ପ୍ରଦୂଷଣର ବିଷ ବଳୟରେ ବସୁନ୍ଧରା; କଳାରଙ୍ଗ ପାଲଟିଛି ବନ୍ୟାଜଳ 

ପ୍ରଦୂଷଣର ବିଷ ବଳୟରେ ବସୁନ୍ଧରା; କଳାରଙ୍ଗ ପାଲଟିଛି ବନ୍ୟାଜଳ 

ଝାରସୁଗୁଡ଼ା: ବାରମ୍ବାର ନଦୀମାନଙ୍କ ଉପରେ ଅତ୍ୟାଚାର ଏବେ ଚରମ ସୀମାରେ ପହଞ୍ଚିଛି। ଝାରସୁଗୁଡ଼ା ଜିଲ୍ଲାରେ ପ୍ରଚଣ୍ଡ ପ୍ରଦୂଷଣ ଯୋଗୁଁ ଜୈବ ବିବିଧତା ନଷ୍ଟ ହେବାରେ ବସିଛି। ଏଭଳି ସ୍ଥିତିରେ ଏବେ ବୃଷ୍ଟିପାତ ହାର ମଧ୍ୟ କମି ଯାଉଥିବା ଲକ୍ଷ୍ୟ କରାଯାଉଛି। ଜଙ୍ଗଲ ହାର ମଧ୍ୟ ଦୃତ ଗତିରେ ହ୍ରାସ ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ନଦୀନାଳ ରକ୍ଷଣାବେକ୍ଷଣ ପରିବର୍ତ୍ତେ ତାକୁ ପ୍ରଦୂଷଣ ମୁହଁକୁ ଠେଲି ଦେବାଯୋଗୁଁ ଜିଲ୍ଲାର ଚିରସ୍ରୋତା ନଦୀନାଳର ଅକାଳ ମୃତ୍ୟୁ ହୋଇ ଯାଉଛି।

ଗତକାଲି ଜିଲ୍ଲାର ଦୁଇ ପ୍ରମୁଖ ନଦୀ ଇବ୍‌ ଓ ବସୁନ୍ଧରାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ‌‌ବସୁନ୍ଧରା ନଦୀରେ କଳା ମଚମଚ ପାରି ବୋହୁଥିବା ଥିବା ଦେଖିବାକୁ ମିଳିଛି। ସାଧାରଣତଃ ବନ୍ୟାଜଳ ଗାଡ଼ଧୁସର ରଙ୍ଗର ହୋଇଥିବା ବେଳେ ବସୁନ୍ଧରାରେ ବୋହି ଆସୁଥିବା ପାଣି କଳା ଦେଖା ଯାଉଥିବାରୁ ଏହି ପାଣିରେ କୋଇଲା ଖଣିର ବର୍ଜ୍ୟ ଓ ଆବର୍ଜନା ଭାସି ଆସୁଥିବା ସ୍ପଷ୍ଟ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅଞ୍ଚଳରୁ ବାହାରି ଝାରସୁଗୁଡ଼ା ଜିଲ୍ଲା ରାଜପୁର ପଞ୍ଚାୟତର ଦେଓଗାଁ ଠାରେ ଇବ୍‌ନଦୀରେ ମିଶୁଥିବା ଏହି ବସୁନ୍ଧରା ନଦୀର ପ୍ରଦୂଷିତ ପାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହେଉଛି।

publive-image

ବସୁନ୍ଧରା ନଦୀ ସୁନ୍ଦରଗଡ଼ ଜିଲ୍ଲାର ୩୦ ରୁ ଅଧିକ ଗ୍ରାମର ଜୀବନରେଖା ହୋଇଥିବା ବେଳେ ଏହା ଦର୍ଲିପାଲି ଦେଇ ଝାରସୁଗୁଡ଼ା ଜିଲ୍ଲାର ତିଲେଇମାଲ ନିକଟରେ ପ୍ରବେଶ କରିଛି। ଏହି ନଦୀ ତିଲେଇମାଲ, ବରପାଲି, ରାଜପୁର, ଚାରଭାଟି ପ୍ରଭୃତି ଅନେକ ଛୋଟବଡ଼ ଅଞ୍ଚଳର ଲୋକଙ୍କ ଚାଷବାସ ଠାରୁ ବିଭିନ୍ନ କାମରେ ଆସିଥାଏ। ତେବେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଠାରେ ଏସିଆର ଦ୍ବିତୀୟ ବୃହତ୍ତମ କୋଇଲା ଖଣି ହେବା ପରେ ଏହି ନଦୀ ସିଧାସଳଖ କ୍ଷତିଗ୍ରସ୍ତ ହୋଇଛି।

ଏହି ନଦୀର ବିଷାକ୍ତ ଜଳ ଆସି ଝାରସୁଗୁଡ଼ା ଠାରେ ଇବ୍‌ନଦୀରେ ମିଶୁଛି। ଇବ୍‌ ନଦୀର ପାଣି ସର୍ଗିମାଲ, ରେମଜା, ବୁଢ଼ିପଦର, ଗଣ୍ଡଘୋରା ପ୍ରଭୃତି ଅନେକ ଗାଁ ବସ୍ତି ଦେଇ ମହାନଦୀରେ ମିଶୁଛି। ମହାନଦୀ ପାଣି ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରୁଥିବାରୁ ଏହି ପ୍ରଦୂଷିତ ପାଣି ଜଳଭଣ୍ଡାରର ଜଳଜୀବକୁ କ୍ଷତି ପହଞ୍ଚାଉଥିବା ବେଳେ ନଦୀନାଳର ପାଣି ବ୍ୟବହାର କରୁଥିବା ଲୋକଙ୍କ ଜୀବନ ଓ ଚାଷବାସ ମଧ୍ୟ କ୍ଷତି ହେବାର ସମ୍ଭାବନା ରହିଛି। ବସୁନ୍ଧରା ନଦୀ ଶଯ୍ୟାରେ ଏଭଳି ପ୍ରଦୂଷିତ ‌ବର୍ଜ୍ୟ ଜମା ହୋଇ ରହୁଥିବା ବେଳେ ଏଠାରେ ବାଲି ଉଠା ଯାଉନଥିବା କାରଣରୁ ନଦୀଶଯ୍ୟା ପଟୁ ମାଟିରେ ପୋତି ହୋଇ ଗଲାଣି। ଫଳରେ ଏହାର ଗଭୀରତା ମଧ୍ୟ କମି ଯାଇଛି। ନଦୀ ଏବେ ଗାଁ ସହିତ ସମାନ ହୋଇ ଯାଇଥିବାରୁ ସାମାନ୍ୟ ବନ୍ୟାଜଳ ଆସିଲେ ମଧ୍ୟ ଏହା ବିଭିନ୍ନ ଗାଁ ଭିତରକୁ ମାଡ଼ି ଯାଇଥାଏ। ଫଳରେ ପ୍ରତିବର୍ଷ ରାଜପୁର ଗାଁକୁ ଏହି ନଦୀର ବନ୍ୟାପାଣି ମାଡ଼ି ଯାଇଥାଏ। ବସୁନ୍ଧରାର ପ୍ରଦୂଷିତ ପାଣି ଆଗାମୀ ଦିନରେ ଆହୁରି କ୍ଷତି କରିବା ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe