ମହାନଦୀ ଓ ଶାଖା ନଦୀରେ ପାଣି ବଢ଼ୁନି, କିନ୍ତୁ ବିପଦ ଯାଇନି

Advertisment
ମହାନଦୀରେ ଆସୁଥିବା ଚଳିତ ବର୍ଷର ପ୍ରଥମ ବନ୍ୟା କମ୍ କ୍ଷତି କରିବ

ଭୁବନେଶ୍ବର : ମହାନଦୀ ଓ ଶାଖା ନଦୀରେ ପାଣି ବଢ଼ୁନି। ହୀରାକୁଦରେ ବି ୬ଟି ଗେଟ୍‌ ଶନିବାର ବନ୍ଦ ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଡ଼ ବର୍ଷା ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ସେ ସମ୍ଭାବନା ବି ନାହିଁ। ଏସବୁ ସତ୍ତ୍ବେ ବି ବିପଦ ଟଳିନି। ନଦୀରେ ପାଣି ହୁ ହୁ ହୋଇ ବଢ଼ୁନଥିଲେ ମଧ୍ୟ ସତର୍କ ସଂକେତ ସ୍ତର ତଳକୁ ଖସିନି। ଏବେବି ବିପଦ ସଂକେତ ପାଖରେ ଅଛି। ସୋମବାର ପୂର୍ଣ୍ଣିମା ଥିବାରୁ ଜୁଆରିଆ ସମୁଦ୍ର ପାଣି ଟାଣୁନି। ତେଣୁ ଭରା ନଦୀରେ ପାଣି ପ୍ରାୟ ସ୍ଥିର ଅଛି। ଆଉ ଦୁଇରୁ ତିନି ଦିନ ଏମିତି ସ୍ଥିତି ରହିବ। ଯାହା ଦୁର୍ବଳ ନଦୀବନ୍ଧ ଅଞ୍ଚଳ ଏବଂ ତଳିଆ ଅଞ୍ଚଳ ପାଇଁ ବିପଦର କାରଣ ସାଜିଛି।

ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ହୀରାକୁଦ ସମେତ ମହାନଦୀର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଜଳ ପୂର୍ବ ଅପେକ୍ଷା କମ୍‌ ପ୍ରବେଶ କରୁଛି। ଏହାକୁ ନଜରରେ ରଖି ମହାନଦୀର ୬ଟି ଗେଟ୍  ଶନିବାର ବନ୍ଦ କରାଯାଇଛି। ଏବେ ୩ଲକ୍ଷ ୨୭ହଜାର ୭୮୯କ୍ୟୁସେକ୍ ଜଳ ସେକେଣ୍ଡ ପିଛା ପ୍ରବେଶ କରୁଥିବାରୁ ୧୮ଟି ଗେଟ୍ ମାଧ୍ୟମରେ ୩,୧୫,୦୮୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଖଇରମାଳ, ବରମୂଳରେ ବି ପୂର୍ବ ଅପେକ୍ଷା କମ୍‌ ପାଣି ନିଷ୍କାସନ ହେଉଛି। କିନ୍ତୁ ମୁଣ୍ଡୁଳିରେ ସକାଳ ଅପେକ୍ଷା ଅଧିକ ପାଣି ନିଷ୍କାସନ ହେଉଛି। ଏବେ ଏଠାରେ ସେକେଣ୍ଡ ପିଛା ୬,୭୬,୦୦୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ନରାଜରେ ଜଳସ୍ତର ବଢ଼ୁଥିବାବେଳେ ଏବେ ଏଠାରେ ଜଳପତନ ୨୫.୯୮ମିଟର ଅଛି। ସତର୍କ ସଂକେତ ୨୫.୪୧ ମିଟର ଥିବାବେଳେ ଏହାଠାରୁ ଉପରେ ପାଣି ଚାଲୁଥିବାରୁ ରାତି ସୁଦ୍ଧା ବିପଦ ସଂକେତ ୨୬.୪୧ମିଟର ପାଖାପାଖି ପହଞ୍ଚିବାର ଆଶଙ୍କା ଅଛି। ଯାହା ପୁରୀ, ‌କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ବିଭିନ୍ନ ଶାଖା ନଦୀ ପାଇଁ ବିପଦ ସାଜିଛି।

ତଳ ମୁଣ୍ଡରେ ଜଳ ନିଷ୍କାସନ କମିଥିବାରୁ ଏବଂ ମୁଣ୍ଡୁଳିରେ ଜଳ ନିଷ୍କାସନ ବଢ଼ୁଥିବାରୁ ଶାଖା ନଦୀଗୁଡ଼ିକରେ ଜଳ ପ୍ରବାହ ବଢ଼ିବ। କିନ୍ତୁ ବିପଦସଂକେତ ତଳେ ରହିବ। ଏପଟେ ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ଏହି ୪ଟି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିପଦସଙ୍କୁଳ ସ୍ଥାନରେ ଯେପରି ଘଳିଆ ନପଡ଼ିବ ଏବଂ ଘାଇ ହେବନି ସେଥିପାଇଁ ବାଲିବସ୍ତା ଏବଂ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ୍ ରଖାଯାଇଛି। ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ଟିମ୍‌କୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି। ଏହାସହ ଯେଉଁଠି ଲୋକ ଜଳବନ୍ଦୀ ଅଛନ୍ତି ସେଠାରେ ପ୍ରଶାସନ ପକ୍ଷରୁ ରିଲିଫ ଯୋଗାଣ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe