ବନ୍ୟା ବିପନ୍ନଙ୍କୁ ପଲିଥିନ ମିଳୁନି: ତହସିଲଦାରଙ୍କ ପାଦତଳେ ପଡ଼ିଲେ ଜିଲ୍ଲା ପରିଷଦ ସଭ୍ୟ

ବନ୍ୟା ବିପନ୍ନଙ୍କୁ ପଲିଥିନ ମିଳୁନି: ତହସିଲଦାରଙ୍କ ପାଦତଳେ ପଡ଼ିଲେ ଜିଲ୍ଲା ପରିଷଦ ସଭ୍ୟ

ବୀରମହାରାଜପୁର : ଲଗାଣ ବର୍ଷାରେ କ୍ଷତିଗ୍ରସ୍ତଙ୍କୁ ପଲିଥିନ ଖଣ୍ଡିଏ ଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ର ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ତହସିଲଦାର ବିବୁଧ ଗଡ଼ନାୟକଙ୍କ ପାଦତଳେ ପଡ଼ି ଗୁହାରି କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଲଗାଣ ବର୍ଷା ଯୋଗୁଁ ଉଫୁଲା ପଞ୍ଚାୟତ ଖମ୍ବେଶ୍ୱରୀପାଲି ଗ୍ରାମର ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଲୋକଙ୍କ ଘର ବର୍ଷାରେ ଭାଙ୍ଗିଯାଇଛି। ସେମାନେ ଏବେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି। ଏ ସଂପର୍କରେ ଖବର ପାଇ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସାହୁ ଶୁକ୍ରବାର ତହସିଲଦାରଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ସେ ତାଙ୍କ ଫୋନ୍ ଉଠାଇ ନଥିଲେ। ସେଥିପାଇଁ ସନ୍ଧ୍ୟା ପ୍ରାୟ ୬ଟାରେ ଶ୍ରୀ ସାହୁ ତହସିଲ ଅଫିସରେ ପହଞ୍ଚିଥିଲେ। ତାଙ୍କ ସହିତ ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ରାଜଗୋପାଳ ପାଣିଗ୍ରାହୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ ମଧ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ତହସିଲଦାର ସ୍ବାଗତ ପୁରୋହିତଙ୍କୁ ଭେଟି ବିପନ୍ନ ପରିବାରକୁ ପଲିଥିନ ଯୋଗାଇଦେବାକୁ ଅନୁରୋଧ କରିଥିଲେ।

କ୍ଷତିଗ୍ରସ୍ତଙ୍କୁ ପଲିଥିନ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର କହିଥିଲେ। ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସାହୁ ଓ ଅନ୍ୟମାନେ ଅସନ୍ତୋଷ ପ୍ରକାଶ କରି ତହସିଲଦାର ଶ୍ରୀ ଗଡ଼ନାୟକଙ୍କ କୋଠରିକୁ ଯାଇ ତାଙ୍କ ପାଦତଳେ ପଡ଼ିଯାଇଥିଲେ। ତହସିଲଦାର ଶ୍ରୀ ଗଡ଼ନାୟକ ହଡ଼ବଡ଼େଇ ଯାଇ ସେମାନଙ୍କୁ ତଳୁ ଉଠାଇଥିଲେ। କ୍ଷତିଗ୍ରସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାର ପଲିଥିନ ମହଜୁଦ ରହିଛି। ଆବଶ୍ୟକ ଲୋକଙ୍କୁ ନିଶ୍ଚିତ ଭାବେ ପଲିଥିନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବୀରମହାରାଜପୁର ବ୍ଲକ୍‌ ଉଫୁଲା, ବାଗବର, ଜଟେସିଙ୍ଘା, ସୁବଳୟା ଓ ପିତାମହୁଲ ପଞ୍ଚାୟତରେ ମଧ୍ୟ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି। ସେମାନଙ୍କୁ ମଧ୍ୟ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe