ ପଦସ୍ଥ ଅଧିକାରୀଙ୍କ ସହିତ ଏସ୍ପି ଅଶ୍ବିନୀ ମହାନ୍ତି, ପିଡି ସତ୍ୟନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Follow Us