ମୋଟୁକୁ ଛାରଖାର କରୁଛି ପୋଲାଭରମ ପ୍ରକଳ୍ପ

ଆନ୍ଧ୍ର ପାଣିରେ ବୁଡ଼ିଛି ଓଡ଼ିଶା ଗାଁ, ସ୍କୁଲ ପିଲା ସମେତ ୪୮୩ ଜଣ ସ୍ଥାନାନ୍ତର, ୧୩୦ ଖଣ୍ତ ଗାଁ ପ୍ରଭାବିତ ହେବା ଆଶଙ୍କା

ମୋଟୁକୁ ଛାରଖାର କରୁଛି ପୋଲାଭରମ ପ୍ରକଳ୍ପ

କାଲିମେଳା : ପ୍ରତିବର୍ଷ ମାଲକାନଗିରି ଜିଲ୍ଲା ପାଇଁ ବିପଦ ନେଇ ଆସୁଛି ମୌସୁମୀ। ଲଗାଣ ବର୍ଷା ହେଲେ ବୁଡ଼ି ଯାଉଛି ଅନେକ ଅଞ୍ଚଳ। ‌କିନ୍ତୁ ବନ୍ୟା ଜନିତ କ୍ଷୟକ୍ଷତିକୁ ଅଧିକ ବଢ଼ାଇ ଦେଉଛି ଆନ୍ଧ୍ର ସରକାରଙ୍କ (ଇନ୍ଦିରା ସାଗରମ ଡ୍ୟାମ୍‌) ପୋଲାଭରମ ପ୍ରକଳ୍ପ। ବିଶେଷ କରି ଆନ୍ଧ୍ର ଏବଂ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଜିଲ୍ଲାର ଗ୍ରାମାଞ୍ଚଳ ବାରମ୍ବାର ବନ୍ୟା ମାଡ଼ ଖାଇ ଛାରଖାର ହୋଇ ଚାଲିଛି।

ଗତ ୪ଦିନ ହେଲା ବୁଡ଼ି ରହିଛି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ। ବର୍ଷା କମି ଯାଇଥିଲେ ସୁଦ୍ଧା ବନ୍ୟା ପାଣି ନିଷ୍କାସନ ନ ହୋଇ ସ୍ଥିର ରହିଛି। ଏପରିକି ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ମାଡ଼ି ଚାଲିଛି ବନ୍ୟାଜଳ। ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁ ମୋଟୁ ମୁଗି ପଏଣ୍ଟ ସ୍ଥିତ ମଧୁସୂଦନ ପାର୍କ ଉପରେ ଆଜି ୩୦ଫୁଟ ଉଚ୍ଚରେ ପାଣି ରହିଥିଲା। ପ୍ରତିବର୍ଷ ବନ୍ୟାରେ ଏହି ଅଞ୍ଚଳ ବନ୍ୟାର ସମ୍ମୁଖୀନ ହୋଇ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି। କାରଣ ଦୁଇପାର୍ଶ୍ବ ଦେଇ ବୋହି ଯାଉଥିବା ସିଲେରୁ ଓ ସାବେରୀ ନଦୀର ପ୍ରଖର ସ୍ରୋତରେ ମାଟି ଧୋଇହୋଇ ବଡ଼ ବିପଦ ସୃଷ୍ଟି କରିଛି। ଏପରିକି ଏଥର ବନ୍ୟାରେ ମୁଗି ପଏଣ୍ଟ ଠାରୁ ପ୍ରାୟ ଦୁଇ କିମି ଦୂରରେ ଥିବା ମୋଟୁ ବଜାର ପର୍ଯ୍ୟନ୍ତ ବନ୍ୟାପାଣି ମାଡ଼ି ଆସିଛି।

ଚଳିତ ବର୍ଷ ମୋଟୁ ପାଇଁ ବର୍ଷା ପ୍ରଳୟ ନେଇ ଆସିଥିବା କୁହାଯାଉଛି। ମୋଟୁ ପୁରୁଣା ବସ୍ତି ସଂପୂର୍ଣ୍ଣ ବୁଡ଼ିଯିବାରୁ ଏଠାରେ ବସବାସ କରୁଥିବା ୧୫ ପରିବାରକୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିପରି ନୂଆ ମୋଟୁ ଓ ବିନାୟକପୁର ଗ୍ରାମର ମୋଟ ୫୦ ପରିବାରରକୁ ଉଚ୍ଚ ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୋଟୁ ସ୍ଥିତ ଆଶ୍ରମ ବିଦ୍ୟାଳୟ, ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ମଧୂସୂଦନ ହାଇସ୍କୁଲର ୩ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପୁଶୁଗୁଡ଼ା ଓ ଏମ୍‌ଭି-୮୮ ବିଦ୍ୟାଳୟରେ ରଖିବା ବ୍ୟବସ୍ଥା କରାଯାଇଛି। ବନ୍ୟା ବିପନ୍ନଙ୍କ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

ପୂର୍ବରୁ ୧୯୮୬ ଓ ୨୦୦୬ ମସିହାରେ ଏଭଳି ବନ୍ୟା ପରିସ୍ଥିତି ମୋଟୁରେ ଦେଖିବାକୁ ମିଳିଥିଲା। ୧୬ ବର୍ଷର ବ୍ୟବଧାନ ପରେ ସମାନ ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି। ସିଲେରୁ ଓ ସାବେରୀ ନଦୀର ବନ୍ୟା ପାଣି ଏକାକାର ହୋଇ ସମୁଦ୍ରର ଭ୍ରମ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପୋଲଭରମ ପ୍ରକଳ୍ପକୁ ବାରମ୍ବାର ବିରୋଧ ‌ସତ୍ତ୍ବେ କାମ ଆଗେଇ ଚାଲିଥିଲା। ପ୍ରକଳ୍ପର ପ୍ରଭାବ ଓଡ଼ିଶାର କେଉଁ ଅଞ୍ଚଳରେ ପଡ଼ିବ ଏବଂ କେତେ କ୍ଷୟକ୍ଷତି ହେବ ତାହାର ଆଦୌ ସର୍ଭେ ହୋଇ ନାହିଁ। ପ୍ରକଳ୍ପ ବାବଦରେ ବାରମ୍ବାର ପ୍ରଭାବିତ ହେଉଥିବା ଗ୍ରାମବାସୀଙ୍କ ସହ ଆଲୋଚନା କିମ୍ବା ଜନଶୁଣାଣି ହୋଇ ନାହିଁ। ଯାହାଫଳରେ ଅନେକ ଅଞ୍ଚଳ ବୁଡ଼ିଯାଇ ବର୍ତ୍ତମାନ ବନ୍ୟାର ପରିମାଣ ଓଡ଼ିଶାବାସୀ ଭୋଗୁଛନ୍ତି।

ପୋଲାଭରମ ପ୍ରକଳ୍ପ କେବଳ ଓଡ଼ିଶାକୁ ପ୍ରଭାବିତ କରିନି। ଆନ୍ଧ୍ରର ଚିନ୍ତୁର ମଣ୍ତଳରେ ଥିବା ଅନେକ ଗ୍ରାମରେ ବିପୁଳ କ୍ଷୟକ୍ଷତି ହୋଇଛି। କାଲେରୁ ଗ୍ରାମର ଶତାଧିକ ଘର ସଂପୂର୍ଣ୍ଣ ବୁଡ଼ି ଯାଇଛି। ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥର ମାଲକାନଗିରି ଜିଲ୍ଲାର ମୋଟୁ ଦେଇ ଆନ୍ଧପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତା ୫ଦିନ ହେଲା ଜଳମଗ୍ନ ହୋଇ ଯାତାୟାତ ଠପ୍‌ ହୋଇଯାଇଛି। କାଲେରୁ ଓ କୁଇଗୁର ପୋଲ ଉପରେ ଆଜି ମଧ୍ୟ ୧୫ରୁ ୨୦ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଉଭୟପଟେ ଶହଶହ ଗାଡ଼ି ୫ଦିନ ହେଲା ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe