ଘଡ଼ିଆଳ ଗବେଷଣାକୁ ବନ୍ୟା ପ୍ରଭାବ : ତିନି ମଲେ, ଆଉ ଆସିବେ ୧୦

Advertisment

ନନ୍ଦନକାନନରୁ ଖୁବ୍‌ଶୀଘ୍ର ଆସିବେ କୁମ୍ଭୀର ଛୁଆ

ନନ୍ଦନକାନନରୁ ଖୁବ୍‌ଶୀଘ୍ର ଆସିବେ କୁମ୍ଭୀର ଛୁଆ

ବନ୍ତଳା: ସାତକୋଶିଆ ଗଣ୍ଡରେ କୁମ୍ଭୀର ମୃତ

BBC

ଅନୁଗୁଳ : ଘଡ଼ିଆଳ ଗବେଷଣାର ଚାଲିଛି ମାନସ ମନ୍ଥନ। ବିଲୁପ୍ତ ପ୍ରାୟ ଘଡ଼ିଆଳ କୁମ୍ଭୀର ବଂଶର ପୁର୍ନବିକାଶ ପାଇଁ ଗତବର୍ଷ ସାତକୋଶିଆ ଗଣ୍ଡରେ ବନ ବିଭାଗ ଯେଉଁ ଘଡ଼ିଆଳ ଛାଡ଼ିବା ଉଦ୍ୟମ ଆରମ୍ଭ କରିଥିଲା, ତାହା ଅଧା ଅଧିଆ ସଫଳ ହୋଇଛି। ମୋଟ୍ ୫ଟି ଯାକ ଛୁଆ ଘଡ଼ିଆଳ ମଧ୍ୟରୁ ତିନୋଟିର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଟିକୁ ନିକଟରେ ଠାବ କରାଯାଇଛି। ଗବେଷଣାକୁ ଆଉ ଦୁଇ ପାଦ ଆଗେଇ ନେବା ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ପୁଣି କୁମ୍ଭୀର ଛାଡ଼ିବା ପାଇଁ ଯୋଜନା ହୋଇଛି। ଚଳିତ ଶୀତଋତୁ ମଧ୍ୟରେ ନନ୍ଦନକାନନରୁ ପ୍ରାୟ ୧୦ଟି ଘଡ଼ିଆଳ ଆଣି ମହାନଦୀରେ ଛଡ଼ାଯିବ ବୋଲି ସାତକୋଶିଆ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ୍‌ କରାଟ୍ ‘ସମ୍ବାଦ’କୁ କହିଛନ୍ତି।

ଏକଦା ସାତକୋଶିଆ ଗଣ୍ଡ ଥିଲା ଘଡ଼ିଆଳ କୁମ୍ଭୀରମାନଙ୍କର ଏକ ପ୍ରକୃଷ୍ଟ ଆବାସସ୍ଥଳୀ। ମହାନଦୀର ଏହି ଗଣ୍ଡ ଘଡ଼ିଆଳଙ୍କ ପାଇଁ ଏତେ ଉପଯୋଗୀ ଥିଲା ଯେ, କିଛି ବର୍ଷ ପୂର୍ବେ ଏଠି ଗଣ୍ଡାଗଣ୍ଡା ଘଡ଼ିଆଳ ଛୁଆ ପ୍ରଜନନ ହୋଇଥିଲା। ପୂର୍ବରୁ ବୈଜ୍ଞାନିକ ଏଠି ଘଡ଼ିଆଳଙ୍କ ଉପରେ ଗବେଷଣା କରିଥିଲେ। ଅଣ୍ଡାକୁ ଫୁଟାଇ ସେଥିରୁ ଛୁଆ ବାହାର କରି ଗଣ୍ଡ ପରିବେଶ ଭିତରେ ତାକୁ ବଢ଼ାଇଥିଲେ। କିନ୍ତୁ, ଗତ କିଛିବର୍ଷ ହେଲା ଘଡ଼ିଆଳଙ୍କର ଏ ଆବାସକୁ ମଗର ପ୍ରଜାତି କୁମ୍ଭୀର ସତେ ଯେପରି ମାଡ଼ି ବସିଛନ୍ତି। ସାତକୋଶିଆର ଏତେ ବଡ଼ ଗଣ୍ଡରେ ମାତ୍ର ଗୋଟିଏ/ଦୁଇଟି ଘଡ଼ିଆଳକୁ ଛାଡ଼ିଦେଲେ ଆଉ ସବୁଠି ମଗର ହିଁ ମଗର ବସବାସ କରୁଛନ୍ତି। ଏମାନଙ୍କ ସଂଖ୍ୟା ଶହେରୁ ଅଧିକ ବୋଲି କୁମ୍ଭୀର ଗଣନାରୁ ସ୍ପଷ୍ଟ ହୋଇଛି। କିନ୍ତୁ, ସାତକୋଶିଆ ପରିବେଶରେ ବିଲୁପ୍ତପ୍ରାୟ ଘଡ଼ିଆଳ ବଂଶର ପୁନରୁଦ୍ଧାର ପାଇଁ ଯୋଜନା ଆରମ୍ଭ କରିଛନ୍ତି। କାହିଁକି ଏବଂ କେଉଁ ପରିସ୍ଥିତିରେ ଘଡ଼ିଆଳଙ୍କ ପ୍ରଜନନ ଏଠି ହେଉ ନାହିଁ ଗତବର୍ଷଠାରୁ ତାର କାରଣ ଖୋଜା ଆରମ୍ଭ ହୋଇଛି।

ଗବେଷଣାର ଶୁଭାରମ୍ଭ ସ୍ବରୂପ, ଗତବର୍ଷ ଜୁଲାଇ ମାସରେ ନନ୍ଦନକାନନରୁ ୫ଟି ଘଡ଼ିଆଳ ଛୁଆ ଅଣାଯାଇଥିଲା। ତିନୋଟି ମାଈ ଏବଂ ଦୁଇଟି ପୁରୁଷ ଘଡ଼ିଆଳ ଛୁଆଙ୍କୁ ସାତକୋଶିଆ ଗଣ୍ଡର ସୁନାଖଣି ଇଲାକାରେ ଛଡ଼ାଯାଇଥିଲା। କିନ୍ତୁ, ବର୍ଷା ସମୟରେ ଏ ଛୁଆଙ୍କୁ ଗଣ୍ଡରେ ଛଡ଼ାଯିବା ସେମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଦୁଇଟି ଛୁଆ ତୀବ୍ର ବନ୍ୟା ସ୍ରୋତରେ ତଳକୁ ଭାସି ଯାଇ ମୃତ୍ୟୁବରଣ କରିଥିବା ବେଳେ ଆଉ ତିନୋଟି ନିଖୋଜ ଥିଲେ। ନିକଟରେ ନିଖୋଜଙ୍କ ମଧ୍ୟରୁ ୨ଟିକୁ ଚିହ୍ନଟ କରାଯାଇଛି। ଆଉ ଗୋଟିଏର ଏବେ ବି ପତ୍ତା ମିଳି ପାରିନାହିଁ। ତେଣୁ, ଏହି ୫ଟି ମଧ୍ୟରୁ ୩ଟି ଛୁଆର ମୃତ୍ୟୁ ହୋଇଛି ବୋଲି ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ଶ୍ରୀ କରାଟ୍‌ ସୂଚନା ଦେଇଛନ୍ତି।

ବଞ୍ଚିଥିବା ୨ଟି ଛୁଆଙ୍କର ଗତିବିଧି ଉପରେ ନଜର ରଖାଯାଇଛି। ଗତ ବର୍ଷକ ମଧ୍ୟରେ ଘଡ଼ିଆଳଙ୍କ ଗତିବିଧିର ତର୍ଜମା କରାଯାଇଛି। ନିକଟରେ ପିସିସିଏଫ୍‌ଙ୍କ ନିକଟରେ ଏହା ଉପରେ ଏକ ସମୀକ୍ଷା ହୋଇଥିଲା। ଗଣ୍ଡର ସୁନାଖଣି ଇଲାକାର ସୁରକ୍ଷାକୁ ବେଶି ଗୁରୁତ୍ବ ଦିଆଯାଇଛି ବୋଲି ଶ୍ରୀ କରାଟେ କହିଛନ୍ତି। ଏ ପ୍ରକଳ୍ପ ପାଇଁ ତିନି ବର୍ଷରେ ତିନି ଥର ନନ୍ଦନକାନନ କୁମ୍ଭୀର ଯୋଗାଇ ଦେବାର ଯୋଜନା ହୋଇଛି। ବର୍ଷା ସମୟରେ ଛୁଆ ଛାଡ଼ିଲେ ବନ୍ୟା ବିପଦ ଥିବାରୁ ଚଳିତ ବର୍ଷ ଶୀତ ଦିନେ ଘଡ଼ିଆଳ ଛୁଆଙ୍କୁ ଛାଡ଼ିବାକୁ ଯୋଜନା କରାଯାଇଛି। ଖୁବ୍‌ଶୀଘ୍ର ୧୦ଟି ଘଡ଼ିଆଳ ନନ୍ଦନକାନନରୁ ସାତକୋଶିଆ ଗଣ୍ଡକୁ ଅଣାଯିବ। ସେହି ସୁନାଖଣି ଇଲାକାରେ ଛଡ଼ାଯିବ ବୋଲି ଶ୍ରୀ କରାଟ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe