ଖରାପ ପାଗ ଓ ପବନ ହେଲା କାଳ : ମଝି ଚିଲିକାରେ ଫସିଗଲା ଭସାପୋଲ

Advertisment

ବସ୍‌, କାର୍ ଓ ବାଇକ୍‌ ସହ ଥିଲେ ୧୧୫ ଯାତ୍ରୀ, ଅଧଘଣ୍ଟା ପରେ ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର

ବସ୍‌, କାର୍ ଓ ବାଇକ୍‌ ସହ ଥିଲେ ୧୧୫ ଯାତ୍ରୀ, ଅଧଘଣ୍ଟା ପରେ ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର

ଖରାପ ପାଗ ଓ ପବନ ହେଲା କାଳ : ମଝି ଚିଲିକାରେ ଫସିଗଲା ଭସାପୋଲ

ବ୍ରହ୍ମଗିରି : ପ୍ରତିକୂଳ ପାଗ ଯୋଗୁଁ ଆଜି ଅପରାହ୍ଣରେ ମଝି ଚିଲିକାରେ ଶତାଧିକ ଯାତ୍ରୀଙ୍କ ସହ ଏକ ବସ୍‌, ଏକାଧିକ କାର୍‌ ଓ ବାଇକ୍‌ ନେଇ ଆସୁଥିବା ଭସାପୋଲ ଚ୍ୟାନେଲ ବାହାରକୁ ଯାଇ ଅଟକି ଯାଇଥିଲା । ପ୍ରାୟ ୧୫ ମିନିଟ୍ ଧରି ଯାତ୍ରୀମାନେ ଭଗବାନଙ୍କ ଭରସାରେ ରହିଲେ। ପବନ ଓ ଜୁଆରର ଭୟଙ୍କର ରୂପ ଦେଖି ତ୍ରାହି ତ୍ରାହି ଡାକିଲେ। ତେବେ ଖବର ପାଇ ଆଉ ଏକ ଭସାପୋଲ ସହିତ ଏକ୍ସାଭେଟର୍‌ ଯାଇ ଅଟକି ଥିବା ଭସାପୋଲକୁ ଉଦ୍ଧାର କରି କୂଳକୁ ଆଣିବାରୁ ସମସ୍ତେ ସୁରକ୍ଷିତ ଭାବେ ଫେରି ଆସିଲେ। ଆଜି ଏଭଳି ଏକ ଅଘଟଣ ପୁଣିଥରେ ଚିଲିକାରେ ବିପଦପୂର୍ଣ୍ଣ ନୌଯାତ୍ରାର ଚିତ୍ରକୁ ସାମ୍ନାକୁ ଆଣିଛି।

ଆଜି ଅପରାହ୍ଣରେ ନିୟମିତ ଭାବେ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଭସାପୋଲ ବାହାରିଥିଲା। ଭସାପୋଲରେ ବ୍ରହ୍ମପୁରରୁ ପୁରୀ ଆସୁଥିବା ଏକ ଯାତ୍ରୀବାହୀ ବସ୍‌, ୪ଟି ଚାରିଚକିଆ ଗାଡ଼ି, ୧୫ଟି ବାଇକ୍‌ ସହ ମୋଟ ୧୧୫ଜଣ ଯାତ୍ରୀ ଆସୁଥିଲେ। ହଠାତ୍ ମଝି ଚିଲିକାର ମହିଁଷାକୁଦ ପାଖରେ ଭସାପୋଲଟି ଚ୍ୟାନେଲ୍‌ରୁ ବାହାରକୁ ପଳାଇଥିଲା। ଚ୍ୟାନେଲ୍‌ ବାହାରକୁ ଯିବା ପରେ ଭସାପୋଲ ସହିତ ଯାତ୍ରୀ ମଝି ଚିଲିକାରେ ଅଟକି ରହିଥିଲେ। ଏଥିରେ ଶିଶୁ, ମହିଳା ଓ ବରିଷ୍ଠ ନାଗରିକମାନେ ବି ରହିଥିଲେ। ଉଭୟ କୂଳ ଅର୍ଥାତ୍ ଜହ୍ନିକୁଦା ଘାଟଠାରୁ ଅଢ଼େଇ କିଲୋମିଟର ଓ ସାତପଡ଼ା ଘାଟଠାରୁ ଅଢ଼େଇ କିଲୋମିଟର ମଝିରେ ଭସାପୋଲ ଫସି ରହିଥିଲା। ଖବର ପାଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ଆଉ ଏକ ଛୋଟ ଭସାପୋଲ ସହ ଏକ୍ସାଭେଟର୍‌ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଅତ୍ୟନ୍ତ ସର୍ତକତାର ସହିତ ଚ୍ୟାନେଲ୍‌ ବାହାରକୁ ଯାଇଥିବା ଭସାପୋଲକୁ ପୁଣି ଥରେ ତାର ଚ୍ୟାନେଲ୍‌ ଭିତରକୁ ଆଣିଥିଲେ। ଦୀର୍ଘ ୩୦ ମିନିଟ୍ ପରେ ସାତପଡ଼ା ଘାଟରେ ଭସାପୋଲକୁ ଆଣି ସୁରକ୍ଷିତ ଭାବେ ପହଞ୍ଚା ଯାଇଥିଲା। ସମସ୍ତ ଯାତ୍ରୀ ଓ ଗାଡ଼ି ସୁରକ୍ଷିତ ଅବସ୍ଥାରେ କୂଳରେ ପହଞ୍ଚିଥିଲେ।

ଏ ନେଇ ସ୍ଥାନୀୟ ସିଡିଏ ଅଧିକାରୀ ଓ ଭସାପୋଲ ଚାଳକଙ୍କ ପ୍ରତିକ୍ରିୟା ହେଲା, ଭସାପୋଲଟି ମଝି ଚିଲିକାରେ ଚ୍ୟାନେଲ ବାହାରକୁ ଯାଇ ଅଟକି ଯାଇଥିଲା। ଫେବ୍ରୁଆରି ମାସଠାରୁ ଚିଲିକାରେ ପାଣି କମ୍‌ ରହିଥାଏ। ଜୁଆର ଛାଡ଼ିଗଲେ କିମ୍ବା ପବନ ହେଲେ ଭସାପୋଲ ଚ୍ୟାନେଲ ବାହାରକୁ ଯିବାର ଆଶଙ୍କା ବହୁତ ଅଧିକ ରହିଥାଏ। ଆଜି ଠିକ୍ ତାହାହିଁ ଘଟିଥିଲା। ହଠାତ୍ ମଝି ଚିଲିକାରେ ପ୍ରବଳ ବେଗରେ ପବନ ବୋହିବା ଏବଂ ଜୁଆରରେ ଭଟ୍ଟା ହେବା ଯୋଗୁଁ ସମ୍ଭବତଃ ଏପରି ହୋଇଥିଲା। ତେବେ ସମସ୍ତ ଯାତ୍ରୀ ଓ ଗାଡ଼ି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିବା ସିଡିଏ ଅଧିକାରୀ କହିଛନ୍ତି।

ପ୍ରକାଶଯୋଗ୍ୟ, ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଭସାପୋଲ ଚିଲିକାର ଏକ ନିର୍ଦ୍ଦିଷ୍ଟ ନାଳି(ଚ୍ୟାନେଲ)ରେ ଯାତାୟାତ କରିଥାଏ। ଯାହାର ଓସାର ୨୫ ମିଟର ଓ ଗଭୀରତା ୨୫ ମିଟର। ଦୀର୍ଘ ୫ କିଲୋମିଟର ରାସ୍ତାରେ ଯାତ୍ରୀ ପରିବହନ କରିଥାଏ ଭସାପୋଲ। ଦୀର୍ଘ ଦିନ ହେଲାଣି ଭସାପୋଲ ଚ୍ୟାନେଲ୍‌ର ପୁନରୁଦ୍ଧାର କରାଯାଇ ନାହିଁ। ପଟୁ ମାଡ଼ିଯିବାରୁ ଏହା ପୋତି ହୋଇଗଲାଣି। ଫଳରେ ଭସାପୋଲ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛି। ଅନେକ ଥର ମଝି ଚିଲିକାରେ ଭସାପୋଲ ଫସି ରହିବାର ନଜିର ମଧ୍ୟ ରହିଛି। ଏମିତିକି ୩ ଶହ ଯାତ୍ରୀ ସହିତ ସାରାରାତି ମଝି ଚିଲିକାରେ ଭସାପୋଲ ଫସି ରହିବାର ନଜିର ପୂର୍ବରୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe