କାଳିପେନୁ ଓ ଖଡ଼୍‌ଗ ନଈରେ ବନ୍ୟା ସ୍ଥିତି: ଘାଟି ରାସ୍ତାରେ ଯାତାୟାତ ନ କରିବାକୁ ସତର୍କତା ଜାରି

କାଳିପେନୁ ଓ ଖଡ଼୍‌ଗ ନଈରେ ବନ୍ୟା ସ୍ଥିତି: ଘାଟି ରାସ୍ତାରେ ଯାତାୟାତ ନ କରିବାକୁ ସତର୍କତା ଜାରି

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ରେକର୍ଡ ପରିମାଣରେ ବର୍ଷା ହୋଇଛି। ଜିଲ୍ଲାର କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଫିରିଙ୍ଗିଆ ବ୍ଲକରେ ୧୩୪ମିମି, ବାଲିଗୁଡ଼ାରେ ୧୨୦ ମିମି, ତୁମୁଡ଼ିବନ୍ଧରେ ୧୧୧ ମିମି, କୋଟଗଡ଼ରେ ୧୦୯ମିମି ଓ ଫୁଲବାଣୀରେ ୧୦୨ ମିମି ବର୍ଷା ରେକର୍ଡ ହୋଇଛି। ଦୁଇ ସପ୍ତାହ ଧରି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷିଛି। ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବାଘ, ଖଡ଼୍‌ଗ, କାଳିପେନୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ସାଲୁଙ୍କୀ ନଦୀରେ ବନ୍ୟା ପରସ୍ଥିତି ସୃଷ୍ଟି ହେବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।

ଅନ୍ୟପଟେ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଘାଟିରାସ୍ତା ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି। ଯାନବାହନ ଚଳାଚଳ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ବର୍ଷାରେ ରାଇକିଆ ଓ ସୋରଡ଼ା ମଧ୍ୟରେ ସଂଯୋଗ କରୁଥିବା କରଡ଼ାଘାଟି ଏବଂ ଫୁଲବାଣୀ ଓ ବୌଦ୍ଧ ମଧ୍ୟରେ ସଂଯୋଗ କରୁଥିବା ରାଣୀପଥର ଘାଟିର କେତେକ ସ୍ଥାନରେ ମାଟି ଅତଡ଼ା ଖସି ପଡ଼ିଥିବା ସୂଚନା ମିଳିଛି। ସେହିଭଳି ଭେଟଖୋଲ ଘାଟି ରାସ୍ତା ବିପଦସଂକୁଳ ରହିଛି। ଦାରିଙ୍ଗିବାଡ଼ି ଓ ସୋରଡ଼ା ମଧ୍ୟରେ ଥିବା ସାତବାଙ୍କିଆ ଘାଟିରେ ମଧ୍ୟ କେତେକ ସ୍ଥାନରେ ଭୂ-ସ୍ଖଳନ ହୋଇଛି। କଣ୍ଟାମାଳ ଓ ଗୋଚ୍ଛାପଡ଼ା ମଧ୍ୟରେ ଥିବା ସୁଟାଣି ଘାଟି, ଫିରିଙ୍ଗିଆର ପକାରି ଘାଟି ଓ ବିଲୁରି ଘାଟି ଲଗାଣ ବର୍ଷା ଯୋଗୁଁ ବିପଦସଂକୁଳ ହୋଇଛି। ବାଲିଗୁଡ଼ାରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ସାତକାଟି ଘାଟି ଓ ଖମନଖୋଲ ଘାଟି ରାସ୍ତା, ରାଇକିଆ ଓ ସୋରଡ଼ା ମଧ୍ୟରେ ସଂଯୋଗ କରୁଥିବା କରଡ଼ା ଘାଟିର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। କୋଟଗଡ଼ର ରାଣୀପାଙ୍ଗା ଘାଟି, ବେଲଘର ଘାଟି, ଲଦାଘାଟି, ଚକାପାଦର ଅଠରବାଙ୍କ ଘାଟି, ଲାଇନପଡ଼ାରୁ ଚକାପାଦ ମଧ୍ୟରେ ଥିବା ଗଦଗଦି ଘାଟି ଏବଂ ଦାରିଙ୍ଗିବାଡ଼ିରୁ ବ୍ରାହ୍ମଣୀଗାଁ ମଧ୍ୟରେ ଥିବା ସିଜିଗାଣ୍ଡା ଓ ଟେକାଙ୍ଗିଆ ଘାଟିରେ ମଧ୍ୟ ଭୂସ୍ଖଳନ ହୋଇଛି। ଏସବୁ ରାସ୍ତା ଦେଇ ଯାତାୟାତ ନ କରିବାକୁ ପ୍ରଶାସନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe