କମିଲା ବର୍ଷା ଆଶଙ୍କା; ବଢ଼ିଲା ବନ୍ୟା ଭୟ: ୬ ଜିଲ୍ଲାକୁ ଜାରିହେଲା ବନ୍ୟା ଆଲର୍ଟ

କମିଲା ବର୍ଷା ଆଶଙ୍କା; ବଢ଼ିଲା ବନ୍ୟା ଭୟ: ୬ ଜିଲ୍ଲାକୁ ଜାରିହେଲା ବନ୍ୟା ଆଲର୍ଟ

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜ୍ୟରେ ଲାଗି ରହିଥିବା ପ୍ରବଳ ବର୍ଷା ଥମି ଯାଇଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଛି। ଫଳରେ ଏହାର ପ୍ରଭାବ ଆଉ ଓଡ଼ିଶା ଉପରେ ରହିବ ନାହିଁ। ଆଜି ଅପରାହ୍ନ ଠାରୁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟ ଏବ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇ ଝାଡଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଯଦିଓ ଏବେ ରାଜ୍ୟରେ ଲଘୁଚାପଜନିତ ବର୍ଷା ନାହିଁ; ତେବେ ବି ଉପକୂଳ ଓଡ଼ିଶା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଟବର୍ତୀ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ଏଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

publive-image

ଅନ୍ୟପକ୍ଷରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୨୪ଟି ଗେଟ ଖୋଲାଯାଇଛି। ଏହି ଡ୍ୟାମକୁ ୬ ଲକ୍ଷ ୫୬ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ହଜାର ୬୫୮ କ୍ୟୁସେକ ଜଳ। କେବଳ ଏତିକି ନୁହେଁ, ତଳମୁଣ୍ଡରେ ବି ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳପ୍ରବାହ ବଢିଚାଲିଛି। ଏହା ମଧ୍ୟରୁ ବରମୁଳରେ ୬.୧୦ ଲକ୍ଷ, ମୁଣ୍ଡୁଳିରେ ୭.୫୪ ଲକ୍ଷ, ଖଇରମାଳରେ ୯.୩୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି।

publive-image

କେବଳ ଏତିକି ନୁହେଁ, ମହାନଦୀର ଉପନଦୀ ଇବ ଓ ତେଲ ନଦୀଦେଇ ପ୍ରବଳ ଜଳ ମହାନୀଦେର ପ୍ରବେଶ କରୁଛି। ଏହା ଫଳରେ ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ବଢିଯାଇଛି। ମହାନଦୀରେ ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନଜରରେ ରଖି ଆଜି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପୁରୀ, କଟକ, ନୟାଗଡ, ଖୋର୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଭଳି ୬ଟି ଜିଲ୍ଲା ପ୍ରଶାସନକୁ ବନ୍ୟା ଆଲର୍ଟ ଜାରି କରିଛନ୍ତି। ଏସ୍‌ଆର୍‌ସି କହିଛନ୍ତି, ପାଖାପାଖି ୩ରୁ ୪ଦିନ ପର୍ଯ୍ୟନ୍ତ ମୁଣ୍ଡୁଳି ଦେଇ ସେକେଣ୍ଡ ପ୍ରତି ୮ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ। ଦୟା ନଦୀ ବି ଫୁଲିବ। ଏଣୁ କେନ୍ଦ୍ରାପଡ଼ା, ଜଗତସିଂହପୁର ତ୍ରିକୋଣଭୂମି ସମେତ କଟକ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାପାଳଙ୍କୁ ବନ୍ୟା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦେଶ ଦିଆଯାଇଛି। ନଦୀବନ୍ଧ ପାଟ୍ରୋଲିଂ ସହିତ ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳକୁ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe