କାଣୀ ନଦୀର କଣ୍ଟପଡ଼ାରେ ୫୦ ଫୁଟ ଘାଇ : ୨ ପରିବାର ସ୍ଥାନାନ୍ତର, ପାରେଶ୍ୱରପୁର- କୋତପୁର ରାସ୍ତା ବିଚ୍ଛିନ୍ନ

Advertisment

୧୫ ପଞ୍ଚାୟତର ୭ ହଜାର ହେକ୍ଟର ଚାଷଜମି ଜଳମଗ୍ନ

୧୫ ପଞ୍ଚାୟତର ୭ ହଜାର ହେକ୍ଟର ଚାଷଜମି ଜଳମଗ୍ନ

ବନ୍ୟା ନିୟନ୍ତ୍ରଣ ପାଇଁ ୧୦ବର୍ଷରେ ଖର୍ଚ ହୋଇଛି ୩୦୦୧ କୋଟି

ଦଶରଥପୁର : ବୈତରଣୀ ଶାଖା କାଣୀ ନଦୀର ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡ଼ାଠାରେ ଗତକାଲି ବିଳମ୍ବିତ ରାତିରେ ୫୦ ଫୁଟ ଘାଇ ହୋଇଛି। ଫଳରେ ୧୫ଟି ପଞ୍ଚାୟତର ହଜାରହଜାର ଚାଷଜମି ଜଳମଗ୍ନ ହୋଇଛି। କଣ୍ଟପଡ଼ାର ଦଳିତ ସାହିର ରାଜେନ୍ଦ୍ର ମଲ୍ଲିକ ଓ ହଗନ ମଲ୍ଲିକଙ୍କ ଘର ସମ୍ମୁଖରେ ନଦୀବନ୍ଧ ଧସିଥିବା ବେଳେ ଘର ଆଗରେ ଘଳିଆ ପଡ଼ିଥିଲା। ଘରେ ପାଣି ପଶିଯିବାରୁ ଏହି ୨ ପରିବାରକୁ ସ୍ଥାନୀୟ ବିଦ୍ୟାଳୟକୁ ସ୍ଥ‌ାନାନ୍ତର କରାଯାଇଛି। ସେହିପରି ମଲ୍ଲିକାପୁର-ଆଖୁଆସାହି ଆର୍‌ଡି ରାସ୍ତା କଣ୍ଟପଡ଼ା ପୋଲ ପାଖରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସ୍ତାଟି ଧୋଇଯାଇଛି। ଯାତାୟାତରେ ଅସୁବିଧା ହେବାରୁ ବିଭାଗ ପକ୍ଷରୁ ମରାମତି ଆରମ୍ଭ କରାଯାଇଛି।

ମଲ୍ଲିକାପୁର-ଆଖୁଆସାହି ମୁଖ୍ୟ ରାସ୍ତା କଣ୍ଟପଡ଼ା ପୋଲଠାରୁ ୫ଶହ ମିଟର ଆଗରେ କାଣୀ ନଦୀର ଡାହାଣ ପାର୍ଶ୍ବରେ ୫୦ ଫୁଟର ଘାଇ ହୋଇଛି। ଫଳରେ ବ୍ଲକର ୧୫ଟି ପଞ୍ଚାୟତରେ ୭ହଜାର ହେକ୍ଟର ଚାଷଜମିରେ ବନ୍ୟାଜଳ ମାଡ଼ିଯିବାରୁ ଧାନଗଛ ବୁଡ଼ିଯାଇଛି। ପୂର୍ବରୁ ଲଘୁଚାପ ବର୍ଷାରେ ଚାଷଜମି ବୁଡିରହିଥିଲା। ଏବେ ପୁଣି ପାଣି ପଶିବାରୁ ଅବସ୍ଥା ଅସମ୍ଭାଳ ହୋଇଛି। କାଣୀ ନଦୀବନ୍ଧର ଘଳିଆ ହୋଇଥିବା ସ୍ଥାନରେ ଜଳସମ୍ପଦ ବିଭାଗ ପକ୍ଷରୁ ବଲ୍ଲା ମରାଯାଇ ବାଲିବାସ୍ତା ପକାଯାଉଛି। ବିଡିଓ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୌଭାଗ୍ୟ କୁମାର ବେହେରା, ଜଳସମ୍ପଦ କନିଷ୍ଠ ଯନ୍ତ୍ରୀ ଧୀରେନ କୁମାର ପାଣି, ଆରଡି ଏସଡିଓ, କନିଷ୍ଠ ଯନ୍ତ୍ରୀ ଜ୍ୟୋତି ପ୍ରକାଶ ସାମଲ, ବିନୋଦ କୁମାର ଶିଅଳ ଏହି କାର୍ଯ୍ୟକୁ ତଦାରଖ କରିଛନ୍ତି। ସେହିପରି କୃଷିଜନିତ କ୍ଷୟକ୍ଷତିର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ ଚନ୍ଦ୍ର ପୃଷ୍ଟି, ଶସ୍ୟ ସଂରକ୍ଷଣ ଅଧିକାରୀ ଶ୍ରୀଧର ଦାସ, ଏଚଡିଏଫସି ଇଗ୍ରୋ ବୀମା ଜିଲ୍ଲା ମୁଖ୍ୟ ସୌଭାଗ୍ୟ ଦାସ, ବ୍ଲକ୍ ଅଧିକାରୀ ତାପସ କୁମାର ମଲ୍ଲିକ, ବ୍ଲକ କୃଷି ଅଧିକାରୀ ରବୀନ୍ଦ୍ର କୁମାର ପରିଡ଼ା, ଗ୍ରାମ୍ୟ କୃଷି ଅଧିକାରୀ ଚିତ୍ତରଂଜନ ସାହୁ, ଗୀତାଞ୍ଜଳି କର ବନ୍ୟା ଅଞ୍ଚଳ ବୁଲି ପରିଦର୍ଶନ କରି ତଦନ୍ତ କରିଛନ୍ତି। କଷପା, ମଲ୍ଲିକାପୁର, ଦୁଦୁରାଅନ୍ତା, ଦତ୍ତପୁର, ନିଜାମପୁର, ଶୁଶୁଆ, ମଙ୍ଗଳପୁର, କୟାଁ, କମାରଡିହି, ଖାନନଗର, ଥାଲକୁଡି, ବିରିପଟା, ପାଲଟପୁର, ଜାଫରପୁର ପଞ୍ଚାୟତର ଚାଷଜମି ଗତ ୧୫ ତାରିଖରୁ ବୁଡ଼ି ରହିଛି। ବନ୍ୟାଜଳ କମିଲା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଥାଲକୁଡ଼ି ପଞ୍ଚାୟତ ପାରେଶ୍ୱରପୁରଠାରୁ ଖାନନଗର ପଞ୍ଚାୟତ କୋତପୁରକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତାଟି ବୁଡ଼ିଯିବାରୁ ତାକୁ କାଟି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe