ବାଙ୍କୀ: ୫୦ରୁ ଅଧିକ ଗାଁ ବିଚ୍ଛିନ୍ନ, ବିପଦ ସଂକେତର ବହୁ ଉପରେ ମହାନଦୀ

Advertisment
ଜିଲ୍ଲାରେ ୧୨୫୩.୨୯ ହେକ୍ଟର ଚାଷ ଜମି ପ୍ରଭାବିତ, ୫୮ ଲକ୍ଷ ୯୭ହଜାରରୁ ଅଧିକ ଇନପୁଟ ସବସିଡ୍ ମଗାଗଲା

ବାଙ୍କୀ-ବୈଦେଶ୍ବର ଚନ୍ଦପା ସେତୁରେ ୪ ଫୁଟ ପାଣି
୧୯୮୨ରେ ଠିକ୍‌ ଏହି ସମୟରେ ହୋଇଥିଲା ପ୍ରଳୟଙ୍କରୀ ବନ୍ୟା

ବାଙ୍କୀ/ଡମପଡା : କଟକ ଜିଲ୍ଲାର ବାଙ୍କୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବାଙ୍କୀ ନିକଟରେ ମହାନଦୀର ବିପଦ ସଂକେତ ୭.୬ ମିଟର ଥିବାବେଳେ ସଂଧ୍ୟା ୬ଟା ସୁଦ୍ଧା ଜଳସ୍ତର ୮.୧ ମିଟରକୁ ଛୁଇଁଛି। ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି। ବାଙ୍କୀ ସହରକୁ ରଣ ନଦୀ ବାଟ ଦେଇ ମହାନଦୀର ପଛୁଆ ଜଳ ପଶିବା ସହିତ ବାଙ୍କୀ କୃଷି ବିଭାଗ ଓ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ନଦୀକୁଣ୍ତା ନାଳ ଦେଇ ବିଜ୍ଞାପିତ ଅଂଚଳର ୧୨ ନମ୍ବର ୱାର୍ଡର ନିକଟତର ହୋଇଛି। ବନ୍ୟାଜଳ ବାଙ୍କୀ-ଖୋର୍ଦ୍ଧା ମୁଖ୍ୟ ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ପ୍ରବାହିତ ହେବା ଫଳରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉକ୍ତ ରାସ୍ତାର ଢଁସର ଗ୍ରାମ ପଂଚାୟତ ନିକଟରେ ମଧ୍ୟ ମୁଖ୍ୟରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ବର୍ତ୍ତମାନର ବନ୍ୟା ପରିସ୍ଥିତି ୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟା ସ୍ମୃତିକୁ ମନେ ପକାଇ ଦେଉଛି।

୧୯୮୨, ଅଗଷ୍ଟ ୩୧ ତାରିଖ, ରବିବାର ଖୁଦୁରୁକୁଣୀ ଶେଷପାଳି ଓଷାରେ ବାଙ୍କୀ ଭୟଙ୍କର ବନ୍ୟା ଦେଖିଥିଲା। ମହାନଦୀର ବନ୍ୟା ଜଳ ବାଙ୍କୀ ସହର ମଧ୍ୟସ୍ଥ ରେଣୁକା ନଦୀବନ୍ଧରେ ପ୍ରାୟ ଦୁଇଶହ ମିଟର ଘାଇ କରି ସହରକୁ ଦୁଇ ଭାଗ କରି ଦେଇଥିଲା। ବାଙ୍କୀ ପାଇଁ ଅଗଷ୍ଟ ୩୦ ଓ ୩୧ ତାରିଖ ବିପଦ କଥା କୁହାଯାଉଥିବା ବେଳେ ଆସନ୍ତାକାଲି ହେଉଛି ରବିବାର, ଖୁଦୁରୁକୁଣୀର ଶେଷ ପାଳି ଓଷା। ତେଣୁ ସେହି ବନ୍ୟା ଦେଖିଥିବା ଲୋକ ଏବେ ଭୟରେ ଶିହିରି ଉଠୁଛନ୍ତି। ମହାନଦୀ ଓ ରେଣୁକା ନଦୀ କ୍ରମଶଃ ବୃଦ୍ଧି ପାଉଛି।

publive-image

ଏବେ ସୁଦ୍ଧା ବାଙ୍କୀ–କଟକ ମୁଖ୍ୟ ରାସ୍ତାରୁ ସଂଯୋଗ କରୁଥିବା କଇଁମୁଣ୍ତି, ଚାରିଘରିଆ ଓ ଶୁଖୁଆଖଳା ଗ୍ରାମକୁ ରାସ୍ତା ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ବେଳେ ବାଙ୍କୀ–ବୈଦେଶ୍ବର ମୁଖ୍ୟ ରାସ୍ତାରୁ ସାଁପୁର ଗ୍ରାମକୁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବାଙ୍କୀ–ବୈଦେଶ୍ବର ମୁଖ୍ୟରାସ୍ତାର ଚନ୍ଦ୍ରପା ସେତୁ ଉପରେ ଚାରିଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ବାଙ୍କୀରୁ ବିଲିପଡା ଗ୍ରାମ ପଂଚାୟତ ଦେଇ ତାଳବସ୍ତ ଗ୍ରାମ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ଉପରେ ୫ ଫୁଟରୁ ଅଧିକ ଜଳ ପ୍ରବାହିତ ହେଉଥିବା ଦେଖାଯାଇଛି।

ଆଜି ସକାଳେ ଭଗୀପୁର ପଂଚାୟତ ନିକଟରେ ଏକ ଅସ୍ଥାୟୀ ମାଟିବନ୍ଧ ଭାଙ୍ଗିଯାଇ ବନ୍ୟାଜଳ ବାଙ୍କୀ–କଟକ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରବାହିତ ହେଉଅଛି। ଦୁର୍ବଳ ନଦୀବନ୍ଧରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା ପକାଯାଇଛି। ଡମପଡା ବ୍ଲକ ପ୍ରଶାସନର ସୂଚନା ଅନୁସାରେ ଏବେ ସୁଦ୍ଧା ୫ଟି ପଂଚାୟତର ୧୦ ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୋଟ ୧୧ ହଜାର ୬୬୦ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି। ସେହିପରି ବାଙ୍କୀ ବ୍ଲକର ୪ଟି ପଂଚାୟତର ୮ ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୋଟ ୭ ହଜାର ୫ଶହ ଲୋକ ପ୍ରଭାବିତ ହୋଇଛନ୍ତି।

ଅନ୍ୟପଟେ ବଡମ୍ବା ପାର୍ଶ୍ଵ ମହାନଦୀରେ ବନ୍ୟା ଜଳ ବଢିଥିଲେ ବି ଅପରାହ୍ନ ସୁଦ୍ଧା ସ୍ଥିର ଅଛି। ମା' ଭଟ୍ଟାରିକାଙ୍କ ମନ୍ଦିର ବନ୍ୟାଜଳରେ ବୁଡି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe