ବୈତରଣୀ: ନଦୀରେ କମୁଛି, ଗାଁରେ ବଢ଼ୁଛି ବନ୍ୟାଜଳ

Advertisment
ବୈତରଣୀ: ନଦୀରେ କମୁଛି, ଗାଁରେ ବଢ଼ୁଛି ବନ୍ୟାଜଳ

ଯାଜପୁର : ବୈତରଣୀ ନଦୀର ପାଣିକୁ ନେଇ ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ଗୋଟିଏପଟେ ଏହି ନଦୀର ଜଳସ୍ତର ହ୍ରାସ ପାଇଥିବା ବେଳେ ଅନ୍ୟପଟେ ଜଳ ନିଷ୍କାସନ ହୋଇନପାରିବାରୁ ଗ୍ରାମାଞ୍ଚଳକୁ ପାଣି ମାଡ଼ି ଚାଲିଛି।

ହସ୍ତଗତ ସୂଚନା ଅନୁସାରେ, ଉପରମୁଣ୍ଡରେ ବର୍ଷା ନଥିବାରୁ ବୈତରଣୀ ନଦୀର ଜଳସ୍ତର କମିବାରେ ଲାଗିଛି। ତଳମୁଣ୍ଡରେ ଥିବା ଦଶରଥପୁର ବ୍ଲକ୍‌ରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ମିଟର ରହିଥିବା ଏଠାରେ ଜଳସ୍ତର ୧୭.୮୧ ମିଟର ରହିଛି।

ଅପରପକ୍ଷରେ, ଦଶରଥପୁରଠାରେ ବିପଦ ସଙ୍କେତ ୯.୫୨ମିଟର ରହିଥିବା ‌ବେଳେ ୧୧.୦୦ ମିଟର ଉଚ୍ଚରେ ପାଣି ଚାଲିଛି। ବନ୍ୟାଜଳ ନିଷ୍କାସନ ହୋଇନପାରି ମୁକୁଳା ଘାଇ ଦେଇ ବିଭିନ୍ନ ଗ୍ରାମାଞ୍ଚଳକୁ ମାଡ଼ିଚାଲିଛି। ଲାଗ୍‌ଲାଗ୍‌ ଦୁଇଥର ବନ୍ୟା ଯୋଗୁଁ ସପ୍ତାହେ ହେଲା ହଜାର ହଜାର ଲୋକ ପାଣିଘେରରେ ଅଛନ୍ତି। ଗତକାଲି ଓ ଆଜି ୨ଦିନ ରନ୍ଧାଖାଦ୍ୟ ଦିଆଯାଇଛି। ଯାହାକି ସମୁଦ୍ରକୁ ଶ‌ଙ୍ଖେ ପରି। ବିପନ୍ନ ପରିବାର ଓ ଗୃହପାଳିତ ପ୍ରାଣୀମାନେ ଭୋକ ଉପବାସରେ ପଡ଼ିରହି ନାହିଁନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି। କଂ‌ଗ୍ରେସର ପୁରୁଖାନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ବନ୍ୟାଞ୍ଚଳ ଗସ୍ତ କରି ବନ୍ୟା ବିପନ୍ନଙ୍କ ପ୍ରତି ସରକାର ତଥା ପ୍ରଶାସନର ଉଦାସୀନତା ନେଇ କଡ଼ା ସମାଲୋଚନା କରିଛନ୍ତି।

publive-image

ଅନ୍ୟପକ୍ଷରେ, ବୈତରଣୀର ଉପର ମୁଣ୍ଡ କେନ୍ଦୁଝର ଜିଲ୍ଲାରେ ବର୍ଷା କମିଯିବାରୁ ଜଳପତନ ହ୍ରାସ ପାଇଛି। କୋରେଇ ଅଞ୍ଚଳରେ ପାଣି ଖସିଯାଇଛି। ମାତ୍ର ଦଶରଥପୁର ସ୍ଥିତିରେ ସେପରି କିଛି ଉନ୍ନତି ହୋଇନାହିଁ। ଏବେ ବି କସପା ଓ ଦୁଦୁରଅନ୍ତା ପଞ୍ଚାୟତର ଅନେକ ଗ୍ରାମରେ ବନ୍ୟାଜଳ ପ୍ରବାହିତ ହେଉଛି।

ଗତ ୧୫ତାରିଖରେ କାଣୀ ନଦୀର ବ୍ରହ୍ମଚାରୀପାଟଣାରେ ଘାଇ ହୋଇଥିଲା। ୨୦ତାରିଖରେ ମରାମତି ହୋଇଥିବା ଘାଇ ପୁଣି ଭାଙ୍ଗିଯିବାରୁ ବହୁ ଅଞ୍ଚଳ ବନ୍ୟାପାଣିରେ ବୁଡିଯାଇଛି। ଏଥର ପ୍ରଥମଥର ବନ୍ୟାଠାରୁ ଢେର ଅଧିକ କ୍ଷୟକ୍ଷତି କରିଛି। ବ୍ରହ୍ମଚାରୀପାଟଣା ଘାଇ, କଣ୍ଟପଡାର ମୁକୁଳା ଘାଇ ଏବଂ କୟାଁ ନାଳ ଦେଇ ଚଷା ଜମି ଏବଂ ଗାଁଗୁଡ଼ିକୁ ବନ୍ୟା ଜଳ ପ୍ରବେଶ କରୁଛି । ୫୬୦୦ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ଜମି ରହିଛି । ୧୩ଟି ପଞ୍ଚାୟତର ୩୭ଟି ରାଜସ୍ୱ ଗ୍ରାମର ୧୩ ହଜାର ୮୬୦ ଜଣ ଲୋକ ଜଳବନ୍ଦି ଅଛନ୍ତି । ଏହି ଗାଁଗୁଡ଼ିକରେ ବର୍ତ୍ତମାନ ୩/୪ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଲୋକେ ରାସ୍ତା ଉପରେ, ଛାତ ଉପରେ ଆଶ୍ରୟ ନେଇଛନ୍ତି। ଆଜି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନକ କାନୁନ୍‌ଗୋଙ୍କ ସହିତ ପୂର୍ବତନ ବିଧାୟକ ଚିନ୍ମୟ ବେହୁରିଆ, ସନ୍ତୋଷ ନନ୍ଦ ପ୍ରମୁଖ ଘାଇ ହୋଇଥିବା ସ୍ଥାନରେ ପହଞ୍ଚି ବିପନ୍ନଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe