ବାଙ୍କୀରେ ବନ୍ୟା ବିତ୍ପାତକୁ ସପ୍ତାହେ ପୂରିଲା: ପାଣିଘେରରେ ଗାଁ, ଚାଷଜମିରେ ଆହୁରି ୧୦ଦିନ ରହିବ

Advertisment
ବାଙ୍କୀରେ ବନ୍ୟା ବିତ୍ପାତକୁ ସପ୍ତାହେ ପୂରିଲା: ପାଣିଘେରରେ ଗାଁ, ଚାଷଜମିରେ ଆହୁରି ୧୦ଦିନ ରହିବ

Representational

କଟକ : ବାଙ୍କୀରେ ଖସୁଛି ବନ୍ୟାପାଣି, ତଥାପି ଦୁର୍ଦ୍ଦଶା ଥମୁନି। ଏବେ ବି ପାଣି ଘେରରେ ରହିଛି ବିଲିପଡା, ଶୁଖୁଆଖଳା, କଇଁମୁଣ୍ଡି ଭଳି ଅନେକ ଗାଁ। ତିନି-ଚାରିଟି ଗାଁ ରାସ୍ତା ସହ ହୁଳୁହୁଳା ସେତୁ, ଆନନ୍ଦପୁର ପୋଲ ଉପରେ ଏବେ ବି ଚାଲୁଛି ଡଙ୍ଗା। ବସୁଧା ଯୋଜନାରେ କରାଯାଇଥିବା ଅନେକ ପାନୀୟଜଳ ପ୍ରକଳ୍ପରୁ ଏବେ ପାଣି ଛାଡିବା ପରେ ଲୋକ ତାକୁ ବ୍ୟବହାର କରୁଛନ୍ତି। ହେଲେ, ଅଞ୍ଚଳରେ ଚାଷ ସଂପୂର୍ଣ୍ଣ ଉଜିଯାଇଛି। ଭାଙ୍ଗିଯାଇଛି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ। ଗାଁରୁ ପାଣି ଖସିଯାଇଛି କିନ୍ତୁ ଚାଷଜମିରୁ ପାଣି ଖସିବାକୁ ଆହୁରି ୧୦ଦିନରୁ ଅଧିକ ସମୟ ଲାଗିବ। ସ୍ଥିତି ବର୍ତ୍ତମାନ ଏମିତି ଯେ, ନାଗଦଳ, ଚାଷଜମି‌ର ଉଜୁଡା ଚାଷର ଦୁର୍ଗନ୍ଧରେ ଫାଟୁଛି ଗାଁ ପରିବେଶ। ପ୍ରଶାସନ ପକ୍ଷରୁ ଯଦିଓ ରନ୍ଧାଖାଦ୍ୟ ଓ ପଲିଥିନ୍‌ ବଣ୍ଟନ କରାଯାଉଥିବା କୁହାଯାଉଛି, ହେଲେ ତାହା ପର୍ଯ୍ୟାପ୍ତ ହୋଇପାରୁନି। ଏପରିକି ଗୋଖାଦ୍ୟ ମଧ୍ୟ ଠିକ୍‌ରେ ଦିଆଯାଉ ନଥିବା ଅଭିଯୋଗ ହୋଇଛି।

ସୋମବାର ବାଙ୍କୀ ବନ୍ୟା ବିତ୍ପାତକୁ ୭ଦିନ ପୂରିବ। ଯଦିଓ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି, ତେବେ ତାହା କେତେଦିନ ଚାଲିବ ସେ ନେଇ ଚର୍ଚା ହେଲାଣି। ରନ୍ଧାଖାଦ୍ୟ ବନ୍ଦ କରାଯିବା ନେଇ ପ୍ରଶାସନ ଘୋଷଣା କରି ନଥିଲେ ବି ବନ୍ଦ କରିବା ପାଇଁ ଉପରସ୍ତରରେ କଥାବାର୍ତ୍ତା ଚାଲିଛି। ‌ଯେହେତୁ ୧୫ଦିନ ପାଇଁ ରିଲିଫ୍‌ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ତେଣୁ ବିକଳ୍ପ ଭାବେ ଲୋକଙ୍କୁ ଏହି ସମୟ ପାଇଁ ଚାଉଳ, ଡାଲି, ଚୁଡା ଭଳି ଶୁଖିଲା ଖାଦ୍ୟ ଦିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ, କେତେ ଘର ଭାଙ୍ଗିଛି, କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାର ଚୂଡାନ୍ତ ଆକଳନ ପାଣି ଛାଡ଼ିବା ପରେ ପ୍ରଶାସନ ପକ୍ଷରୁ କରାଯିବ। ହେଲେ ସବୁଠୁ ବଡ କଥା ହେଲା ଠିକଣା ସମୟରେ ଲୋକଙ୍କ ପାଖରେ ପଲିଥିନ୍‌ ପହଞ୍ଚି ନ ପାରିବା ଫଳରେ ଫଳରେ ଲୋକ ମାଗିଯାଚି ଅବା ଭଡ଼ାରେ ପାଲ ଆଣି ତମ୍ବୁ ଟାଣି ଆଶ୍ରୟ ନେଇଥିଲେ।

ମହାନଦୀରେ ବନ୍ୟା ଯୋଗୁଁ ଗତ ସୋମବାରଠାରୁ ପାଣିରେ ବୁଡିରହିଛି ବାଙ୍କୀ ଓ ଡମପଡା ବ୍ଲକ୍‌। ଦୁଇବ୍ଲକ୍‌ର ଶତାଧିକ ଗାଁ ପାଣିଘେରରେ ରହିଥିବା ବେଳେ ଅନେକ ଗାଁ ଏବେ ବି ସଂପୂର୍ଣ୍ଣ ଜଳବନ୍ଦି ସମସ୍ୟାରୁ ମୁକ୍ତି ପାଇନି। ଗାଁ ରାସ୍ତାରେ ପ୍ରବାହିତ ହେଉଥିବା ବନ୍ୟାଜଳ ଏବେ ଛିଣ୍ଡିଛି। ପ୍ରଶାସନ ହିସାବ ମୁତାବକ, ଏହା ଭିତରେ ୫୩ଟି ଗ‌୍ରାମର ୨୮, ୩୭୧ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବେଳେ ୨୯୨୧ଜଣ ବିପନ୍ନଙ୍କୁ ପଲିଥିନ୍‌ ପ୍ରଦାନ କରାଯାଇଛି। କେତେ‌ଘର ଭାଙ୍ଗିଛି ତାହା ପ୍ରଶାସନ ଆକଳନ କରି ନଥିବା ବେଳେ କେବଳ ଓସ୍ତିଆ ଗାଁରେ ୫୦ରୁ ଅଧିକ ମାଟିକାନ୍ଥ ଓ ଘର ଭାଙ୍ଗିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe