ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ବେହାଲ

Advertisment
ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ବେହାଲ

ବୌଦ୍ଧ : ଚଳିତ ବର୍ଷ ଖରିଫରେ କମ୍‌ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା। ଚାଷୀ ବର୍ଷକର ଆୟ ଯୋଗାଉଥିବା ଧାନରେ ପାଣି ଟୋପାଏ ପାଇଁ କସରତ କରୁଥିଲା। ଏବେ ଅଜାଡ଼ି ଦେଇଛି ବର୍ଷା। ରବିବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ଥମିବାର ନାଁ ନେଉନାହିଁ। ଏବେ ବର୍ଷାର ବିତ୍ପାତ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେଲାଣି। ପ୍ରବଳ ବର୍ଷା ସହ ପବନ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି କରିଛି। ଶତାଧିକ ମାଟି ଘର ଭୁଶୁଡ଼ି ଅନେକ ପରିବାରକୁ ବେଘର କରିଛି। ସେମାନେ ଆତ୍ମୀୟ ଓ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି।

publive-image

ମହାନଦୀର ଜଳପତ୍ତନ ବଢ଼ିଥିଲେ ସୁଦ୍ଧା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ଜିଲ୍ଲାରେ ପ୍ରବାହିତ ଅନ୍ୟ ପାହାଡ଼ିଆ ନଦୀ ଓ ନାଳ ବର୍ଷା ଜଳରେ ପ୍ଳାବିତ ହୋଇଛି। କିଛି ସ୍ଥାନରେ ଲୋକେ ଜଳ ଘେରରେ ରହିଛନ୍ତି। ଅନେକ ସ୍ଥାନରେ ପୋଲ ଉପରେ ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ କରିଛି। ବୌଦ୍ଧ ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦେଶ ଜାରି କରାଯାଇଛି। ରବିବାର ସନ୍ଧ୍ୟାରୁ ସୋମବାର ସକାଳ ସାଢ଼େ ଆଠଟା ସୁଦ୍ଧା ବୌଦ୍ଧ ବ୍ଲକ୍‌ରେ ୧୮୪ମିମି, ହରଭଙ୍ଗା ବ୍ଲକ୍‌ରେ ୧୫୨ ମିମି ଓ କଣ୍ଟାମାଳ ବ୍ଲକ୍‌ ଅଞ୍ଚଳରେ ୬୦ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ସୋମବାର ସକାଳ ସାଢ଼େ ଆଠଟାଠାରୁ ସଂଧ୍ୟା ସାଢ଼େ ପାଞ୍ଚଟା ସୁଦ୍ଧା ବୌଦ୍ଧ ଅଞ୍ଚଳରେ ୯୦ ମିମି ବୃଷ୍ଟିପାତ ‌‌‌‌ହୋଇଛି। ଫଳରେ ବୌଦ୍ଧ ସହରରେ କୃତ୍ରିମ ବନ୍ୟାର ସ୍ଥିତି ଉପୁଜିଛି।

publive-image

ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ସହରର ମୁସଲିମ ପଡ଼ା, ରାମଲୀଳା ପଡ଼ିଆ, ପ୍ୟାରେଡ ପଡ଼ିଆ, ଖଦାଳ ସାହି, ଖଲିଆ ବଗିଚା, ଗାଈଗୋଠ ସାହି ଆଦି ସ୍ଥାନରେ ପାଣି ଜମା ହୋଇ ରହିଛି। ସେହିପରି ଟ୍ରେଜେରି ଅଫିସ ଆଦି ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ପାଣି ଜମା ହୋଇ ରହିଥିବା ଦେଖାଯାଇଛି। ଆଜି ସକାଳେ ୫୭ ନମ୍ବର ଜାତୀୟ ରାଜପଥର ମୁର୍ଷୁଣ୍ଡି ଗ୍ରାମରେ ଏକ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଫଳରେ ଉଭୟ ପାର୍ଶ୍ବରେ ବିଭିନ୍ନ ଯାନ ବାହନ ସହ ଅମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା। ଦମକଳ ବାହନୀ ଆସି ଗଛ କାଟି ଅବରୋଧ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ସେହିପରି କମିରା- ଦାମୋଦରପୁର ରାସ୍ତାର ଜାମୁନାଳ ପୋଲ ଉପରେ ପାଞ୍ଚ ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ମଧ୍ୟ ଦେଇ ଯାଇଥିବା କେନାଲରେ ପାଣି ଉଛୁଳି ଗାଁ ମଝି ରାସ୍ତାରେ ପ୍ରବାହିତ ହୋଇ ଯାତାୟାତ ବାଧା ସୃଷ୍ଟି କରିଛି।

publive-image

ବଡ଼ବାଗବର ଗ୍ରାମରେ ମଧ୍ୟ ସମାନ ସ୍ଥିତି। ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେବା ସହ ଲୋକଙ୍କ ଘରେ ପାଣି ପଶିଛି। ବାଣୀଭୂଷଣପୁର ପଞ୍ଚାୟତ ବାହାଲି ଗ୍ରାମବାସୀ ଜଳ ଘେରରେ ରହିଛନ୍ତି। ଚାରିଛକ-କୁସଙ୍ଗ ରାସ୍ତାର କରଞ୍ଜକଟାରେ ଏକ ଗଛ ପଡ଼ି ବହୁ ସମୟ ରାସ୍ତା ଅବରୋଧ ହୋଇ ରହିଥିଲା। ସେପଟେ ବିଭିନ୍ନ ନାଳ ନଦୀ‌ ଓ ଶାଖା ନଦୀର ଜଳ ପ୍ରବାହ ଯୋଗୁଁ ମହାନଦୀର ଜଳପତ୍ତନ ବୃଦ୍ଧି ହୋଇଛି। ଦିନ ଦୁଇଟା ବେଳେ ୮୧.୦୫ ମିଟର ରହିଥିବା ବେଳେ ସନ୍ଧ୍ୟା ସାତଟାରେ ୮୩.୯୫ ମିଟର ରେକର୍ଡ କରାଯାଇଛି। ରାତି ସାରା ବର୍ଷା ହେଲେ ଜଳପତ୍ତନ ଓ୍ବାର୍ଣ୍ଣିଂ ଲେବେଲ ୮୬.୭୦ ମିଟରକୁ ଅତିକ୍ରମ କରିବା ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe